ପରିଶେଷରେ, ତେନ୍ତୁଳିମଞ୍ଜି କଥା ସେମାନଙ୍କ ମଥାରେ ପଶିଲା। ରସ ବାହାର କରି ତେନ୍ତୁଳିମଞ୍ଜି ସବୁ ଫିଙ୍ଗିଦିଆଯାଏ। ସେମାନେ ଜାଣିଥିଲେ ଯେ ବର୍ଜ୍ୟ ହେଲେ ବି ତାହା ଉତ୍ତମ ଜଳ ବିଶୋଧକ ଏବଂ ସହଜଲଭ୍ୟ। କିନ୍ତୁ, ତା’ର ବିଶୋଧନ ପ୍ରକ୍ରିୟା ଆହୁରି ଉନ୍ନତ କର‌‌ାଯିବା ଆବଶ୍ୟକ ହେଉଥିଲା। ସେଥିପାଇଁ ସେମାନେ ଆଇଆଇଟି -ଗୌହାଟୀସ୍ଥିତ ଗବେଷକମାନଙ୍କ ସହିତ ମିଶି ଗବେଷଣା ଚଳାଇଲେ ଏବଂ ସଫଳ ମଧ୍ୟ ହେଲେ। ସଚେତନତା ଓ ଡେମୋନ୍‌ଷ୍ଟ୍ରେସନ୍‌ ପ୍ରୋଗ୍ରାମ୍‌ ଜରିଆରେ ସେମାନଙ୍କର ଏହି ପ୍ରକଳ୍ପ ୮୦୦୦ରୁ ଅଧିକ ଶିକ୍ଷାର୍ଥୀ ଓ ଶିକ୍ଷକଙ୍କ ନିକଟରେ ପହଞ୍ଚିସାରିଛି।
ଉଦ୍ଭାବକ ଶିକ୍ଷାର୍ଥୀତ୍ରୟ କହନ୍ତି- ପ୍ରଦୂଷିତ ଜଳରେ ମିଶାଇଲେ ତେନ୍ତୁଳିମଞ୍ଜି ଗୁଣ୍ଡ ମାଇକ୍ରୋପ୍ଲାଷ୍ଟିକ୍‌ ଟାଣି ଆଣି ଟେଳା ଧରିଯାଏ। ଗୋଟାଏ ବେଣ୍ଟଲଗା  ଚୁମ୍ବକ ଦ୍ବାରା ଜଳରେ ମିଶିଥିବା ସେ ମାଇକ୍ରୋପ୍ଲାଷ୍ଟିକ୍‌ ଧାରଣକାରୀ ତେନ୍ତୁଳିମଞ୍ଜି ଗୁଣ୍ଡ ଟେଳାଗୁଡ଼ିକୁ ସହଜରେ କଢ଼ାଯାଇ ପାରିବ।

‘ଦି ଆର୍ଥ ପ୍ରାଇଜ୍‌’ ହେଉଛି ପରିବେଶ ପ୍ରଦୂଷଣଗତ ସମସ୍ୟା ସମାଧାନ ନିମନ୍ତେ କାର୍ଯ୍ୟ କରୁଥିବା ତରୁଣତରୁଣୀଙ୍କର ଗୋଟାଏ ଆନ୍ତର୍ଜାତିକ ପ୍ରତିଯୋଗିତା। ବିଶ୍ବର ଏହି ବୃହତ୍ତମ ପରିବେଶଗତ ପ୍ରତିଯୋଗିତାରେ ପ୍ରତିବର୍ଷ ବିଭିନ୍ନ ଦେଶରୁ ୧୩ରୁ ୧୯ ବର୍ଷ ବୟସ୍କ ଶିକ୍ଷାର୍ଥୀମାନେ ପ୍ରଦୂଷଣ, ବର୍ଜ୍ୟ ଓ ଜଳବାୟୁ ପରିବର୍ତ୍ତନଜନିତ କୁପ୍ରଭାବ ପ୍ରତିହତ କରିବା ନିମନ୍ତେ ସେମାନଙ୍କର ଆଇଡିଆ ବା ଉପାୟ ସଂକ୍ରାନ୍ତ ପ୍ରକଳ୍ପ ଦାଖଲ କରନ୍ତି। ବିଜୟୀମାନେ ପାଣ୍ଠି ଓ ମେଣ୍ଟର୍‌ସିପ୍‌ ପାଆନ୍ତି। ପ୍ରାପ୍ତ ଅର୍ଥ ଓ ସହାୟତା ଦ୍ବାରା ସେମାନେ ପ୍ରକଳ୍ପଗୁଡ଼ିକୁ ଅଧିକ ଉନ୍ନତ କରନ୍ତି।
ଏସିଆ ବିଜେତା ଭାବେ ତିନି ଭାରତୀୟ ଶିକ୍ଷାର୍ଥୀ ୧୨,୫୦୦ ଆମେରିକୀୟ ଡଲାର୍‌ ପାଇବେ। ତା’ ସହିତ ପାଇବେ ମେଣ୍ଟର୍‌ସିପ୍‌ ସୁଯୋଗ ଏବଂ ଆନ୍ତର୍ଜାତିକ ପରିଚିତି। ‘ପ୍ଲାସ୍‌-ଷ୍ଟିକ୍‌’ ଏବେ ଅଗ୍ରଗତି ପର୍ଯ୍ୟାୟରେ ରହିଛି। ବ୍ୟାପକ ଉପଯୋଗ କରାଯିବା ପୂର୍ବରୁ ଏହା ଆହୁରି କେତେକ ପରୀକ୍ଷା ଆବଶ୍ୟକ କରୁଛି।