Group clash: ପୁରୀଘାଟ ଥାନାଞ୍ଚଳରେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ଜଣେ ମୃତ, ୪ରୁ ଅଧିକ ଆହତ, ୨୦ ଅଟକ

କଟକ, ୨୮/୧୧: ବାଲିଯାତ୍ରା ପାଇଁ ସହର ଉଚ୍ଛୁଳୁଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ ହଠାତ୍ ପୁରୀଘାଟ ଥାନା ଅଞ୍ଚଳରେ ସାହି ବିବାଦ ଓ ପୂର୍ବ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀର ଯୁବକ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷରୁ ପରସ୍ପର ଉପରକୁ ଢେଲାପଥର ମାଡ଼ ହୋଇଛି । ଏଥିରେ ଜଣେ ବ୍ୟକ୍ତିଙ୍କର ମର୍ମତୁଦ ମୃତ୍ୟୁ ଘଟିଛି । ମୃତକ ହେଲେ ଗଣେଶ ଘାଟ ସାମଲ ସାହିର ଅମରେନ୍ଦ୍ର ସାମଲ । ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ପେସାରେ ଜଣେ ପୂର୍ବତନ ଶିକ୍ଷକ ବୋଲି କୁହାଯାଉଛି । ଏପରିକି ସେ ରାଜ୍ୟ ପାଇଁ ଫୁଟ୍ବଲ୍ ଖେଳିଛନ୍ତି । ଗଣ୍ଡଗୋଳ ବେଳେ ବହୁ ଦୋକାନ ଓ ଗାଡ଼ି ଭାଙ୍ଗିଛି । ରାସ୍ତାରେ ମାଳମାଳ କାଚ ବୋତଲ ଗୁଣ୍ଡ ହୋଇ ବିଛାଡ଼ି ପଡ଼ିଛି । ଏଥିରେ ଦୁଇ ଗୋଷ୍ଠୀର ୪ରୁ ଅଧିକ ବ୍ୟକ୍ତି ଓ ଜଣେ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ବରିଷ୍ଠ ପୁଲିସ ଅଧିକାରୀ ଓ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛନ୍ତି । ଆହତଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ଏ ଘଟଣା ପରେ ପୁରୀଘାଟ ଥାନା ୨୦ରୁ ଅଧିକ ଯୁବକଙ୍କୁ ଧରି ଆଣି ଅଟକ ରଖିଛି । ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ଫୋର୍ସ ମୁତୟନ କରାଯାଇଛି ।
ସନ୍ସାଇନ୍ ପଡ଼ିଆ ପାଖରେ ଥିବା କିଛି ଦୋକାନକୁ ନେଇ ପାଖ ଦୁଇ ସାହି ମଧ୍ୟରେ ଆଗରୁ ସୀମା ବିବାଦ ଥିଲା । ଦୋକାନରୁ ଚାନ୍ଦା ଆଦାୟକୁ ନେଇ ଦୁଇ ସାହି ମଧ୍ୟ ପୂର୍ବରୁ ମୁହାଁମୁହିଁ ହୋଇଥିଲେ । ତେବେ ଗତକାଲି ଗୋଟିଏ ସାହିର ୩ ଜଣ ଯୁବକ ପୁରୀଘାଟ ଥାନାଠାରୁ କିଛି ଦୂରରେ ଥିବା ଏକ ମଦ ଦୋକାନକୁ ଆସିଥିଲେ । ସେଠାରେ ବାଇକ୍ ରଖିବା ଘଟଣାକୁ ନେଇ ପାଖ ସାହିର କିଛି ଯୁବକଙ୍କ ସହିତ ଗଣ୍ଡଗୋଳ ହୋଇଥିଲା । ଏହା ପରେ ଦୁଇ ଗୋଷ୍ଠୀର ଯୁବକ ଏତଲା ଓ ପାଲଟା ଏତଲା ଦେଇଥିଲେ । ତେବେ ଏହି କଥା ଧୀରେ ଧୀରେ ଦୁଇ ପକ୍ଷ ଯୁବକଙ୍କ ସାହିକୁ ଚାଲିଗଲା । ଏହି ବିଷୟକୁ ନେଇ ଆଜି ଗୋଟିଏ ସାହିର କିଛି ମହିଳା ଗଣେଶଘାଟ ପାଖକୁ ଯାଇ ଗାଳିମନ୍ଦ କରି ଆସିଥିଲେ । ଏହା ପରେ ସନ୍ଧ୍ୟାରେ ଗଣେଶଘାଟ ପାଖ ସାହିର କିଛି ଯୁବକ ଏହାକୁ ବିରୋଧ କରି ସନ୍ସାଇନ୍ ପଡ଼ିଆ ପାଖ ରାସ୍ତାକୁ ଚାଲିଆସିଲେ । ଏପରିକି ଯୁବକମାନେ ସେଠାରେ ହୋହାଲ୍ଲା କରିଥିଲେ । ଏହା ଦେଖି ନିକଟ ସାହିର ଯୁବକମାନେ ଏକାଠି ହୋଇ ସଂଘବଦ୍ଧ ଆକ୍ରମଣ ଆରମ୍ଭ କରିଦେଲେ । ଏହି ସମୟରେ ଉଭୟ ପକ୍ଷରୁ ଢେଲାପଥର ଓ ବୋତଲ ମାଡ଼ ହୋଇଥିଲା । ପୁରୀଘାଟ ଥାନାଠାରୁ କିଛି ଦୂରରେ ଥିବା ତଳ ରାସ୍ତାର ଗଡ଼ାଠାରୁ ସନ୍ସାଇନ୍ ପଡ଼ିଆ ପର୍ଯ୍ୟନ୍ତ ରାସ୍ତାରେ ଖଣ୍ଡଯୁଦ୍ଧ ଲାଗି ରହିଥିଲା । ଗଣ୍ଡଗୋଳ ବେଳେ ସନ୍ସାଇନ୍ ପଡ଼ିଆ ସମ୍ମୁଖରେ ଥିବା ଫାଷ୍ଟ୍ ଫୁଡ୍ ଓ ଅନ୍ୟ ଦୋକାନକୁ ଯୁବକମାନେ ଭାଙ୍ଗି ଦେଇଥିଲେ । ସେଠାରେ ଥୁଆ ହୋଇଥିବା ଦୁଇଟି ବାଇକ୍କୁ ନଷ୍ଟ କରି ଦିଆଯାଇଛି ।
ସୌଜନ୍ୟ ପ୍ରମେୟ




