ସମ୍ବଲପୁର: ଏସଏମସି ଆଜ୍ଞା ମୁଁ ବେଲମତି ଭୂୟାଁ। ବୟସ ୭୫ କିନ୍ତୁ ମୁଁ ବଞ୍ଚିଛି। ସମ୍ବଲପୁର ସହର ମୋତିଝରଣରେ ମୋର ଘର। ଝିଆରୀ ସହିତ ରହୁଛି। ଆପଣ ଚାହିଁଲେ ଆମ ଘରକୁ ବୁଲି ଆସିପାରିବେ। ପଡ଼ୋଶୀଙ୍କୁ ପଚାରିଲେବି ଜାଣିପାରିବେ ଯେ ମୁଁ ବଞ୍ଚିଛି। କିନ୍ତୁ ଆପଣ ମତେ ୨ ବର୍ଷ ହେଲା ମାରି ଦେଇଛନ୍ତି। ସେଥିପାଇଁ ୨ ବର୍ଷ ହେଲା ବିଧବା ଭତ୍ତା ମିଳୁନି। ବହୁତ କଷ୍ଟ ହେଉଛି। ଟିକେ ଦେଖନ୍ତୁ ଭତ୍ତା ପ୍ରଦାନର ବ୍ୟବସ୍ଥା କରନ୍ତୁ ମରିଗଲେ ପଛେ ବନ୍ଦ କରିଦେବେ। ସମ୍ବାଦ ଜରିଆରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ଏବଂ ଏସଏମସି କମିସନରଙ୍କୁ ଜଣାଇଛନ୍ତି ବେଲମତି।
ବାରମ୍ବାର ସେ ଏସଏମସିର ଭତ୍ତା ଦାୟିତ୍ବରେ ଥିବା ଅଧିକାରୀ ଏବଂ କର୍ମଚାରୀଙ୍କୁ ଭେଟି ସେ ବଞ୍ଚିଥିବା ନେଇ ଜଣାଉଛନ୍ତି। କିନ୍ତୁ ଏସଏମସି କର୍ମଚାରୀ ଦସ୍ତାବେଜରେ ତାଙ୍କର ମୃତ୍ୟୁ ହୋଇ ସାରିଥିବା ଦେଖାଉଛନ୍ତି। ତେଣୁ ବାଧ୍ୟ ହୋଇ ବେଲମତି ସମ୍ବାଦ ଜରିଆରେ କମିସନରଙ୍କୁ ଏହି ନିବେଦନ କରିଛନ୍ତି। ବେଲମତି କହନ୍ତି, ତାଙ୍କ ବିବାହର କିଛି ବର୍ଷ ମଧ୍ୟରେ ସ୍ବାମୀ କେଉଁ ଆଡ଼କୁ ଚାଲିଗଲେ। ପରେ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଲେ। ତାଙ୍କର କୌଣସି ସନ୍ତାନ ନାହାନ୍ତି। ତେଣୁ ନିଜ ବିଧବା ଝିଆରୀ ସହିତ ରୁହନ୍ତି। ଝିଆରୀବି ବହୁତ ଗରିବ। ଭତ୍ତା ଟଙ୍କା ଏବଂ ରାସନ କାର୍ଡରେ ଉଭୟ ଚଳନ୍ତି। ରାସନ କାର୍ଡରେ ଚାଉଳ ମିଳୁଛି କିନ୍ତୁ ଭତ୍ତା ବନ୍ଦ ହୋଇଯାଇଛି।
ବିଶ୍ବାସ କରୁନାହିଁ ପ୍ରଶାସନ
୨୦୨୪ ମସିହାରେ ବେଲମତି ଅସୁସ୍ଥ ହୋଇଯିବାରୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଗଲା। ସେହି ସମୟରେ କିଛି ଦିନ ଭତ୍ତା ଆଣିବାକୁ ଯାଇ ପାରିଲେ ନାହିଁ। ପରେ ସୁସ୍ଥ ହୋଇ ଘରକୁ ଆସିଲେ। ଭତ୍ତା ଆଣିବା ପାଇଁ ଏସଏମସି କାର୍ଯ୍ୟାଳୟ ଯିବା ବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିବା ନେଇ ଏସଏମସି ପକ୍ଷରୁ କୁହାଯାଇଥିବା ସେ କହିଛନ୍ତି। ସେ ବଞ୍ଚିଥିବାରୁ ତାଙ୍କର ଭତ୍ତା ବ୍ୟବସ୍ଥା କରିବା ପାଇଁ କହିଥିଲେ। ମାତ୍ର କେହି ତାଙ୍କ କଥା ଶୁଣିଲେ ନାହିଁ। ପ୍ରାୟ ୫ ମାସ ପରେ ନୂତନ ଭତ୍ତା ପାଇଁ ପ୍ରଶାସନ ନିକଟରେ ଆବେଦନ କଲେ। କିନ୍ତୁ ସେ ମରିସାରିଥିବାରୁ ନୂତନ ଭତ୍ତା ବ୍ୟବସ୍ଥା ମଧ୍ୟ କରାଗଲା ନାହିଁ। ଏବେ ବେଲମତି ଗୋଟିଏ ଅଫିସରୁ ଆଉ ଗୋଟିଏକୁ ନିଜର ଜୀବିତ ରହିବାର ପ୍ରମାଣପତ୍ର ଧରି ଘୁରିବୁଲୁଛନ୍ତି, କିନ୍ତୁ ପ୍ରଶାସନ ବିଶ୍ବାସ କରିପାରୁ ନାହିଁ ଯେ ସେ ବଞ୍ଚିଛନ୍ତି ବୋଲି।
ସୌଜନ୍ୟ ସମ୍ବାଦ