ରାଜ୍ୟ

କୌଶଲ୍ୟାଗଙ୍ଗ ଗର୍ଭରେ ଇତିହାସର କରୁଣ କାହାଣୀ, ରାଜମହଲ ଛାଡ଼ି ଜଳାଶୟ ମଝିରେ ନିର୍ବାସନ ଦଣ୍ଡ ଭୋଗିଥିଲେ ରାଜଜେମା

ଭୁବନେଶ୍ଵର, ବିଜୟ ମିଶ୍ର, ୨୮/୧୧ : ସଖୀ ଓ ପୋଇଲିଙ୍କ ଗହଣରେ ରାଣୀହଂସପୁରରେ ରହୁଥିଲେ ରାଜଜେମା । ହେଲେ ଏମିତି କ’ଣ ଘଟିଗଲା ଯେ ତାଙ୍କୁ ରାଜମହଲର ବିଳାସବ୍ୟସନ ଛାଡ଼ି ଏକ ଜଳାଶୟର ମଧ୍ୟଭାଗରେ ନିର୍ବାସନ ଦଣ୍ଡ ଭୋଗିବାକୁ ପଡ଼ିଲା । ତାଙ୍କ ଆଖିରୁ କେତେ ଲୁହ ଝରି ଝରି ସେ ବିଶାଳ ଜଳାଶୟର ଜଳରାଶିରେ ମିଳେଇଗଲା । କିନ୍ତୁ ଦୁଃଖଦୁର୍ଦ୍ଦଶାରୁ ତାଙ୍କୁ ମୁକ୍ତି ମିଳିଲା ନାହିଁ । ଶେଷରେ ସେଇଠି ତାଙ୍କ ଜୀବନ ଦୀପ ଲିଭିଗଲା । ଇତିହାସର ଏହି କରୁଣ କାହାଣୀର ସ୍ମୃତି ଲୁଚି ରହିଛି ରାଜଧାନୀ ଉପକଣ୍ଠ ବିଶାଳ ଜଳସୈରାତ କୌଶଲ୍ୟାଗଙ୍ଗ ଜଳରାଶିରେ । ସେ ରହସ୍ୟ ଉନ୍ମୋଚନ କରିବାକୁ ହେଲେ ୧୦୦୦ ବର୍ଷ ତଳର ପୁରୁଣା ପୃଷ୍ଠା ଓଲଟାଇବାକୁ ପଡ଼ିବ ।

