ରାଜ୍ୟ

World Photography Day: ବିଶ୍ୱ ଫଟୋଗ୍ରାଫି ଦିବସ, ଫଟୋଗ୍ରାଫରଙ୍କ କ୍ୟାମେରାରେ କଥା କହୁଛି ଓଡ଼ିଶାର ଛବି !

ଭୁବନେଶ୍ୱର, ୧୯।୮: ପ୍ରତିଟି ଫଟୋ କଥା କହୁଛି । ଫଟୋଗ୍ରାଫରଙ୍କ ଦକ୍ଷତା ଓ ଧୈଯ୍ୟର କାହାଣୀ କହୁଛି । ଏହି ସୁଦକ୍ଷ ଫଟୋଗ୍ରାଫରମାନେ ଦିନେ କ୍ୟାମେରା ନ ଧରିଲେ ଏମାନଙ୍କ ମନ ବିକଳ ହୋଇପଡ଼େ । ଆଖିରେ ପିମ୍ପୁଡ଼ି ପଡ଼ୁପଛେ, କ୍ୟାମେରାରେ କଏଦ ହେଲା ପରେ ହିଁ ମନ ବୁଝେ । ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ଏହିଭଳି ତିନିଜଣ ବ୍ୟକ୍ତିତ୍ୱଙ୍କ ପାଖରେ ପହଞ୍ଚିଥିଲା ‘ପ୍ରମେୟ’ । ଫଟୋଗ୍ରାଫି ବିଷୟରେ ସେମାନଙ୍କ ଅନୁଭୂତି ଶୁଣିଥିଲା ।

ବାଘଙ୍କୁ ପୋଜ୍ ଦେବାକୁ କୁହନ୍ତି ଡା. ସୌମେନ୍ଦ୍ର:ପେଷାରେ ଦନ୍ତ ଚିକିତ୍ସକ । ହେଲେ ଫଟୋ ଉଠାଇବା ତାଙ୍କ ନିଶା । ସେ ଜଣେ ଧୁରୀଣ ୱାଇଲ୍ଡଲାଇଫ୍ ଫଟୋଗ୍ରାଫର । ଶିମିଳିପାଳରେ ବାଘ ଦେଖିଲେ ତାକୁ ପୋଜ୍ଦେବାକୁ କୁହନ୍ତି । ଚନ୍ଦକାରେ ହାତୀ ପଛରେ ଗୋଡ଼ାଇ ଗୋଡ଼ାଇ କ୍ୟାମେରାର ଲେନ୍ସରେ ଟାଣିଆଣନ୍ତି । ଡେବ୍ରିଗଡ଼ରେ କୃଷ୍ଣସାର ଓ ଚିଲିକାକୁ ଆସୁଥିବା ପରଦେଶୀ ଚଢ଼େଇଙ୍କ ପାଇଁ ସକାଳୁ ଜଗିବସନ୍ତି । ସମସ୍ତଙ୍କ ଫଟୋକୁ ଆକର୍ଷଣୀୟ ଭାବେ ତୋଳିଧରନ୍ତି ସେ । ଏଭଳି ଜଣେ ଫଟୋଗ୍ରାଫର ହେଲେ ଡାକ୍ତର ସୌମେନ୍ଦ୍ର ଷଡ଼ଙ୍ଗୀ (୬୮) । ଭୁବନେଶ୍ୱର ବାସିନ୍ଦା ଡା. ୮୦ଦଶକରୁ ଫଟୋଗ୍ରାଫିରେ ମନ ବଲାଇଥିଲେ । କଲେଜରେ ପଢ଼ିବା ବେଳେ ସେ ଫଟୋ ଉଠାଉଥିଲେ । ଡାକ୍ତର ହେବାପରେ ସଉକ ଅବସର ନେଇ ନଥିଲା । ବରଂ ଆହୁରି ବଢ଼ିଥିଲା । କାର୍ଯ୍ୟରୁ ବିରତ ନେଇ ସାଙ୍ଗସାଥୀଙ୍କ ସହ ଓଡ଼ିଶାର ଡେବ୍ରିଗଡ଼, ଟିକରପଡ଼ା, ସାତକୋଶିଆ, କୋରାପୁଟ, ବଣ୍ଡାଘାଟି ସହ ରାଜ୍ୟ ବାହାରେ ଥିବା କାହ୍ନା, ପେଂଚ୍, କର୍ବେଟ, ସୁନ୍ଦରବନ ଜଙ୍ଗଲ ଓ ସମୁଦ୍ର କୂଳକୁ ଧାଇଁ ପଶୁପକ୍ଷୀଙ୍କ ଫଟୋ ଉଠାନ୍ତି । ଆଜି ବି ସକ୍ରିୟ ଅଛନ୍ତି ।

