Greenland acquisition issue: ଗ୍ରୀନ୍ଲାଣ୍ଡ୍ ଅକ୍ତିଆର ପ୍ରସଙ୍ଗ: ଆମେରିକାକୁ ଜବାବ ଦେଲା ଡେନମାର୍କ ‘ଆଗ ଗୁଳି, ପରେ ପଚାରିବୁ’
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗ୍ରୀନ୍ଲାଣ୍ଡ୍ ଅକ୍ତିଆର ଧମକ ଭିତରେ ଡେନମାର୍କ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଡେନମାର୍କ ପ୍ରତିରକ୍ଷା ମନ୍ତ୍ରାଳୟ ଘୋଷଣା କରିଛି ଯେ, ଯଦି ଆମେରିକା ଗ୍ରୀନ୍ଲାଣ୍ଡ୍ ଆକ୍ରମଣ କରେ, ତେବେ ସୈନିକମାନେ....

କୋପେନହେଗନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗ୍ରୀନ୍ଲାଣ୍ଡ୍ ଅକ୍ତିଆର ଧମକ ଭିତରେ ଡେନମାର୍କ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଡେନମାର୍କ ପ୍ରତିରକ୍ଷା ମନ୍ତ୍ରାଳୟ ଘୋଷଣା କରିଛି ଯେ, ଯଦି ଆମେରିକା ଗ୍ରୀନ୍ଲାଣ୍ଡ୍ ଆକ୍ରମଣ କରେ, ତେବେ ସୈନିକମାନେ ନିର୍ଦ୍ଦେଶର ଅପେକ୍ଷା ନକରି ‘ପ୍ରଥମେ ଗୁଳି ଚଳାଇବେ ଏବଂ ପରେ ପ୍ରଶ୍ନ ପଚାରିବେ’। ଏହି ନିୟମ ୧୯୫୨ ମସିହାର ଏକ ପୁରୁଣା ଆଦେଶ ଉପରେ ଆଧାରିତ, ଯାହା ଆକ୍ରମଣ ସମୟରେ ତୁରନ୍ତ ପ୍ରତିଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥାଏ। ଗ୍ରୀନ୍ଲାଣ୍ଡ୍କୁ ନେଇ ଟ୍ରମ୍ପ କୌଣସି ଭ୍ରମରେ ରହିବା ଉଚିତ ନୁହେଁ ଏବଂ ତୁରନ୍ତ ଧମକପୂର୍ଣ୍ଣ ବାର୍ତ୍ତା ବନ୍ଦ କରିବା ଜରୁରୀ ବୋଲି ଡେନମାର୍କ କହିଛି।
‘ଆଗ ଗୁଳି, ପରେ ପଚାରିବୁ’
ଟ୍ରମ୍ପ ପ୍ରଶାସନ ଗ୍ରୀନ୍ଲାଣ୍ଡ୍କୁ ଜାତୀୟ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହି ଏହାକୁ କିଣିବା କିମ୍ବା ସୈନ୍ୟବଳ ବ୍ୟବହାର କରି ଅଧିକାର କରିବାର ବିକଳ୍ପ ଉପରେ ଆଲୋଚନା କରୁଛି ବୋଲି ହ୍ୱାଇଟ୍ ହାଉସ୍ ପ୍ରେସ୍ ସେକ୍ରେଟାରୀ କାରୋଲିନ୍ ଲେଭିଟ୍ କହିଛନ୍ତି। ସେଠାକାର ପ୍ରତ୍ୟେକ ବାସିନ୍ଦାଙ୍କୁ ୧ ଲକ୍ଷ ଡଲାର କ୍ଷତିପୂରଣ ଦେଇ ଆମେ ବିଦା କରିବୁ ବୋଲି ଆଜି ଆମେରିକାର ବୟାନକୁ ନେଇ ଡେନମାର୍କରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ ଗିରଫ କରିବା ପରେ ଟ୍ରମ୍ପ ଖଣିଜ ସଂପଦ ପାଇଁ ଗ୍ରୀନ୍ଲାଣ୍ଡ୍ ଅକ୍ତିଆର କରିବାକୁ ଘୋଷଣା କରିଛନ୍ତି। ଏହା ସହିତ ଆର୍କଟିକ୍ ଅଞ୍ଚଳରେ ରୁଷ୍ ଓ ଚୀନ୍ର ପ୍ରଭାବ ରୋକିବାକୁ ସେଠାରେ ଆମେରିକାର ସାମରିକ ଘାଟି ଜରୁରୀ ବୋଲି ଟ୍ରମ୍ପ ଦର୍ଶାଇଛନ୍ତି। ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସେନ୍ କହିଛନ୍ତି ଯେ, ଆମେରିକା ଏହିପରି ଆକ୍ରମଣ ଯଦି ଗ୍ରୀନ୍ଲାଣ୍ଡ୍ ଉପରେ କରିବ ତା’ହେଲେ ଏହା ‘ନାଟୋ’ର ଅନ୍ତ ଘଟାଇବ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ସ୍ଥାପିତ ସୁରକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିଦେବ। ଗ୍ରୀନ୍ଲାଣ୍ଡ୍ ଡେନମାର୍କର ସ୍ୱାୟତ୍ତଶାସିତ ଅଞ୍ଚଳ ଅଟେ ଏବଂ ଏହା ‘ବିକ୍ରି ପାଇଁ ନୁହେଁ’ ବୋଲି ଫ୍ରେଡେରିକସେନ୍ କହିଛନ୍ତି।
ସୌଜନ୍ୟ ସମ୍ବାଦ




