Retired engineer: ନକଲି ପୁଲିସ ଧମକରେ ଫସିଗଲେ ଅବସରପ୍ରାପ୍ତ ଯନ୍ତ୍ରୀ: ଗିରଫ ଭୟରେ ଦେଇଦେଲେ ୧.୩୮କୋଟି
ଭୁବନେଶ୍ବରର ଜଣେ ବ୍ୟକ୍ତିଙ୍କୁ ଗିରଫ ଭୟ ଦେଖାଇ ୧ କୋଟି ୩୮ ଲକ୍ଷ ଟଙ୍କା ଲୁଟିନେବା ଘଟଣାରେ କ୍ରାଇମବ୍ରାଞ୍ଚ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଦିଲ୍ଲୀ ଉତ୍ତମନଗର ଭଗବତୀବିହାରର ଶୁଭମ ଶର୍ମା ଓରଫ ସଞ୍ଜୟ ରଣା(୨୯) ଏବଂ ଉତ୍ତରାଖଣ୍ଡ ଡେରାଡୁନରେ ରହୁଥିବା....

କଟକ: ଭୁବନେଶ୍ବରର ଜଣେ ବ୍ୟକ୍ତିଙ୍କୁ ଗିରଫ ଭୟ ଦେଖାଇ ୧ କୋଟି ୩୮ ଲକ୍ଷ ଟଙ୍କା ଲୁଟିନେବା ଘଟଣାରେ କ୍ରାଇମବ୍ରାଞ୍ଚ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଦିଲ୍ଲୀ ଉତ୍ତମନଗର ଭଗବତୀବିହାରର ଶୁଭମ ଶର୍ମା ଓରଫ ସଞ୍ଜୟ ରଣା(୨୯) ଏବଂ ଉତ୍ତରାଖଣ୍ଡ ଡେରାଡୁନରେ ରହୁଥିବା ଉତ୍ତରପ୍ରଦେଶ ବିଜନୋରର ଅମିତ କୁମାର(୩୧)। ଏହି ଦୁଇ ଠକ ଜାଲ୍ ପରିଚୟପତ୍ର ବ୍ୟବହାର କରି ଏକାଧିକ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଥିଲେ। ଲୋକଙ୍କୁ ପୁଲିସ ପରିଚୟରେ ଧମକାଇ ଟଙ୍କା ଆଦାୟ କରୁଥିଲେ।
ଉତ୍ତରାଖଣ୍ଡ, ଦିଲ୍ଲୀରୁ ଦୁଇ ସାଇବର୍ ଅପରାଧୀ ଗିରଫ
ଭୁବନେଶ୍ବରର ଜଣେ ଅବସରପ୍ରାପ୍ତ ଯନ୍ତ୍ରୀଙ୍କୁ ଏମାନେ ମୁମ୍ବାଇ ସାଇବର୍ କ୍ରାଇମ୍ ପୁଲିସ ପରିଚୟ ଦେଇ ଫୋନ୍ କରିଥିଲେ। ତାଙ୍କ ଆଧାର କାର୍ଡ ଏକ ଆର୍ଥିକ ହେରଫେର ସହିତ ସଂଯୋଗ ହୋଇଥିବାରୁ ଗିରଫ ହେବା ନେଇ ଧମକ ଦେଇଥିଲେ। ଭୁବନେଶ୍ବରର ଉକ୍ତ ବ୍ୟକ୍ତି ଭୟରେ ୧ କୋଟି ୩୮ ଲକ୍ଷ ଟଙ୍କା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ପଠାଇଥିଲେ। କିନ୍ତୁ ଠକେଇର ଶିକାର ହୋଇଥିବା ଜାଣିବା ପରେ କ୍ରାଇମବ୍ରାଞ୍ଚରେ ୨୦୨୪ ମେ ୨୨ ତାରିଖରେ ଫେରାଦ ହୋଇଥିଲେ। କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରି ଦିଲ୍ଲୀ ଲିଙ୍କ୍ ପାଇଥିଲା। ଠକେଇ ହୋଇଥିବା ଟଙ୍କାରୁ ୧୩ ଲକ୍ଷ ୫୦ ହଜାର ଟଙ୍କା ଏଚ୍ଡିଏଫ୍ସି ବ୍ୟାଙ୍କର ରାଣା ଗାର୍ମେଣ୍ଟସ ଆକାଉଣ୍ଟକୁ ଯାଇଥିବା ଜଣାପଡ଼ିଥିଲା। କ୍ରାଇମବ୍ରାଞ୍ଚ ଏକ ସ୍ବତନ୍ତ୍ର ଟିମ୍ ଡିଏସ୍ପି ଅନିଲା ଆନନ୍ଦଙ୍କ ନେତୃତ୍ବରେ ଦିଲ୍ଲୀର ଉତ୍ତମନଗରରେ ଚଢ଼ଉ କରିଥିଲା। ସେଠାରୁ ଶୁଭମକୁ ଗିରଫ କରିଥିଲେ। ତାକୁ ଗିରଫ କରିବା ପରେ ସେ ସଞ୍ଜୟ ରାଣା ନାଁରେ ଏକ ନକଲି ପରିଚୟପତ୍ର ପ୍ରସ୍ତୁତ କରିଥିବା ଜଣାପଡ଼ିଥିଲା। ଏହି ଜାଲ୍ ପରିଚୟପତ୍ରରେ ଏକାଧିକ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ସହିତ ବିଭିନ୍ନ ବ୍ୟାଙ୍କରୁ ଋଣ ନେଇ ହଡ଼ପ କରିଥିଲା। କ୍ରାଇମବ୍ରାଞ୍ଚ ଟିମ୍ ଶୁଭମ ନିକଟରୁ ଜାଲ୍ ପରିଚୟପତ୍ର, ମୋବାଇଲ ଫୋନ୍, ବ୍ୟାଙ୍କ ସଂକ୍ରାନ୍ତ ଦସ୍ତାବିଜ ଜବତ କରିଛି।
ସଞ୍ଜୟ ରାଣା ନାଁରେ ଥିବା କାର୍ ଓ ସ୍କୁଟି ଜବତ ହୋଇଛି। ଏହି ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ଆଉ ଏକ ଟିମ୍ ଇନସ୍ପେକ୍ଟର ସତ୍ୟନାରାୟଣ ପାଢ଼ୀଙ୍କ ନେତୃତ୍ବରେ ଉତ୍ତରାଖଣ୍ଡରୁ ଅମିତ କୁମାରକୁ ଗିରଫ କରିଛି। ତା ଆକାଉଣ୍ଟରେ ୧୩ ଲକ୍ଷ ଟଙ୍କା ଜମା ହୋଇଥିଲା। ତା ନିକଟରୁ ମୋବାଇଲ ଫୋନ୍, ଦୁଇଟି ସିମ୍ କାର୍ଡ, ଆଧାର କାର୍ଡ, ପାନ୍ କାର୍ଡ ଜବତ ହୋଇଛି। ଏହି ମାମଲାରେ ପୂର୍ବରୁ ଉତ୍ତରପ୍ରଦେଶର ଗାଜିଆବାଦରୁ ମା’ ପୁଅ ଗିରଫ ହୋଇ ଜେଲ୍ ଯାଇଥିବା କ୍ରାଇମବ୍ରାଞ୍ଚ ସୂତ୍ରରୁ ସୂଚନା ମିଳିଛି।
ସୌଜନ୍ୟ ସମ୍ବାଦ