ଦୁଃସାହସିକ ମନୋଜ:

ସେ ଗଛର ଶୀର୍ଷକୁ ଯାଇ ଉପରୁ ପଶୁପକ୍ଷୀଙ୍କ ଫଟୋ ଉଠାନ୍ତି । ପାଣି ଭିତରେ ପଶି ମଗର, ମାଛ, ଶୈବାଳକୁ କ୍ୟାମେରାରେ ତୋଳି ଧରନ୍ତି । ପୁଣି ପାହାଡ଼ ଉପରକୁ ଯାଇ ନିମ୍ନରେ ଥିବା ଲୋକଙ୍କୁ ବି କଏଦ କରନ୍ତି । ତାଙ୍କ ମତରେ ଫଟୋଗ୍ରାଫରମାନେ ହେଉଛନ୍ତି ସାହସୀ । ଯଦି ଆଖରେ ସେଭଳି କିଛି ରୋମାଞ୍ଚକର କିମ୍ବା ସ୍ୱତନ୍ତ୍ର ଦୃଶ୍ୟ ଆସେ, ଜଣେ ଫଟୋଗ୍ରାଫର ଷ୍ଟଣ୍ଟ୍ କରିପାରିବ । ତେଣୁ ଦୁଃସାହସ(ଆଡ୍ଭେଞ୍ଚର) ଫଟୋଗ୍ରାଫି ତାଙ୍କର ପସନ୍ଦ । ଏଭଳି ଜଣେ ଫଟୋଗ୍ରାଫର ହେଲେ ମନୋଜ କୁମାର ସାହୁ(୪୮) । ଗତ ୧୮ବର୍ଷ ମଧ୍ୟରେ ସେ ୭ଲକ୍ଷ ଫଟୋ ଉଠାଇସାରିଲେଣି । ରଘୁନାଥପୁର ବାସିନ୍ଦା ତଥା ଅବସରପ୍ରାପ୍ତ ଆଇଟି ପ୍ରଫେସନାଲ ଶ୍ରୀ ସାହୁ ଏବେ ଜଣେ ପ୍ରଫେସନାଲ ଫଟୋଗ୍ରାଫର । ଆନ୍ତର୍ଜାତିକ ସ୍ତରରେ ହେଉଥିବା ସ୍ପୋର୍ଟସ ବାଇକ୍ ପ୍ରତିଯୋଗିତାରେ ସେ ବାଇକରମାନଙ୍କ ଫଟୋ ଉଠାନ୍ତି । ଦେଶର ସମସ୍ତ ରାଜ୍ୟ ସହ ଥାଇଲାଣ୍ଡ, ଋଷିଆ, ଇରାନ, ଦୁବାଇ, ମ୍ୟାଁମାର, ଭୁଟାନ, ନେପାଳ, ବାଂଲାଦେଶ ଭଳି ୧୬ଟି ରାଜ୍ୟକୁ ଯାଇ ପଶୁ, ପକ୍ଷୀ, ମଣିଷ, ମନ୍ଦିର, ଜଳାଶୟ, ପାହାଡ଼ ଆଦିର ଫଟୋ ନେଇଛନ୍ତି ଶ୍ରୀ ସାହୁ । ଏଥିପାଇଁ ସେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପୁରସ୍କୃତ ହୋଇସାରିଛନ୍ତି ।

ସରୀସୃପଙ୍କ ସୁନ୍ଦର ଫଟୋ ଉଠାନ୍ତି ଶୁଭମ୍:

