ଜୀବନଚର୍ଯ୍ୟା

‘Unpretentious Love’ Is Winning Hearts: ତରୁଣ ପିଢ଼ିଙ୍କୁ ଆକୃଷ୍ଟ କରୁଛି ‘ନିରାଡ଼ମ୍ବର ପ୍ରେମ’

ନୂଆଦିଲ୍ଲୀ ୨୮/୦୭: ଭଲପାଇବାର ଆଉ ଏକ ନୂଆ ଟ୍ରେଣ୍ଡ ଦେଖିବାକୁ ମିଳିଛି ଆଧୁନିକ ପିଢ଼ିର ତରୁଣ/ତରୁଣୀଙ୍କ ମଧ୍ୟରେ । ସିନେମାର କାହାଣୀ ଭଳି ପ୍ରେମ ସଂପର୍କରେ ବିଶ୍ୱାସୀ ନୁହଁନ୍ତି ଏହି ପିଢ଼ି । ଲୋକ ଦେଖାଣିଆ ଭାବଭଙ୍ଗୀ ପରିବର୍ତ୍ତେ ନିତିଦିନିଆ ଛୋଟ ଛୋଟ ଅଭ୍ୟାସ ମାଧ୍ୟମରେ ହିଁ ସେମାନେ ଭଲପାଇବା ଖୋଜୁଛନ୍ତି । ସଂପର୍କର ଏହି ନୂଆ ଟ୍ରେଣ୍ଡର ନାଁ ‘ରୋମାଣ୍ଟିକ୍ ମିନିମାଲିଜମ୍’ । ସରଳ ଭାବରେ କହିବାକୁ ଗଲେ ‘ନିରାଡ଼ମ୍ବର ପ୍ରେମ’ ଯେଉଁଥିରେ ଅନ୍ୟମାନଙ୍କୁ ଦେଖାଇ ହେବାର ପ୍ରବଣତା ନଥାଏ । ‘ନିରାଡ଼ମ୍ବର ଭଲପାଇବା’ରେ ନଥାଏ ‘ପିଡିଏ’ ଅର୍ଥାତ୍ ‘ପବ୍ଲିକ୍ ଡିସ୍ପ୍ଲେ ଅଫ୍ ଆଫେକସନ୍’ । ଯଦି ବାସ୍ତବରେ ଜଣକୁ ଭଲପାଉଛନ୍ତି ତାହା ଅନ୍ୟକୁ ଜଣାଇବା ବା ଦେଖାଇହେବାର କୌଣସି ଅର୍ଥ ନାହିଁ । ବହୁତ ବର୍ଷ ଧରି ନିରୁତା ପ୍ରେମକୁ ନେଇ ରହିଆସିଥିବା ଧାରଣାକୁ ଏବେ ନୂଆ ରୂପରେ ଆଦରି ନେଉଛନ୍ତି ତରୁଣ ପିଢ଼ି ।

ଏକ ଭାରତୀୟ ଡେଟିଂ ଆପ୍ର ସାମ୍ପ୍ରତିକ ସମୀକ୍ଷାରେ ଜାଣିବାକୁ ମିଳିଛି ଏହି ତଥ୍ୟ । ଦେଶର ମେଟ୍ରୋ ସିଟିରୁ ଛୋଟ ସହରର ପ୍ରାୟ ୫୩ ପ୍ରତିଶତ ତରୁଣ-ତରୁଣୀ ଏବେ ‘ଅଳ୍ପ ଅଥଚ ଅର୍ଥପୂର୍ଣ୍ଣ’ ସଂପର୍କରେ ବିଶ୍ୱାସୀ । ଲୋକ ଦେଖାଣିଆ ପ୍ରେମ ବା ସାମାଜିକ ଗଣମାଧ୍ୟମରେ ଫଟୋ ପୋଷ୍ଟ କରିବାର ମୋହରୁ ଦୂରେଇବାକୁ ଚାହାନ୍ତି ତରୁଣ ପିଢ଼ିଙ୍କ ୩୮ ପ୍ରତିଶତ । ସେହି ଡେଟିଂ ଆପ୍ର ତଥ୍ୟ ଅନୁସାରେ, ତରୁଣ ପ୍ରଜନ୍ମଙ୍କ ମନରୁ ରୋମାନ୍ସ ବା ପ୍ରେମର ଚାହିଦା କମିନାହିଁ । ତେବେ ସେମାନେ ବୁଝିପାରିଛନ୍ତି ସଂପର୍କର ପ୍ରକୃତ ଭିତ୍ତି କ’ଣ ହେବା ଦରକାର । ସେମାନେ ଏବେ ଆକାଶଛୁଆଁ ପ୍ରତିଶ୍ରୁତି ତୁଳନାରେ ମାନସିକ ଶାନ୍ତି ଏବଂ ସଚ୍ଚୋଟପଣିଆକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ।

