192 Bags Of Paddy Seized: ଓଡ଼ିଶାରୁ ଛତିଶଗଡ଼କୁ ବେଆଇନ ଧାନ ଚାଲାଣ: ୧୯୨ ବସ୍ତା ଧାନ ଜବତ; ନୂଆପଡ଼ା ପ୍ରଶାସନର ନଜରଦାରିକୁ ନେଇ ପ୍ରଶ୍ନ
ଓଡ଼ିଶାରୁ ଛତିଶଗଡ଼କୁ ଯାଉଥିବା ୩ଟି ପିକଅପ୍ ଗାଡ଼ିରୁ ୧୯୨ ବସ୍ତା ଧାନ ଜବତ କରାଯାଇଛି। ଏଥିସହ ୩ଟି ଗାଡ଼ିକୁ ମଧ୍ୟ ପୁଲିସ ଜବତ କରିଛି। ଅନ୍ୟ ରାଜ୍ୟର ପୁଲିସ ଓଡ଼ିଶାରୁ ଧାନ ଚାଲାଣ ଧରୁଥିବାବେଳେ ନୂଆପଡ଼ା ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗର ନଜରଦାରି କେଉଁଠି ବୋଲି ଏବେ ପ୍ରଶ୍ନ ଉଠିଛି।

ନୂଆପଡ଼ା: ଓଡ଼ିଶାରୁ ଛତିଶଗଡ଼କୁ ବେଆଇନ ଭାବେ ଧାନ ଚାଲାଣ ହେଉଥିବା ଘଟଣାର ପର୍ଦ୍ଦାଫାସ କରିଛି ଛତିଶଗଡ଼ର ଗରିଆବନ୍ଦ ଜିଲ୍ଲା ଅନ୍ତର୍ଗତ ଦେବଭୋଗ ପୁଲିସ।ଓଡ଼ିଶାରୁ ଛତିଶଗଡ଼କୁ ଯାଉଥିବା ୩ଟି ପିକଅପ୍ ଗାଡ଼ିରୁ ୧୯୨ ବସ୍ତା ଧାନ ଜବତ କରାଯାଇଛି। ଏଥିସହ ୩ଟି ଗାଡ଼ିକୁ ମଧ୍ୟ ପୁଲିସ ଜବତ କରିଛି। ଅନ୍ୟ ରାଜ୍ୟର ପୁଲିସ ଓଡ଼ିଶାରୁ ଧାନ ଚାଲାଣ ଧରୁଥିବାବେଳେ ନୂଆପଡ଼ା ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗର ନଜରଦାରି କେଉଁଠି ବୋଲି ଏବେ ପ୍ରଶ୍ନ ଉଠିଛି।
ପୁଲିସ ଟିମ୍ ଯାଞ୍ଚ ଆରମ୍ଭ କରିଥିଲା
ଗରିଆବନ୍ଦ ପୁଲିସର ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ଗତ ୬ ତାରିଖ ରାତି ପ୍ରାୟ ୧୦ଟାରେ ଓଡ଼ିଶାରୁ ଛତିଶଗଡ଼କୁ ବେଆଇନ ଭାବେ ଧାନ ପରିବହନ ହେଉଥିବା ନେଇ ଦେବଭୋଗ ଥାନା ପୁଲିସକୁ ସୂଚନା ମିଳିଥିଲା। ଏହାପରେ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଭରୁଆମୁଡ଼ା ଗ୍ରାମ ନିକଟରେ ପୁଲିସ ଟିମ୍ ଯାଞ୍ଚ ଆରମ୍ଭ କରିଥିଲା। ଏହି ସମୟରେ ୩ଟି ମହିନ୍ଦ୍ରା ପିକଅପ୍ ଗାଡ଼ିରେ ଧାନ ପରିବହନ ହେଉଥିବା ଦେଖି ପୁଲିସ ଗାଡ଼ିଗୁଡ଼ିକୁ ଅଟକାଇଥିଲା। ଯାଞ୍ଚ ସମୟରେ ସିଜି ୦୪ ଏଚ୍କ୍ୟୁ ୮୩୯୧ ନମ୍ବର ବିଶିଷ୍ଟ ଗାଡ଼ିରୁ ୭୦ ବସ୍ତା, ସିଜି ୧୦ ଏଏସ୍ ୪୯୫୪ ନମ୍ବର ଗାଡ଼ିରୁ ୬୨ ବସ୍ତା ଏବଂ ସିଜି ୦୭ ବିଭି ୭୬୭୩ ନମ୍ବର ଗାଡ଼ିରୁ ୬୦ ବସ୍ତା ଧାନ ଜବତ ହୋଇଥିଲା। ଏହିପରି ମୋଟ ୧୯୨ ବସ୍ତା ଧାନ ସହ ୩ଟି ପିକଅପ୍ ଗାଡ଼ିକୁ ଦେବଭୋଗ ପୁଲିସ ଜବତ କରିଛି।
ଧାନର ପରିବହନ ଓ ମାଲିକାନା ସମ୍ପର୍କରେ ବୈଧ କାଗଜପତ୍ର ଦାଖଲ କରିବାକୁ ଗାଡ଼ି ଚାଳକମାନଙ୍କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍ଏସ୍ଏସ୍)ର ଧାରା ୯୪ ଅନୁଯାୟୀ ନୋଟିସ୍ ଦିଆଯାଇଥିଲା। ମାତ୍ର ସେମାନେ କୌଣସି ବୈଧ କାଗଜପତ୍ର ଦେଖାଇପାରି ନଥିଲେ। ଫଳରେ ଧାନ ସହ ଗାଡ଼ିଗୁଡ଼ିକୁ ଜବତ କରି ଥାନାରେ ରଖାଯାଇଛି। ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦେବଭୋଗ ଅନୁବିଭାଗୀୟ ଅଧିକାରୀ (ରାଜସ୍ୱ)ଙ୍କ ନିକଟକୁ ରିପୋର୍ଟ ପଠାଯାଇଛି।
ତେବେ ଏହି ଘଟଣା ନୂଆପଡ଼ା ଜିଲ୍ଲାର ଧାନ ପରିବହନ ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ନ ଠିଆ କରିଛି। ଓଡ଼ିଶାରୁ ଧାନ ବୋଝେଇ ଗାଡ଼ି ବାହାରି ଅନ୍ୟ ରାଜ୍ୟର ସୀମାରେ ପହଞ୍ଚୁଛି। ହେଲେ ଏହା ଉପରେ ନୂଆପଡ଼ା ପ୍ରଶାସନର ନଜର ପଡ଼ୁନାହିଁ କାହିଁକି? ସୀମାନ୍ତ ଅଞ୍ଚଳରେ ଯାଞ୍ଚ ବ୍ୟବସ୍ଥା ରହିଛି ନା କେବଳ କାଗଜପତ୍ରରେ ସୀମିତ ରହିଛି? ଯୋଗାଣ ବିଭାଗର ଅଧିକାରୀମାନେ ଏଭଳି ଚାଲାଣ ସମ୍ପର୍କରେ ଅବଗତ ଅଛନ୍ତି କି? ଯଦି ଅବଗତ ଅଛନ୍ତି, ତେବେ ଏଯାଏଁ କାହିଁକି ଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇନାହିଁ?
ସୌଜନ୍ୟ ସମ୍ବାଦ