କାମରୁ ଫୁରସତ ମିଳିଲେ ଜଙ୍ଗଲରେ ଦିନରାତି ବୁଲନ୍ତି । ସାପ, ବେଙ୍ଗ, ଏଣ୍ଡୁଅ, କୁମ୍ଭୀର, ବାଦୁଡ଼ି ଭଳି ସରିସୃପଙ୍କ ସୁନ୍ଦର ସୁନ୍ଦର ଫଟୋ ଉଠାନ୍ତି । ତାଙ୍କ ଫଟୋ ଉଠା ଶୈଳୀ ବି ନିଆରା । ସେଥିପାଇଁ ତାଙ୍କୁ ଜଙ୍ଗଲ ବିଭାଗରୁ ବି ଡାକରା ପଡ଼େ । ଏଭଳି ଜଣେ ଫଟୋଗ୍ରାଫର ହେଉଛନ୍ତି ଯୁବ ଇଂଜିନିୟର ଶୁଭମ୍ ରାଉତ(୩୦) । ଭୁବନେଶ୍ୱରର ବାସିନ୍ଦା ଶୁଭମ୍ ଏବେ ରାୟଗଡ଼ାରେ ରହି କାମ କରୁଛନ୍ତି । ୨୦୧୩ରେ ଶୁଭମ୍ ବନ୍ୟପ୍ରାଣୀ ବିଭାଗର ରିସୋର୍ସପର୍ସନ ଭାବେ କାମ କରୁଥିଲେ । ବିଭାଗ ସହ ଚନ୍ଦକା, ଭରତପୁର, କପିଳାସ ଆଦି ଜଙ୍ଗଲକୁ ଯାଉଥିବା ବେଳେ ସେଠାରେ ବନ୍ୟପ୍ରାଣୀ ସହ ସରିସୃପଙ୍କୁ ଦେଖି ମୋବାଇଲରେ ତାଙ୍କ ଫଟୋ ଉଠାଉଥିଲେ । ସେ ସମୟରେ ଶୁଭମ କ୍ୟାମେରାରେ ଫଟୋ ଉଠାଇବା ଜାଣିନଥିଲେ । ମୋବାଇଲରେ ଉଠୁଥିବା ଫଟୋର କ୍ୱାଲିଟି ଭଲ ନଥିଲା । ଏଣୁ ଜିଦିରେ ସେ ୨୦୧୭ରେ ୱେଡିଂ ଫଟୋସୁଟ୍କୁ ଯାଇ କ୍ୟାମେରାରେ ଫଟୋ ଉଠା ଶିଖିଥିଲେ । ସେଇଠୁ ଆରମ୍ଭ ହୋଇଥିଲା ଯାତ୍ରା । ଧୀରେ ଧୀରେ ସେ ସିଦ୍ଧହସ୍ତ ହୋଇଗଲେ । ଆଜି ପର୍ଯ୍ୟନ୍ତ ସେ ୧ଲକ୍ଷ ଫଟୋ ଉଠାଇଛନ୍ତି । ସେଥିରୁ ୮୦ ପ୍ରତିଶତ ସରିସୃପଙ୍କ ଫଟୋ ରହିଛି ।

ଫଟୋ ଷ୍ଟୁଡିଓରୁ ସ୍ମାର୍ଟଫୋନ୍ ନିରବି ଯାଉଛି କ୍ୟାମେରା କ୍ଲିକ୍:

ଡିଜିଟାଲ୍ ଯୁଗରେ ହଜିବାକୁ ବସିଲାଣି ଫଟୋ ଷ୍ଟୁଡିଓ । ପୂର୍ବରୁ ମାଳ ମାଳ ଫଟୋ ଷ୍ଟୁଡିଓ ଥିଲା । ପରିବାରର ସଦସ୍ୟଙ୍କ ଫଟୋ ଉଠାଇବା, ପର୍ବପର୍ବାଣି କିମ୍ବା କୌଣସି ଖାସ୍ ସମୟକୁ ସାଉଁଟି ରଖିବା ପାଇଁ ଲୋକେ ଷ୍ଟୁଡିଓ ସାମ୍ନାରେ ଧାଡ଼ି ବାନ୍ଧୁଥିଲେ । ରଙ୍ଗୀନ ଆଲୋକ ପଛପଟେ ଝୁଲୁଥିବା କଳାଧଳା ପରଦା, ଆଉ କ୍ୟାମେରାମ୍ୟାନ୍‌ଙ୍କ “ସ୍ମାଇଲ୍ ପ୍ଲିଜ୍’ ଶବ୍ଦ ଭିତରେ କଏଦ୍ ହେଉଥିଲା ଜୀବନର ସୁନ୍ଦର ସ୍ମୃତି । କିନ୍ତୁ ଆଜିର ସ୍ମାର୍ଟଫୋନ୍ ଯୁଗରେ ସେହି ଫଟୋ ଷ୍ଟୁଡିଓ ଗୁଡ଼ିକ ଧୀରେ ଧୀରେ ହଜିବାକୁ ବସିଲାଣି । ପୂର୍ବରୁ କଳା-ଧଳା ଫଟାର ପ୍ରଚଳନ ଥିଲା । ଫଟୋ ଉଠିବା ପରେ କଳାକାରମାନେ ନିଜ ହାତରେ ତାକୁ ରଙ୍ଗୀନ ରୂପ ଦେଉଥିଲେ । ୧୯୮୨ରେ ପ୍ରଥମ କରି ମମ୍ବାଇରେ ରଙ୍ଗୀନ ଫଟୋ ପ୍ରିଣ୍ଟ ବାହାରିଥିଲା । ୧୯୮୪-୮୫ ମସିହା ବେଳକୁ ଓଡ଼ିଶାରେ ରଙ୍ଗୀନ ଫଟୋର ପ୍ରବେଶ ହେଲା । ସେହି ସମୟରେ ଗୋଟିଏ ଫଟୋ ପାଇଁ ମାତ୍ର ୩ରୁ ୪ ପଇସା ଖର୍ଚ୍ଚ ହେଉଥିଲା । ପରେ ୧୯୯୫ରେ କୋଲକାତାରେ ଫଟୋ ଲ୍ୟାବ୍ ବସିବା ପରେ ଗୋଟିଏ ସପ୍ତାହରେ ଫଟୋ ମିଳିଯାଉଥିଲା ।

