The three ‘wordmarks’: ଶ୍ରୀମନ୍ଦିର ପ୍ରଶାସନର ୩ ‘ୱାର୍ଡମାର୍କ’: ଆନନ୍ଦବଜାର, ପତିତପାବନ ଓ ଶ୍ରୀମନ୍ଦିର ପ୍ରଶାସନ ଲୋଗୋକୁ ସ୍ବୀକୃତି
ଇଣ୍ଡିଆ ପେଟେଣ୍ଟ ଅଫିସ୍ରେ ୨୯ଟି ‘ୱାର୍ଡ ମାର୍କ’ ବା ‘ଲୋଗୋ ମାର୍କ’ ସ୍ବୀକୃତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଦାଖଲ କରିଥିବା ଦସ୍ତାବିଜ୍ରୁ ତିନିଟିକୁ ସ୍ବୀକୃତି ମିଳିଛି। ଆଇପି ଇଣ୍ଡିଆର କଣ୍ଟ୍ରୋଲର ଜେନେରାଲ୍ ପ୍ରାଥମିକ ପର୍ଯ୍ୟାୟରେ ଆନନ୍ଦବଜାର, ପତିତପାବନ....

ପୁରୀ: ଇଣ୍ଡିଆ ପେଟେଣ୍ଟ ଅଫିସ୍ରେ ୨୯ଟି ‘ୱାର୍ଡ ମାର୍କ’ ବା ‘ଲୋଗୋ ମାର୍କ’ ସ୍ବୀକୃତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଦାଖଲ କରିଥିବା ଦସ୍ତାବିଜ୍ରୁ ତିନିଟିକୁ ସ୍ବୀକୃତି ମିଳିଛି। ଆଇପି ଇଣ୍ଡିଆର କଣ୍ଟ୍ରୋଲର ଜେନେରାଲ୍ ପ୍ରାଥମିକ ପର୍ଯ୍ୟାୟରେ ଆନନ୍ଦବଜାର, ପତିତପାବନ ଓ ଶ୍ରୀମନ୍ଦିର ପ୍ରଶାସନ ଲୋଗୋକୁ ସ୍ବୀକୃତ କରିଛନ୍ତି। ଆନନ୍ଦବଜାର ଓ ପତିତପାବନ ଶବ୍ଦକୁ ଆଉ କେହି ବ୍ୟବହାର କରିପାରିବେ ନାହିଁ। ଏହି ଶବ୍ଦକୁ କେବଳ ଶ୍ରୀମନ୍ଦିର ପ୍ରଶାସନ ବ୍ୟବହାର କରିବାକୁ ଅଧିକୃତ ହୋଇଛି। ସେହିଭଳି ଶ୍ରୀମନ୍ଦିର ପ୍ରଶାସନ ବ୍ୟବହାର କରୁଥିବା ‘ଲୋଗୋ’କୁ ମଧ୍ୟ ଆଉ କେହି ବ୍ୟବହାର କରିପାରିବେ ନାହିଁ। ବାକି ୨୬ଟି ୱାର୍ଡମାର୍କ ପାଇଁ ଇଣ୍ଡିଆ ପେଟେଣ୍ଟ ଆଉ କିଛି ଜରୁରୀ କାଗଜପତ୍ର ତଲବ କରିଛି। ଏ ସବୁ କାଗଜପତ୍ର ଯୋଗାଡ଼ ହୋଇ ଗଲେ ଇଣ୍ଡିଆ ପେଟେଣ୍ଟ ଅଫିସ୍ରେ ଦାଖଲ ହେବ। ଏଣୁ ସେହି ସବୁ ‘ୱାର୍ଡ’କୁ ସ୍ବୀକୃତି ମିଳିବାରେ ସମସ୍ୟା ହେବନାହିଁ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ।
ଶ୍ରୀମନ୍ଦିରରେ ବ୍ୟବହାର ହେଉଥିବା ମୌଳିକ ଶବ୍ଦାବଳୀଗୁଡ଼ିକ ପେଟେଣ୍ଟ ହେଉ ନଥିବାରୁ ବିଭିନ୍ନ ସମୟରେ ଯିଏ ପାରୁଥିଲା ସେ ଅପବ୍ୟବହାର କରୁଥିଲା। ତେବେ ଦୀଘା ଜଗନ୍ନାଥ ମନ୍ଦିରରେ ଶ୍ରୀଜଗନ୍ନାଥ ‘ଧାମ’କୁ ନେଇ ବିବାଦ ଉଗ୍ରରୂପ ନେଇଥିଲା। ୪ ଧାମ ମଧ୍ୟରୁ ଶ୍ରୀଜଗନ୍ନାଥ ଧାମ ବା ଶ୍ରୀକ୍ଷେତ୍ର ଅନ୍ୟତମ ଥିଲା। କିନ୍ତୁ ଦୀଘା ମନ୍ଦିରରେ ‘ଧାମ’ ଲେଖାଯାଇଥିଲା। ଏହା ଶ୍ରୀମନ୍ଦିର ପ୍ରଶାସନର ପେଟେଣ୍ଟ ନଥିବାରୁ ପ୍ରଶାସନ କେବଳ ଚିଠିଲେଖିବା ଛଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରି ନଥିଲା। ଏବେବି ଅନେକ ଶବ୍ଦ ଓ ଲୋଗୋ ରହିଛି ଯାହା ଶ୍ରୀମନ୍ଦିରରେ ସ୍ବତନ୍ତ୍ର। କିନ୍ତୁ ଯଦି ଆଉ କିଏ ବ୍ୟବହାର କରିବ ତେବେ ଶ୍ରୀମନ୍ଦିର ପ୍ରଶାସନ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇ ପାରିବନାହିଁ। ଆବେଦନ କରାଯାଇଥିବା ୨୯ ଶବ୍ଦକୁ ସ୍ବୀକୃତି ମିଳିଗଲେ ଆଉ ଅପବ୍ୟବହାର ସଂଶୟ ରହିବନାହିଁ। ବରଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁଯୋଗ ସୃଷ୍ଟି ହେବ।
ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି, ଶ୍ରୀମନ୍ଦିରର ସ୍ବତନ୍ତ୍ର ଶବ୍ଦ ସବୁ ପେଟେଣ୍ଟ ହୋଇ ନଥିବାରୁ ଅନଧିକୃତ ବ୍ୟକ୍ତି ବା ସଂସ୍ଥା ସବୁ ଏହାକୁ ବ୍ୟବହାର କରୁଥିଲେ। ଏବେ ଏହି ଶବ୍ଦ ସବୁ ପେଟେଣ୍ଟ ହୋଇଗଲେ ଆଉ କାହାର ବ୍ୟବହାର ଅଧିକାର ରହିବନାହି। ବାକି ଯେଉଁ ୨୬ଟିର କାଗଜପତ୍ର ତଲବ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ ଏହି କାଗଜପତ୍ର ଦାଖଲ କରି ସ୍ବୀକୃତି ଆଣୁ। ଶ୍ରୀମନ୍ଦିର ସ୍ବତନ୍ତ୍ର। ଏହାର ସ୍ବତନ୍ତ୍ରତା ରହୁ। କିଏ ମନ୍ଦିର ତିଆରି କରୁ, ଯିଏ ଯେମିତି ପ୍ରଚାର ପ୍ରସାର କରୁଛି କରୁ, କିନ୍ତୁ ଏହି ସବୁ ଶବ୍ଦକୁ ନେଇ ଅପବ୍ୟବହାର ନକରୁ।
ସୌଜନ୍ୟ ସମ୍ବାଦ