ଏକାଦଶ ଶତାଦ୍ଦୀର କଥା । ଗଙ୍ଗା ଠାରୁ ଗୋଦାବରୀ ଯାଏଁ ସାମ୍ରାଜ୍ୟର ଅଧିକାରୀ ସମ୍ରାଟ ଚୋଳଗଙ୍ଗ ଦେବ । କଟକ ବାରବାଟୀ ଦୁର୍ଗରେ ସୈନ୍ୟଛାଉଣୀ, ପାରିଷଦବର୍ଗ ଓ ରାଜଉଆସ । ପରମ ବୈଷ୍ଣବ ଚୋଳଗଙ୍ଗଦେବ ବାରବାଟୀ ଦୁର୍ଗରେ ପ୍ରତିଷ୍ଠିତ ଠାକୁର ଘରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଆଗରେ ଧ୍ୟାନରତ । ଆଖିରୁ ଧାର ଧାର ଲୁହ ବହିଯାଉଛି । ମହାରାଜ ଠାକୁରଙ୍କୁ ପୂଜାର୍ଚ୍ଚନା ଓ ପ୍ରାର୍ଥନା କଲା ପରେ ଗୁପ୍ତ ମନ୍ତ୍ରଣା କକ୍ଷକୁ ଆସିଲେ । ସେଠାରେ ପୂର୍ବରୁ ଅପେକ୍ଷାରତ ରାଜଗୁରୁ ଓ ବିଶ୍ୱସ୍ତ ମନ୍ତ୍ରୀ ପାରିଷଦଙ୍କ ସହିତ ଉପବେଶନ କଲେ । କହିଲେ କେଡ଼େ ବଡ଼ ବଦନାମ ମୁଁ ମୁଣ୍ଡେଇବି । ମୋ ଭଉଣୀ କୌଶଲ୍ୟାକୁ ମୁଁ କେଉଁଥିରେ ହେଳା କରିଥିଲି ଯେ ସେ ଏତେ ତଳକୁ ଖସିଗଲା । ମୋ ଭୃତ୍ୟ ସହିତ ସମ୍ପର୍କ ରଖି ଗର୍ଭବତୀ ହେଲା । ସେଥିରେ ପଶ୍ଚାତାପ ବି ଟିକେ ନାହିଁ । ତାକୁ ତ ମୃତ୍ୟୁ ଦଣ୍ଡାଦେଶ ମୁଁ ଦେଇପାରିବି ନାହିଁ । କି ଦଣ୍ଡ ଦେଲେ ଏଭଳି ବ୍ୟଭିଚାରରୁ ଦୂରରେ ରହିବା ପାଇଁ ମୋ ପ୍ରଜା ଶିକ୍ଷା ପାଇବେ ପରାମର୍ଶ ଦିଅନ୍ତୁ । ମନ୍ତ୍ରୀ ପାରିଷଦ କିଛି ପରାମର୍ଶ ଦେବା ପାଇଁ ସାହସ କଲେ ନାହିଁ । ରାଜଗୁରୁ ସାହସ ଜୁଟାଇ କହିଲେ, ମହାରାଜ ଏ ପାପରୁ ମୁକ୍ତି ପାଇବା ପାଇଁ ବାଟ ରହିଛି । ଆଗାମୀ ଅଷ୍ଟମୀ ତିଥି ପ୍ରତ୍ୟୁଷରେ କୌଶଲ୍ୟା ଏକ ମନ୍ତ୍ରୋସିଦ୍ଧ ପୂର୍ଣ୍ଣକଳସୀ ଜଳ ମୁଣ୍ଡାଇ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିବେ । ତାଙ୍କ ଚାରିପଟେ ରାଣୀ ହଂସପୁରର ସଖୀ, ପୋଇଲିମାନେ ରହିବେ । ପଛରେ ଗଜ ଓ ଅଶ୍ୱାରୋହୀମାନେ ରହି ସୁରକ୍ଷା ଦେବେ । ସେ ମାଠିଆରେ ଏକ କ୍ଷୁଦ୍ର ଛିଦ୍ର ରହିବ । ସେପଟେ ପାଣି ବାହାରି ମାଟିରେ ପଡ଼ୁଥିବ । ଯେଉଁଠି ମାଠିଆରୁ ପାଣି ଶେଷ ହୋଇଯିବ ସେଠାରେ ଆପଣ ଏକ ବିଶାଳ ପୁଷ୍ପରିଣୀ ଖୋଳିବେ । ପୁଷ୍ପରିଣୀର ମଝିରେ ଏକ ଉଆସ ତୋଳିବେ । ସେଇଠି କୌଶଲ୍ୟା ସଖୀ, ପୋଇଲି, ଧାଇଙ୍କ ସହିତ ରହିବ । ନିର୍ବାସନ ଦଣ୍ଡ ସରିଲା ବେଳକୁ ପିଲା ବଡ଼ ହୋଇଯାଇଥିବ । ଏହାପରେ କୌଶଲ୍ୟା ଓ ତା’ ପିଲାକୁ ଆପଣ ଘରକୁ ଆଣିପାରିବେ ।

