ଦେଶ ବିଦେଶ

ଆଜି ବିଶ୍ୱ ହାତୀ ଦିବସ ; ମଣିଷ-ହାତୀ ସହାବସ୍ଥାନ ପାଇଁ ସମଗ୍ର କାର୍ଯ୍ୟ ଯୋଜନା

ଭୁବନେଶ୍ୱର : ଭାରତରେ ଏସୀୟ ହାତୀ ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶା ପ୍ରମୁଖ ରାଜ୍ୟ ଭାବେ ସ୍ୱୀକୃତି ଲାଭ କରିଛି। ବିଶ୍ୱ ପ୍ରକୃତି ସଂରକ୍ଷଣ ସଂଘ (ଆଇୟୁସିଏନ୍‌) ଦ୍ୱାରା ଏସୀୟ ହାତୀକୁ ‘ବିପନ୍ନ’ ପ୍ରଜାତି ଭାବେ ଶ୍ରେଣୀଭୁକ୍ତ କରାଯାଇଛି। ସାରା ବିଶ୍ୱର ୬୦ ପ୍ରତିଶତରୁ ଅଧିକ ବନ୍ୟ ଏସୀୟ ହାତୀ ଭାରତରେ ବାସ କରୁଥିବାରୁ ଏହି ପ୍ରଜାତିର ସୁରକ୍ଷା ଦାୟିତ୍ୱ ଦେଶ ଉପରେ ନ୍ୟସ୍ତ। ଓଡ଼ିଶାର ୩୦ଟି ଜିଲା ମଧ୍ୟରୁ ୨୫ଟି ଜିଲାରେ ହାତୀଙ୍କ ଉପସ୍ଥିତି ରହିଥିବାରୁ ରାଜ୍ୟର ଜୈବ ବିବିଧତା ସଂରକ୍ଷଣରେ ଏହାକୁ ପ୍ରାଥମିକତା ଦିଆଯାଉଛି। ୨୦୨୪ ସମକାଳୀନ ହାତୀ ଗଣନା ଅନୁସାରେ ଗ୍ରୀଷ୍ମ ଋତୁରେ ୨,୦୯୮ ଏବଂ ଶୀତ ଋତୁରେ ୨,୧୦୩ଟି ହାତୀ ଥିବା ଆକଳନ କରାଯାଇଛି, ଯାହା ହାତୀ ସଂଖ୍ୟା ସ୍ଥିର ଥିବା ଦର୍ଶାଉଛି। ତେବେ ବୈଜ୍ଞାନିକ ଅଧ୍ୟୟନ ଅନୁଯାୟୀ ଓଡ଼ିଶା ଜଙ୍ଗଲର ପରିବେଶଗତ ବହନ କ୍ଷମତା ୧,୭୦୦ରୁ ୧,୮୦୦ ହାତୀ ମଧ୍ୟରେ ସୀମିତ ରହିଛି। ଏହାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ, ମହାନଦୀ ସଂରକ୍ଷିତ ଅଞ୍ଚଳ ଓ ସମ୍ବଲପୁରରେ ୩ଟି ହାତୀ ସଂରକ୍ଷିତ ଅଞ୍ଚଳ ସହ ୧୧ଟି ପ୍ରମୁଖ ହାତୀ କରିଡରକୁ ସୁରକ୍ଷିତ କରାଯାଇଛି। ଉଦ୍‌ବେଗଜନକ ଭାବେ ମଣିଷ-ହାତୀ ସଂଘର୍ଷ ବଢ଼ିବାରେ ଲାଗିଛି। ମଣିଷ-ହାତୀ ସଂଘର୍ଷ ଏକ ବଡ଼ ଆହ୍ୱାନ ଭାବେ ଛିଡ଼ା ହୋଇଛି। ୨୦୨୦ରୁ ୨୦୨୬ ମଧ୍ୟରେ ରାଜ୍ୟରେ ୯୦୬ ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ବେଳେ ୫୧୩ଟି ହାତୀ ମୃତ୍ୟୁ ରେକର୍ଡ କରାଯାଇଛି। ବିଦ୍ୟୁତ୍ ଆଘାତକୁ ମୁଖ୍ୟ କାରଣ ଭାବେ ଚିହ୍ନଟ କରାଯାଇ ବିଦ୍ୟୁତ୍‌ ଭିତ୍ତିଭୂମିର ଆଧୁନିକୀକରଣ କରାଯାଉଛି। ଏହା ସହିତ ମଣିଷର ପ୍ରାଣହାନି