ଓଡ଼ିଶା ଆକାଶରେ ଉଡ଼ିବେ ପର୍ଯ୍ୟଟକ, ଶୀତଦିନେ ଆରମ୍ଭ ହେବ ହଟ୍ ଏୟାର ବେଲୁନ୍ ରାଇଡ୍

ଭୁବନେଶ୍ୱର ୧୬/୧୧: ଏବେ ପର୍ଯ୍ୟଟକ ମାନଙ୍କୁ ଆକାଶରେ ଉଡ଼ି ଉପରୁ ଓଡ଼ିଶାର ସୌନ୍ଦର୍ଯ୍ୟ ଦେଖିବାର ମିଳିବ ସୁଯୋଗ। ପର୍ଯ୍ୟଟକଙ୍କ ପାଇଁ ଆସୁଛି ଏକ ନୂଆ ରୋମାଞ୍ଚକର ଅନୁଭୂତି। ଖୁବଶୀଘ୍ର ଓଡ଼ିଶାରେ ଆରମ୍ଭ ହୋଇପାରେ ହଟ୍ ଏୟାର ବେଲୁନ୍ ରାଇଡ୍। ଏଥିପାଇଁ ଓଡ଼ିଶା ପର୍ଯ୍ୟଟନ ନିଗମ (OTDC) ପକ୍ଷରୁ ଟେଣ୍ଡର ଜାରି କରାଯାଇଛି। ପ୍ରାଥମିକ ଯୋଜନା ଅନୁସାରେ ରାଜ୍ୟର ତିନୋଟି ପ୍ରମୁଖ ସ୍ଥାନ ଭୁବନେଶ୍ୱର, ଜୟପୁର ଓ ହୀରାକୁଦରେ ଏହି ଆକର୍ଷଣୀୟ ରାଇଡ୍ ଆରମ୍ଭ କରିବାକୁ ଯୋଜନା ରହିଛି। ଏଥିପାଇଁ ମୋଟ୍ ୧୮ଟି ହଟ୍ ଏୟାର ବେଲୁନ୍ ରଖାଯିବ। ସେଥିମଧ୍ୟରୁ ୧୫ଟି ବେଲୁନ୍ କାର୍ଯ୍ୟକ୍ଷମ ରହିବାକୁ ଥିବାବେଳେ ଅନ୍ୟ ୩ଟି ଷ୍ଟାଣ୍ଡବାଏ ଭାବେ ରହିବ।
ଏହି ପ୍ରକଳ୍ପର ପରିଚାଳନା ଦାୟିତ୍ୱ ଏକ ମନୋନୀତ ଘରୋଇ ସଂସ୍ଥାକୁ ଦିଆଯିବ। ତିନି ବର୍ଷ ପାଇଁ ସଂସ୍ଥାଟି ଏହାର ପରିଚାଳନା କରିବ। OTDCର ପ୍ରାଥମିକ କାର୍ଯ୍ୟସୂଚୀ ଅନୁସାରେ, ଡିସେମ୍ବର ୧୨ରୁ ୧୮ ତାରିଖ ମଧ୍ୟରେ ଜୟପୁରରେ ହଟ୍ ଏୟାର ବେଲୁନ୍ ରାଇଡ୍ ଆରମ୍ଭ କରିବାର ଯୋଜନା ରହିଛି। ସେହିପରି ଡିସେମ୍ବର ୨୫ରୁ ୩୧ ମଧ୍ୟରେ ଭୁବନେଶ୍ୱରରେ ଏହାର ଶୁଭାରମ୍ଭ ହୋଇପାରେ। ନୂଆବର୍ଷରେ ଅର୍ଥାତ୍ ଜାନୁଆରୀ ୧୧ରୁ ୧୭ ତାରିଖ ମଧ୍ୟରେ ହୀରାକୁଦରେ ଏହି ରାଇଡ୍ ଆରମ୍ଭ କରିବାକୁ ଯୋଜନା ରହିଛି।ଯଦି ଯୋଜନା ଅନୁସାରେ ସବୁକିଛି ଠିକ୍ ରହେ, ତେବେ ଏହି ଶୀତଋତୁରେ ପର୍ଯ୍ୟଟକମାନେ ଓଡ଼ିଶାର ଆକାଶରେ ଉଡ଼ିବାର ରୋମାଞ୍ଚକର ଅନୁଭୂତି ପାଇପାରିବେ। ଏହାଦ୍ୱାରା ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ନୂଆ ପରିଚୟ ମିଳିବା ସହ ଅଧିକ ପର୍ଯ୍ୟଟକ ଆକୃଷ୍ଟ ହେବାର ଆଶା ରହିଛି।ତେବେ ଏହି ରାଇଡ୍ ପାଇଁ ଟିକେଟ୍ ମୂଲ୍ୟ, ସମୟ ଏବଂ ବୁକିଂ ବ୍ୟବସ୍ଥା ସମ୍ପର୍କରେ ଏପର୍ଯ୍ୟନ୍ତ ବିସ୍ତୃତ ସୂଚନା ମିଳିନାହିଁ।
ସୌଜନ୍ୟ ପ୍ରମେୟ