ପ୍ରଜାଗଣ ଏହି ବ୍ୟଭିଚାର ସମ୍ପର୍କରେ ତିଳେ ବି ସୂଚନା ପାଇବେ ନାହିଁ । ପାପ ଭାରରୁ ଆପଣ ମୁକ୍ତି ପାଇଯିବେ । ଏହି ପରାମର୍ଶକୁ ମହାରାଜା ଚୋଳଗଙ୍ଗଦେବ ଗ୍ରହଣ କଲେ । ନିର୍ଦ୍ଦିଷ୍ଟ ତିଥିରେ ବିଶାଳ ଶୋଭାଯାତ୍ରାରେ ପୂର୍ଣ୍ଣକଳସୀ ମୁଣ୍ଡାଇ ଜଗନ୍ନାଥ ସଡ଼କରେ କୌଶଲ୍ୟା ଶ୍ରୀକ୍ଷେତ୍ର ଅଭିମୁଖେ ଚାଲିଲେ । ଯେଉଁଠି ମାଠିଆରୁ ପାଣି ସରିଗଲା ସେ ସ୍ଥାନକୁ ଚିହ୍ନଟ କରାଗଲା । ପାତ୍ରମନ୍ତ୍ରୀଙ୍କ ସହିତ କୌଶଲ୍ୟା ବାରବାଟୀ ଫେରିଗଲେ । ମହାରାଜ ଆଦେଶ ଦେଲେ ତୁରନ୍ତ ସେଠାରେ ଜଳାଶୟ ଖୋଳ । ହଜାର ହଜାର ଶ୍ରମିକ ଲାଗିପଡ଼ି ମାତ୍ର ୬ ମାସ ମଧ୍ୟରେ ଖୋଳିଦେଲେ ପ୍ରାୟ ୬୫୦ ଏକର ପରିମିତ ଏକ ବିଶାଳ ଜଳାଶୟ । ଜଳାଶୟ ମଧ୍ୟଭାଗରେ ଏକ ସୁନ୍ଦର ଉଆସ ତୋଳିଦେଲେ । ନାଁ ଦେଲେ କୌଶଲ୍ୟାଗଙ୍ଗ । କୌଶଲ୍ୟାଙ୍କ ସହିତ ଅନେକ ପୋଇଲି, ସଖୀଙ୍କୁ ନୌକାରେ ସେଇଠି ଛାଡ଼ି ଦିଆଗଲା । ଘୋର ଜଙ୍ଗଲ ପରିବେଷ୍ଟିତ ଏହି ଜଳାଶୟରେ ପହଁରି ସେ ଉଆସ ପର୍ଯ୍ୟନ୍ତ କେହି ନ ପହଞ୍ଚିବା ପାଇଁ ଜଳାଶୟରେ ବଡ଼ ବଡ଼ କୁମ୍ଭୀର ଛାଡ଼ିଦେଲେ ।

ନିଜ ଲୋକଙ୍କୁ ଛାଡ଼ି ଗଭୀର ଜଳ ପରିବେଷ୍ଟିତ ଏକ ଉଆସରେ ନିର୍ବାସନ ଦଣ୍ଡ ଭୋଗ କରିବାକୁ କୌଶଲ୍ୟା ସହଜରେ ଗ୍ରହଣ କରି ପାରିଲେ ନାହିଁ । ନିଜର କୃତକର୍ମ ପାଇଁ ପଶ୍ଚାତାପ କଲେ । ଗର୍ଭରେ ବଢ଼ୁଥିବା ଶିଶୁର ଭବିଷ୍ୟତ କଥା ଭାବି ବ୍ୟତିବ୍ୟସ୍ତ ହୋଇଗଲେ । ଖାଦ୍ୟପେୟ ରୁଚିଲା ନାହିଁ । ସବୁବେଳେ ଗବାକ୍ଷ ପଟେ ବାହାରକୁ ଅନାଇ କାନ୍ଦିଲେ । ସଖୀ, ପୋଇଲି ଯେତେ ବୁଝାଇଲେ ମଧ୍ୟ ଆଖିରୁ ଲୁହ ଶୁଖିଲା ନାହିଁ । ଶେଷରେ ମାନସିକ ଭାରସାମ୍ୟ ହରାଇ ଦିନେ ମଧ୍ୟରାତ୍ରିରେ କୌଶଲ୍ୟା ଉଆସ ଉପରୁ ଗଭୀର ଜଳକୁ ଡେଇଁ ପଡ଼ିଲେ । ମା’ ପିଲାଙ୍କର ସେଇଠି ଅନ୍ତ ଘଟିଗଲା । ୧୯୫୬ ମସିହାରେ କୌଶଲ୍ୟାଗଙ୍ଗରେ ରାଜ୍ୟ ସରକାର ମତ୍ସ୍ୟ ସୈରାତ ପ୍ରକଳ୍ପ ଆରମ୍ଭ କଲେ । ସେତେବେଳେ ଉକ୍ତ ରାଜ ଉଆସର କିଛି ଅଂଶ ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା । କାଳକ୍ରମେ ତାହା ଭାଙ୍ଗିରୁଜି ମାଟିରେ ମିଶିଯାଇଛି । ସେ ରାଜ ଉସାସର ଭଗ୍ନାବଶେଷରୁ ବାହାରିଥିବା ଅନେକ ପଥରରେ ଫିସରି ଅଫିସ ନିର୍ମାଣ ହୋଇଛି । ବାକି ଅନେକ କାରୁକାର୍ଯ୍ୟ ଭରା ପଥର ବର୍ତ୍ତମାନ ପୋଖରୀ ଗର୍ଭ ଓ ମାଟି ତଳେ ଏଣେତେଣେ ପଡ଼ିରହିଛି ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button