‘ରୋମାଣ୍ଟିକ୍ ମିନିମାଲିଜମ୍’ର ପରିଭାଷା :

ସହଜ ଭାଷାରେ କହିବାକୁ ଗଲେ, ଏହା ଏମିତି ଏକ ମାନସିକତା ଯେଉଁଠାରେ ସଂପର୍କର ଗଭୀରତା ମପାଯାଏ ନିତିଦିନିଆ କିଛି ଛୋଟ ଅଭ୍ୟାସ ମାଧ୍ୟମରେ, ରାଜକୀୟ ଆୟୋଜନ ଦ୍ୱାରା ନୁହେଁ । ଅନେକେ ଭାବନ୍ତି, ‘ମିନିମାଲିଜମ୍’ର ଅର୍ଥ ହୁଏତ ପ୍ରତ୍ୟାଶା କମାଇଦେବା ଅଥବା କୌଣସି ଭାବେ ଚଳାଇ ନେବା । କିନ୍ତୁ ତରୁଣ ପିଢ଼ିର ୪୧ ପ୍ରତିଶତ ସ୍ପଷ୍ଟ ଜଣାଇଛନ୍ତି, ବିଷୟଟି ଆଦୌ ସେମିତି ନୁହେଁ । ଲୋକ ଦେଖାଣିଆ ଚାକଚକ୍ୟଠାରୁ ସଂପର୍କର ବନ୍ଧନ କେତେ ଶକ୍ତ, ତାହା ବୁଝି ସେହି ଅନୁସାରେ ସଂପର୍କ ଆଗେଇବାକୁ ପସନ୍ଦ କରୁଛନ୍ତି ତରୁଣ ପିଢ଼ିର ଅନେକ । ସେଥିପାଇଁ ସଂପର୍କରେ ଆଧିକ୍ୟ ନୁହେଁ, ବରଂ ସରଳତା ଉପରେ ଜୋର୍ ଦେଉଛନ୍ତି ସେମାନେ ।

କାହିଁକି ବଢ଼ୁଛି ଏହି ଟ୍ରେଣ୍ଡର ଲୋକପ୍ରିୟତା :

ଆଜିର ବ୍ୟସ୍ତ ଜୀବନଶୈଳୀ ଏହାର ଅନ୍ୟତମ ବଡ଼ କାରଣ । ମେଟ୍ରୋ ସହରର ୨୨ ପ୍ରତିଶତ ତରୁଣ-ତରୁଣୀ ଜଣାଇଛନ୍ତି, ସେମାନଙ୍କ ଦୈନନ୍ଦିନ ଜୀବନ ଏତେ ମାତ୍ରାରେ ବ୍ୟସ୍ତ ଓ କ୍ଲାନ୍ତିକର ଯେ, ସେଠାରେ ସଂପର୍କ ନାଁରେ ନାଟକ ଦେଖାଇବା ଭଳି ଶକ୍ତି ବା ସାମର୍ଥ୍ୟ ଆଉ ଅବଶିଷ୍ଟ ନାହିଁ । ଆଜି ଖୁବ୍ ଭଲପାଇବା ଦେଖାଇବା, କାଲି ଅଚାନକ ଗାଏବ୍ ହୋଇଯିବା(ଘୋଷ୍ଟିଂ)- ଏହି ଧରଣର ଲୁଚକାଳି ଖେଳ ମନକୁ ଆହୁରି କ୍ଲାନ୍ତ କରିଦେଉଛି । ସେହି କାରଣରୁ ଶାନ୍ତ ଅଥଚ ସ୍ଥିର ସଂପର୍କ ଆଡ଼କୁ ଢଳୁଛନ୍ତି ଏହି ପ୍ରଜନ୍ମର ଅନେକ ତରୁଣ-ତରୁଣୀ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button