କୋଲକାତା: ତୃଣମୂଳ କଂଗ୍ରେସ (ଟିଏମ୍ସି) ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିପୁଳ ପରାଜୟ ବରଣ କରିବା ପରେ ଦଳ ଭିତରେ ମମତା ବାନାର୍ଜୀ ଓ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ତୀବ୍ର ବିରୋଧର ସମ୍ମୁଖୀନ ହେବାରେ ଲାଗିଛନ୍ତି। ଦଳର କେତେକ କର୍ମୀ ଓ ମୁଖପାତ୍ରଙ୍କ ବିରୋଧ ପରେ ସେମାନଙ୍କୁ ଟିଏମ୍ସିରୁ ନିଲମ୍ବନ କରାଯାଇଛି। ନିର୍ବାଚନରେ ପରାଜୟ ପରେ ଦଳବିରୋଧୀ ମନ୍ତବ୍ୟ ଯୋଗୁ ଶନିବାର ଟିଏମ୍ସି ଏହାର ତିନିଜଣ ମୁଖପାତ୍ରଙ୍କୁ ଛଅବର୍ଷ ପାଇଁ ନିଲମ୍ବନ କରିଥିଲା।
ଦଳର ପରାଜୟ ପରେ ଏମାନଙ୍କ ମନ୍ତବ୍ୟର ବିଶେଷ କୌଣସି ପ୍ରଭାବ ରହିବ ନାହିଁ କିମ୍ବା ଦଳର ଏକତା ପ୍ରତି କୌଣସି ବିପଦ ସୃଷ୍ଟି କରିବ ନାହିଁ ବୋଲି କୁହାଯାଇଛି। ଟିଏମ୍ସି ମୁଖପାତ୍ର ରିଜୁ ଦତ୍ତ ବିଭିନ୍ନ ବିତର୍କରେ ଦଳ ପକ୍ଷରୁ ଭାଗ ନେଉଥିବାବେଳେ ‘ଏକ୍ସ’ରେ ଏକ ଭିଡିଓ ଜାରି କରି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ କ୍ଷମା ମାଗିଛନ୍ତି। ଶୁଭେନ୍ଦୁ ଅଧିକାରୀ ବିରୋଧୀ ଦଳ ନେତା ଥିବାବେଳେ ତାଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେବାକୁ ଟିଏମ୍ସି ପକ୍ଷରୁ ତାଙ୍କ ଉପରେ ଚାପ ପକାଯାଉଥିଲା ବୋଲି ରିଜୁ ଦତ୍ତ କହିଛନ୍ତି। ବିଜେପି ତାଙ୍କୁ ସୁରକ୍ଷା ଓ ସମର୍ଥନ ଦେଇଥିବାରୁ ଦତ୍ତ କୃତଜ୍ଞତା ପ୍ରକାଶ କରିଥିଲେ।
ପୂର୍ବତନ କ୍ରିକେଟର ମନୋଜ ତିୱାରୀ ମଧ୍ୟ ଟିଏମ୍ସି ଉପରେ ବର୍ଷିିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ପକ୍ଷରୁ ପ୍ରତ୍ୟେକ ପ୍ରାର୍ଥୀଙ୍କଠାରୁ ଟିକେଟ୍ ପ୍ରଦାନ ପାଇଁ ୫ କୋଟି ଟଙ୍କା ଦାବି କରାଯାଇଥିଲା। ସେ ଦେବାକୁ ମନା କରିଦେଇଥିଲେ।
ସୌଜନ୍ୟ ସମ୍ବାଦ

