ରାଜ୍ୟ

କଟକ ଚଣ୍ଡୀଙ୍କ ପୀଠରେ ଆଜି ଷୋଳ ପୂଜା, ସହସ୍ର କୁମ୍ଭାଭିଷେକ ହେବା ସହିତ ପୀଠରେ କରାଯିବ ଘଟ ସ୍ଥାପନ

କଟକ, ୩/୧୦ : ଆଜି ପବିତ୍ର ମୂଳାଷ୍ଟମୀରୁ ଶକ୍ତିପୀଠ ମାନଙ୍କରେ ଆରମ୍ଭ ହେବ ଶାରଦୀୟ ପର୍ବ । କଟକର ପ୍ରସିଦ୍ଧ ଶକ୍ତି ପୀଠମାନଙ୍କ ଭିତରୁ କଟକ ଚଣ୍ଡୀ ମନ୍ଦିର ଏବଂ ଗଡ଼ଚଣ୍ଡୀ ମନ୍ଦିରରେ ସମସ୍ତ ଆୟୋଜନ ସରିଛି । ଚଳିତ ବର୍ଷ ପୀଠମାନଙ୍କରେ ଶାରଦୀୟ ଦଶହରା ପର୍ବ ଆଜିଠାରୁ ଆରମ୍ଭ ହେବ । ୨୧ ତାରିଖ ବୁଧବାର ଦିନ ପାଳିତ ହେବ ବିଜୟା ଦଶମୀ ପର୍ବ । ଏହି ଷୋଡ଼ଶ ଦିନାତ୍ମକ ପୂଜାରେ ପ୍ରତ୍ୟେହ ମାଆ କଟକ ଚଣ୍ଡୀ ଭିନ୍ନ ଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଆଜି ସହସ୍ର କୁମ୍ଭାଭିଷେକ ହେବା ସହିତ ପୀଠରେ ଘଟ ସ୍ଥାପନ କରାଯିବ । ତା ପରଠାରୁ ଆରମ୍ଭ ହେବ ଶାରଦୀୟ ପର୍ବ । ସେହିପରି କଟକର ଝାଞ୍ଜିରିମଙ୍ଗଳା ମନ୍ଦିରରେ ମଧ୍ୟ ଆଜି ସ୍ବତନ୍ତ୍ର ନୀତିକାନ୍ତି ହେଉଛି । ଆଜି ଘଟ ଶୋଭାଯାତ୍ରା ଆୟୋଜନ କରାଯାଇଛି ।

ରବିବାର ଠାରୁ ୧୬ ବେଶରେ ଦର୍ଶନ ଦେବେ କଟକ ଚଣ୍ଡୀ । କିନ୍ତୁ ଗତ ୪ବର୍ଷ ଧରି ଏଥର ମଧ୍ୟ ମା’ କଟକ ଚଣ୍ଡୀଙ୍କ ପ୍ରକଳ୍ପ କାମ ଏବେ ଯାଏ ସରିଲାନି । ଏବେ କଟକ ଜିଲ୍ଲା ପ୍ରଶାସନ ଅକ୍ଟୋବର ପ୍ରଥମ ସପ୍ତାହରେ କଟକ ଚଣ୍ଡୀ ମନ୍ଦିର ଉଦ୍‌ଘାଟନ କରିବାକୁ ଲକ୍ଷ୍ୟ ରଖିଥିଲେ ବି ଫେଲ୍‌ ମାରିଛି । ଶୁଣାଯାଉଛି ଆସନ୍ତା ସପ୍ତାହେ ମଧ୍ୟରେ ମନ୍ଦିର ଉଦ୍‌ଘାଟନ ହେବ । କିନ୍ତୁ ନୂଆ ମନ୍ଦିର ପ୍ରତିଷ୍ଠା ନକରି ଉଦ୍‌ଘାଟନ ପାଇଁ ପ୍ରଶାସନ ତରବର ହେବାକୁ ନେଇ ପ୍ରଶ୍ନ ଉଠିଛି । ୪ବର୍ଷ ଧରି ଅଧାଗଢ଼ା ମନ୍ଦିରରେ ପୂଜା ପାଉଛନ୍ତି ମା’ କଟକ ଚଣ୍ଡୀ । ମା’ଙ୍କ ସବୁଠାରୁ ବଡ଼ ପର୍ବ ହେଉଛି ଦୁର୍ଗାପୂଜା । କିନ୍ତୁ ଏବେ ଦୁର୍ଗାପୂଜା ମୁଣ୍ଡ ଉପରେ ପହଞ୍ଚିଲାଣି । କଟକ ଚଣ୍ଡୀଙ୍କ ସବୁଠାରୁ ବଡ଼ପର୍ବ ଷୋଡ଼ଶ ଉପଚାର ପୂଜା ରାତି ପାହିଲେ ଆରମ୍ଭ ହେବ । କିନ୍ତୁ ଏବେ ଯାଏ ମନ୍ଦିର ପ୍ରକଳ୍ପ ଚୂଡ଼ାନ୍ତ ହୋଇପାରିଲାନି । ମନ୍ଦିର ପଲିସିଂ କରାଯାଇନାହିଁ । ମୁଖ୍ୟଗେଟ୍‌ ଲାଗିନାହିଁ । ଯଜ୍ଞମଣ୍ଡପ କାମ ଏବେ ଯାଏ ଚାଲିଛି । ରୋଷଘରୁ ପାଣି ଗଳୁଛି । ରୋଷଘରେ ପଥର ଘେରା କାମ ବି ସରିନି । ଯଦିଓ ମୁଖ୍ୟମନ୍ଦିର କାମ ପ୍ରାୟ ଚୂଡ଼ାନ୍ତ ହୋଇସାରିଛି, କିନ୍ତୁ ପାଶ୍ୱର୍ଦେବଦେବୀ ମନ୍ଦିର, ଯଜ୍ଞବେଦି ଭଳି ବିଭିନ୍ନ କାମ ଏବେ ବି ଅଧୁରା । ଶ୍ରଦ୍ଧାଳୁଙ୍କ ପାଇଁ ଏବେ ଯାଏ କୌଣସି ସୂଚାରୁ ବ୍ୟବସ୍ଥା ହୋଇପାରିଲାନି । ଏତେ ଦିନ ଧରି ପ୍ରକଳ୍ପ କାମ ମନ୍ଥର ଗତିରେ ଚାଲୁଥିବା ବେଳେ ଏବେ ଶେଷ ମୁହୂର୍ତ୍ତ ଯାଏ କାହିଁକି ଲମ୍ବାଯାଉଛି ତାକୁ ନେଇ ପ୍ରଶ୍ନ ଉଠୁଛି । ଏଭଳି ଅବ୍ୟବସ୍ଥାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button