ଅପରେସନ୍ ‘ଅନ୍ୱେଷଣ’ରେ ୧୭ ରାଜ୍ୟରୁ ୧୦୧ ଶିଶୁ ଉଦ୍ଧାର, ଆହୁରି ଅନେକଙ୍କ ମିଳିନି ପତ୍ତା, ଚାଲିଛି ଚଢଉ

ଭୁବନେଶ୍ୱର, ୧୧/୯ : ବାହାର ରାଜ୍ୟରେ ନିଖୋଜ, ଶିଶୁ ଶ୍ରମରେ ନିୟୋଜିତ କିମ୍ୱା ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନରେ ଫସି ରହିଥିବା ୧୦୧ ଓଡ଼ିଆ ଶିଶୁଙ୍କୁ ଚିହ୍ନଟ କରି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏହି ଶିଶୁମାନେ ୧୭ଟି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିଲେ । ଅପରେସନ୍ ‘ଅନ୍ୱେଷଣ’ ଦ୍ୱାରା ଏହା ସଫଳ ହୋଇଛି । ଉଦ୍ଧାର ହୋଇଥିବା ଶିଶୁଙ୍କ ମଧ୍ୟରେ ୫୪ ଜଣ ବାଳକ ଥିବାବେଳେ ୪୭ ଜଣ ବାଳିକା ଅଛନ୍ତି । ଏନେଇ ସାମ୍ୱାଦିକ ସମ୍ମିଳନୀରେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ଏଡିଜି ଏସ୍ ସାଇନି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ନିଖୋଜ ହୋଇଥିବା ଶିଶୁମାନଙ୍କୁ ଓଡ଼ିଶା ଫେରାଇ ଆଣିବା ଉଦ୍ଦେଶ୍ୟରେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ପକ୍ଷରୁ ୧୧ ଦିନିଆ ସ୍ୱତନ୍ତ୍ର ଅଭିଯାନ “ଅପରେସନ୍ ଅନ୍ୱେଷଣ’ ଆରମ୍ଭ ହୋଇଥିଲା । ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ସହଯୋଗରେ ଅଗଷ୍ଟ ୨୮ରୁ ସେପ୍ଟେମ୍ୱର ୮ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିଥିଲା । ୧୭ଟି ରାଜ୍ୟରୁ ମାଟ ୧୦୧ ଜଣ ଓଡ଼ିଆ ଶିଶୁଙ୍କୁ ଚିହ୍ନଟ କରି ଉଦ୍ଧାର କରାଯାଇଛି । ପଶ୍ଚିମବଙ୍ଗରୁ ସର୍ବାଧିକ ୩୦ ଜଣ ଶିଶୁ ଉଦ୍ଧାର କରାଯାଇଥିବା ବେଳେ କର୍ଣ୍ଣାଟକରୁ ୧୧, ଝାଡ଼ଖଣ୍ଡରୁ ୧୦ ଓ ତାମିଲନାଡୁରୁ ୧୦ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଓଡ଼ିଶା ପୁଲିସ୍ର ଡିଏସ୍ପି ପାହାର ଅଧିକାରୀ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ଲିଗାଲ୍ କମ୍ ପ୍ରାବେସନ୍ ଅଫିସରମାନଙ୍କୁ ନେଇ ଗଠିତ ୧୭ଟି ଟିମ୍ ୧୭ଟି ରାଜ୍ୟରେ ଏହି ଅଭିଯାନ ଚଳାଇଥିଲେ । ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଆସାମ, ବିହାର, ଝାଡ଼ଖଣ୍ଡ, ହରିୟାଣା, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ନୂଆଦିଲ୍ଲୀ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜରାଟ ଓ କେରଳରେ ଏହି ଅଭିଯାନ ଚାଲିଥିଲା ।
ବାଲେଶ୍ୱର ପୂର୍ବାଞ୍ଚଳ ରେଞ୍ଜ ଡିଆଇଜି ପିନାକ ମିଶ୍ରଙ୍କ ତ୍ୱାବଧାନରେ ଡିଏସ୍ପି ବାମଦେବ ନନ୍ଦଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗରୁ ୩୦ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ସେହିପରି ବ୍ରହ୍ମପୁର ଦକ୍ଷିଣାଞ୍ଚଳ ରେଞ୍ଜର ଡିଏସ୍ପି ପ୍ରଶାନ୍ତ କୁମାର ପାତ୍ରଙ୍କ ନେତୃତ୍ୱରେ କର୍ଣ୍ଣାଟକରୁ ୧୧ ଜଣ, ଉତ୍ତର କେନ୍ଦ୍ରାଞ୍ଚଳ ରେଞ୍ଜର ଡିଏସ୍ପି ଜ୍ୟାତ୍ସ୍ନାରାଣୀ ବେହେରାଙ୍କ ନେତୃତ୍ୱରେ ଝାଡ଼ଖଣ୍ଡରୁ ୧୦ ଜଣ ଏବଂ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ରେଞ୍ଜର ଡିଏସ୍ପି ଗିରିଜାନନ୍ଦନ ପଟ୍ଟନାୟକଙ୍କ ନେତୃତ୍ୱରେ ତାମିଲନାଡୁରୁ ୧୦ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ପୁଲିସ୍ର ସହଯୋଗରେ ବିଭିନ୍ନ ଲେବର ସାଇଟ୍ ଓ ଶିଶୁ ଯତ୍ନ ଅନୁଷ୍ଠାନରେ ଚଢ଼ାଉ କରାଯାଇ ଶିଶୁମାନଙ୍କୁ ଉଦ୍ଧାର କରାଯାଇଥିଲା ।
ସୌଜନ୍ୟ ପ୍ରମେୟ