୨୦୦୧ରୁ କଟକରେ ଲ୍ୟାବ୍ ହେବା ପରେ ଲୋକମାନେ ରଙ୍ଗୀନ ଫଟୋର ସୁବିଧା ପାଇଲେ । ସେତେବେଳେ ଫଟୋ ସହିତ ଏହାର ନେଗେଟିଭ୍କୁ ଲୋକମାନେ ସାଇତି ରଖୁଥିଲେ, ଯାହା ଲୋକଙ୍କ ପାଇଁ ଏକ ବଡ଼ ଆକର୍ଷଣ ଥିଲା । ଫଟୋ ଆସିବା ପରେ ପରିବାରର ସମସ୍ତେ ମିଶି ତାହାକୁ ଦେଖିବାରେ ଯେଉଁ ଖୁସି ମିଳୁଥିଲା, ତାହା ବର୍ଣ୍ଣନାତୀତ । ମୋବାଇଲ୍ ଓ ଡିଜିଟାଲ୍ ଯୁଗରେ ମଧ୍ୟ ଅନେକ ପୁରୁଣା ଫଟୋକୁ ଲୋକମାନେ ଏବେ ବି ଆଲବମ୍ରେ ସାଇତି ରଖିଛନ୍ତି । ବର୍ତ୍ତମାନ ସ୍ମାର୍ଟଫୋନ୍ ଓ ଡିଜିଟାଲ୍ କ୍ୟାମେରା ଯୁଗରେ ସବୁକିଛି ବଦଳି ଯାଇଛି । ପ୍ରତ୍ୟେକ ବ୍ୟକ୍ତିଙ୍କ ହାତରେ ଆଜି ଉଚ୍ଚମାନର କ୍ୟାମେରା ଥିବା ମୋବାଇଲ୍ ଫୋନ୍ । କ୍ଷଣକ ମଧ୍ୟରେ ଫଟୋ ଉଠାଇ ଫିଲ୍ଟର୍ ଲଗାଇ ରଙ୍ଗୀନ ଫଟୋ ପାଇଯାଉଥିବାରୁ ଲୋକେ ଫଟୋ ଷ୍ଟୁଡିଓକୁ ଯିବାର ଆବଶ୍ୟକତା ଅନୁଭବ କରୁନାହାନ୍ତି ।

ମୋବାଇଲ୍ କ୍ରେଜ୍ ଯୋଗୁଁ ଗାଁ ଓ ସହରରେ ଥିବା ଷ୍ଟୁଡିଓ ବନ୍ଦ ହେବା ଉପରେ । ପାସପୋର୍ଟ ସାଇଜ୍ ଫଟୋ ବ୍ୟତୀତ ଅନ୍ୟ କୌଣସି କାରଣରୁ ଲୋକେ ଷ୍ଟୁଡିଓ ମୁହାଁ ହେଉନାହାନ୍ତି । ଯେଉଁ ଫଟୋଗ୍ରାଫରମାନେ ଆଲୋକ ଓ ଫ୍ରେମ୍କୁ ସଠିକ୍ କରିବା ପାଇଁ ବର୍ଷ ବର୍ଷର ସାଧନା କରିଥିଲେ, ଆଜି ସେମାନେ କେବଳ ପାସପୋର୍ଟ ଫଟୋ ପ୍ରିଣ୍ଟ କରି ନିଜର ପେଟ ପୋଷିବାକୁ ବାଧ୍ୟ ହେଉଛନ୍ତି । ଯେଉଁ ଷ୍ଟୁଡିଓ ଦିନେ ଲୋକଙ୍କ ଖୁସିର ସାକ୍ଷୀ ଥିଲା, ତାହା ଆଜି ନିଜର ସତ୍ତା ବଞ୍ଚାଇବା ପାଇଁ ସଂଘର୍ଷ କରୁଛି । ପ୍ରଯୁକ୍ତିବିଦ୍ୟାର ବେଗରେ ସ୍ମୃତିଗୁଡ଼ିକ ଡିଜିଟାଲ୍ ହୋଇଯାଇଛି ସତ, କିନ୍ତୁ ଆଲବମ୍ରେ ଥିବା କାଗଜ ଫଟୋର ବାସ୍ନା ଆଜି ନିଖୋଜ ହେବା ଅବସ୍ଥାରେ ପହଞ୍ଚିଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button