ଟିଟିଲାଗଡ଼ସ୍ଥିତ ମାତୃ ଓ ଶିଶୁ ଚିକିତ୍ସାଳୟରେ ଅବ୍ୟବସ୍ଥା,ରୋଗୀଙ୍କୁ ଦିଆଯାଇଥିବା ବ୍ରେଡରେ ପୋକ

ଟିଟିଲାଗଡ଼/ଶଗଡ଼ଘାଟ,୭\୧୦: ଟିଟିଲାଗଡ଼ସ୍ଥିତ ମାତୃ ଓ ଶିଶୁ ଚିକିତ୍ସାଳୟରେ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟରେ ପୋକ ବାହାରୁଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରତ୍ୟେକ ଦିନ ଭଳି ମଙ୍ଗଳବାର ସକାଳେ ମାତୃ ଓ ଶିଶୁ ଚିକିତ୍ସାଳୟରେ ଭର୍ତ୍ତି ରୋଗୀଙ୍କୁ ଜଳଖିଆ ଭାବେ ବ୍ରେଡ୍ ଦିଆଯାଇଥିଲା । ତେବେ ବ୍ରେଡ୍ ଖୋଲିବା ପରେ ସେଥିରେ ପୋକ ଥିବା କିଛି ରୋଗୀ ଦେଖିଥିଲେ । ଏହାଦେଖି ଅନେକ ରୋଗୀ ଦିଆଯାଇଥିବା ବ୍ରେଡ୍ ଖାଇନଥିଲେ । କିଛି ରୋଗୀ ବ୍ରେଡ୍ ଖାଇବା ପରେ ବାନ୍ତି ହୋଇଥିବା ମଧ୍ୟ କୁହାଯାଇଛି ।
ଘଟଣା ଜଣାପଡ଼ିବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଖାଦ୍ୟର ମାନ ଯାଞ୍ଚ କରିଥିଲେ । ଯାଞ୍ଚ ପରେ ଉକ୍ତ ବ୍ରେଡ୍ ଗୁଡ଼ିକୁ ହସ୍ପିଟାଲ ପରିସରରୁ ହଟାଇ ଫିଙ୍ଗି ଦିଆଯାଇଥିବା ଜଣାପଡ଼ିଛି । ରୋଗୀଙ୍କ ସ୍ୱାସ୍ଥ୍ୟ ସହ ଜଡ଼ିତ ଖାଦ୍ୟ ଯୋଗାଣରେ ଏଭଳି ଅବହେଳା କିପରି ହେଲା, ତାହାକୁ ନେଇ ପ୍ରଶ୍ନ ଉଠିଛି । ସୂଚନା ଅନୁସାରେ, ହସ୍ପିଟାଲରେ ରୋଗୀଙ୍କ ପାଇଁ ଖାଦ୍ୟ ଯୋଗାଣ ଦାୟିତ୍ୱ “ମା ଘଣ୍ଟାଶୁନି’ ନାମକ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ନେଇଛି । ଘଟଣାକୁ ଗୁରୁତ୍ୱର ସହ ନେଇ ସମ୍ପୃକ୍ତ ଏସ୍ଏଚ୍ଜିକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି । ରୋଗୀଙ୍କ ପାଇଁ ଯୋଗାଣ ହେଉଥିବା ଖାଦ୍ୟର ଗୁଣବତ୍ତା ଓ ସ୍ୱଚ୍ଛତା ଯାଞ୍ଚକୁ ନେଇ ଅଧିକ ସଚେତତା ଆବଶ୍ୟକ ବୋଲି ରୋଗୀଙ୍କ ସମ୍ପର୍କୀୟମାନେ ଦାବି କରିଛନ୍ତି । ଏଭଳି ଘଟଣାର ପୁନରାବୃତ୍ତି ଯେପରି ନହୁଏ, ସେଥିପାଇଁ ଖାଦ୍ୟଯୋଗାଣ ପୂର୍ବରୁ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଦାବି ହେଉଛି ।
ସୌଜନ୍ୟ ପ୍ରମେୟ



