Weather Forecast: ବଙ୍ଗୋପସାଗରରେ ୧୩ରେ ଲଘୁଚାପ ସମ୍ଭାବନା, ଓଡ଼ିଶାରେ ବଡ଼ ବର୍ଷା ଆଶଙ୍କା କମ୍, ବିଜୟା ଦଶମୀରେ ପାଗ ସୁଧୁରିପାରେ

ଭୁବନେଶ୍ୱର,୧୦/୧୦: ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବଡ଼ ଧରଣର ବର୍ଷା ସମ୍ଭାବନା ନାହିଁ । ଏପରିକି ଦଶହରାବେଳକୁ ପାଗ ଶୁଖିଲା ରହିପାରେ । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ସୂଚନା ଅନୁସାରେ ଗଲ୍ଫ ଅଫ୍ ଥାଇଲାଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି । ଏହା ୧୧ ତାରିଖବେଳକୁ ଉତ୍ତର ଆଣ୍ଡାମାନକୁ ଆସିପାରେ । ଫଳରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ୧୩ ତାରିଖବେଳକୁ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି ।
ଅନୁମାନ କରାଯାଉଛି, ରାଜ୍ୟରେ ଲଗାଣ କିମ୍ବା ବଡ଼ ବର୍ଷା ସମ୍ଭାବନା କମ୍ । ଆସନ୍ତା ୬ ଦିନ ପର୍ଯ୍ୟନ୍ତ ଦିନ ଓ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହୋଇନପାରେ । ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ନିୟମିତ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ଗଞ୍ଜାମରୁ ବାଲେଶ୍ୱର ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ଓ ପାଖ ଜିଲ୍ଲାଗୁଡ଼ିକର ଗୋଟିଏ ଦୁଇଟି ଜାଗାରେ ଶନିବାର ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କିଛି ଜାଗାରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇପାରେ । ଶୁକ୍ରବାର ଭୁବନେଶ୍ୱର ସମେତ କେତେକ ସ୍ଥାନରେ ଘଡ଼ଘଡ଼ି ସହ ଅସରାଏ ଲେଖାଏଁ ବର୍ଷା ହୋଇଛି ।
ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ଟ୍ରଫଲାଇନ ବା ପୂର୍ବ ପଟୁ ପବନ ପ୍ରବାହ ଯୋଗୁ ୧୩ ତାରିଖରୁ ଓଡ଼ିଶାରେ ପାଗ ବଦଳିପାରେ । ୧୩ ରାତିରୁ ୧୫ ତାରିଖ ରାତି କିମ୍ବା ୧୬ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ବର୍ଷା ରହିପାରେ । ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଖୋର୍ଦ୍ଧା, କଟକ, ଯାଜପୁର, ମୟୂରଭଞ୍ଜ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ହୋଇପାରେ । ବ
ଭିନ୍ନ ଆକଳନ କରିଛନ୍ତି କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ । ତାଙ୍କ ପୂର୍ବାନୁମାନ ଅନୁସାରେ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିପାରେ । ହେଲେ ୧୭ରୁ ୧୯ ତାରିଖ (ସପ୍ତମୀରୁ ମହାନବମୀ) ପର୍ଯ୍ୟନ୍ତ ଦକ୍ଷିଣ ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ହାଲୁକା ଓ ଅଳ୍ପ କିଛି ଜାଗାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ହେଲେ ୨୦ ତାରିଖ ବିଜୟା ଦଶମୀରେ ପାଗ ସୁଧୁରିପାରେ ।
ସୌଜନ୍ୟ ପ୍ରମେୟ