କ୍ଷେତ୍ରରେ କ୍ଷତିପୂରଣ ରାଶିକୁ ୧୦ ଲକ୍ଷକୁ ବୃଦ୍ଧି କରାଯାଇଛି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକ୍ରମେ ସରକାର ‘ସମଗ୍ର କାର୍ଯ୍ୟ ଯୋଜନା’ ମାଧ୍ୟମରେ ହାତୀ ବାସସ୍ଥଳୀକୁ ୪ଟି ପରିଚାଳନା କ୍ଷେତ୍ରରେ ବିଭକ୍ତ କରିଛନ୍ତି। ଫଳରେ ବିଜ୍ଞାନଭିତ୍ତିକ ଓ ସମୁଦାୟକୈନ୍ଦ୍ରିକ ପଦକ୍ଷେପ ମାଧ୍ୟମରେ ମାନବ-ହାତୀ ସହାବସ୍ଥାନ ସୁଦୃଢ଼ ହେବ। ବନ୍ୟଜନ୍ତୁ ଅପରାଧ ରୋକିବାକୁ ଏଚ୍‌ଏଡବ୍ଲ୍ୟୁକେ, କ୍ଷେତ୍ରସ୍ତରୀୟ ମନିଟରିଂ ପାଇଁ ପ୍ରହାର, ସମନ୍ୱିତ ବନ୍ୟପ୍ରାଣୀ ପରିଚାଳନା ପାଇଁ ପ୍ରସ୍ତୁତ ଏକ କେନ୍ଦ୍ରୀକୃତ ଡିଜିଟାଲ୍ ପୋର୍ଟାଲ୍ ଆଇଡବ୍ଲ୍ୟୁଏଲଏମ୍‌ଏସ୍‌ ଏବଂ କ୍ଷତିପୂରଣ ପ୍ରଦାନ ପାଇଁ ଅନୁକମ୍ପା ୨.୦ କାର୍ଯ୍ୟକାରୀ ହୋଇଛି। ଏହା ସହିତ ଏଆଇ ଟାୱାର, ଅର୍ଲି ୱାର୍ଣ୍ଣିଂ ସିଷ୍ଟମ୍, ଥର୍ମାଲ ଡ୍ରୋନ୍, ରେଡିଓ କଲାର ଓ ମୋବାଇଲ୍ ସତର୍କ ବାର୍ତ୍ତା ମାଧ୍ୟମରେ ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଉଛି। ୨,୧୪୨ ଜଣ ‘ଗଜସାଥୀ’ ସ୍ୱେଚ୍ଛାସେବକ, ବିଦ୍ୟୁତ ପ୍ରହରୀ ଓ ୠାପିଡ୍‌ ଆକ୍ସନ୍‌ ଟିମ୍‌ ନିୟୋଜିତ ଅଛନ୍ତି। ଜଙ୍ଗଲରେ ବାଉଁଶ, ଫଳ ଚାରାରୋପଣ ଓ କୃତ୍ରିମ ଜଳାଶୟ ନିର୍ମାଣ କରାଯାଉଛି। ହାତୀ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଓଡ଼ିଶାର ଦୁଇ ଜଣଙ୍କୁ ସମ୍ମାନଜନକ ‘ଗଜ ଗୌରବ ପୁରସ୍କାର-୨୦୨୬’ ପାଇଁ ମନୋନୀତ କରାଯାଇଛି। ସେମାନେ ହେଲେ ଅନୁଗୋଳ ବନଖଣ୍ଡ ଜରପଡ଼ା ରେଞ୍ଜ ଆଇପିସିଇଏ ସ୍କ୍ୱାଡ୍‌ର ସ୍ୱର୍ଗତ ଯୁଗଳ ନାଏକଙ୍କୁ ମରଣୋତ୍ତର ଭାବେ ଏବଂ ବଲାଙ୍ଗିର ବନଖଣ୍ଡ ସଇଁତଳା ଅଞ୍ଚଳର ପ୍ରଭୁଦତ୍ତ ବେହେରା। ବିଶ୍ୱ ହାତୀ ଦିବସ ଅବସରରେ ୧୩ ଅଗଷ୍ଟ ୨୦୨୬ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ବନ ବିଭାଗ ପକ୍ଷରୁ କହାଯାଇଛି।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button