ରାଜ୍ୟ

‘ପ୍ରମେୟ’ ପକ୍ଷରୁ ବିଦ୍ୟାଳୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା, ଗଛ ଲଗାଇ ପରିବେଶକୁ ବଞ୍ଚାଇବାକୁ ନେଲେ ଶପଥ

ଭୁବନେଶ୍ୱର,୧୯/୮ : ସେହି ଖୁସି, ସେହି ଉନ୍ମାଦନା । ଚିତ୍ରାଙ୍କନ ପାଇଁ ଗହଳିଚହଳି । କାଗଜ, ରଙ୍ଗ ଧରୁଧରୁ ରଙ୍ଗୀନ ଦୁନିଆରେ ହଜିଯାଇଥିଲେ ପ୍ରତିଯୋଗୀ । ଆଙ୍କି ଚାଲିଥିଲେ ସୁନ୍ଦର ସୁନ୍ଦର ଛବି । ସବୁଜ ସହରରୁ ନେଇ ସ୍ୱପ୍ନର ସ୍କୁଲ । କେହି କାହାଠୁ କମ୍ ନଥିଲେ । ପ୍ରତ୍ୟେକ ଚିତ୍ର ପଛରେ ଲୁଚି ରହିଥିଲା ବିରାଟ ସମ୍ଭାବନା । ଜଣେ କି ଦୁଇଜଣ ନୁହେଁ, ପ୍ରାୟ ୨୦୦ରୁ ଅଧିକ କୁନି ଚିତ୍ରଶିଳ୍ପୀମାନେ ଆଜି ସେମାନଙ୍କ ସୁପ୍ତ ପ୍ରତିଭାକୁ ଜାଗ୍ରତ କରିଛନ୍ତି । ତନ୍ମଧ୍ୟରୁ ଛଅଜଣ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଛି ‘ପ୍ରମେୟ’ ଟିମ୍ । ମଙ୍ଗଳବାର ‘ପ୍ରମେୟ’ ପକ୍ଷରୁ ବିଦ୍ୟାଳୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ବରମୁଣ୍ଡା ଫକୀରମୋହନ ନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅନୁଷ୍ଠିତ ହୋଇଛି । ପ୍ରତିଯୋଗିତାକୁ ଦୁଇଟି ବର୍ଗରେ ବିଭକ୍ତ କରାଯାଇଥିଲା । କନିଷ୍ଠ ବର୍ଗରେ ଥିବା ପଞ୍ଚମରୁ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀମାନେ ‘ମୋ ସ୍ୱପ୍ନର ବିଦ୍ୟାଳୟ’ ଶୀର୍ଷକ ଚିତ୍ର ଆଙ୍କିଥିଲେ । ଏହି ବର୍ଗରେ ପଞ୍ଚମ ଶ୍ରେଣୀ ଛାତ୍ରୀ ସାଇସିଗ୍ଧା ନାୟକ ପ୍ରଥମ, ଷଷ୍ଠ ଶ୍ରେଣୀ ଛାତ୍ର ପ୍ରତ୍ୟୁଷ ଦାଶ ଦ୍ୱିତୀୟ, ସପ୍ତମ ଶ୍ରେଣୀ ଛାତ୍ରୀ ଲଗ୍ନଦୀପା ମହାନ୍ତି ତୃତୀୟ ସ୍ଥାନରେ ଥିଲେ । ସେହିପରି ବରିଷ୍ଠ ବର୍ଗରେ ଅଷ୍ଟମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ‘ସ୍ୱପ୍ନର ସବୁଜ ସହର’ ଶୀର୍ଷକ ବିଷୟବସ୍ତୁ ଉପରେ ଚିତ୍ର ଆଙ୍କିଥିଲେ । ଏହି ବର୍ଗରେ ଦଶମ ଛାତ୍ରୀ ବିଦିଶା ଶୁଭଦର୍ଶିନୀ ଦାଶ ପ୍ରଥମ, ଛାତ୍ର ବିଶ୍ୱଦର୍ଶନ ବେହେରା ଦ୍ୱିତୀୟ ଓ ଅଷ୍ଟମ ଛାତ୍ରୀ ପ୍ରିୟାଂଶୀ ପ୍ରିୟଦର୍ଶିନୀ ଭୂତିଆ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

କୃତି ପ୍ରତିଯୋଗୀଙ୍କୁ ମାନପତ୍ର, ଟ୍ରଫି ଓ ଫୁଲତୋଡ଼ା ଦିଆଯାଇଥିଲା । ସେହିପରି ଅତିଥିଙ୍କ ଏକ ପ୍ରଶ୍ନର ଉତ୍ତରରେ ବୈଦ୍ୟୁତିକ ବଲ୍ବ ଉଦ୍ଭାବନ କରିଥିବା ବିଶିଷ୍ଟ ବୈଜ୍ଞାନିକ ଥୋମାସ ଆଲଭା ଏଡିସନଙ୍କ ନାଁ କହିଥିବା ଛାତ୍ର ଶ୍ରେୟାଂଶ ଲେଙ୍କାଙ୍କୁ ବି ପୁରସ୍କୃତ କରାଯାଇଥିଲା । ପୁରସ୍କାର ବିତରଣ ସଭାରେ ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ରାହାସ ବିହାରୀ ନରେନ୍ଦ୍ର ମୁଖ୍ୟ ଅତିଥିଭାବରେ ଯୋଗଦେଇ କହିଥିଲେ, ‘ପ୍ରମେୟ’ର ଏହି ନିଆରା ସଚେତନ ତଥା ଶିକ୍ଷଣୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ଫୁଟାଇ ପାରିଛି । ଏଥିପାଇଁ ସେ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର(ଡ.) ମନୋଜରଞ୍ଜନ ନାୟକ ଓ ‘ପ୍ରମେୟ’ ଓ ‘ନ୍ୟୁଜ-୭’ର ଗ୍ରୁପ ଏଡିଟର୍ ଗୋପାଳକୃଷ୍ଣ ମହାପାତ୍ରଙ୍କୁ ଧନ୍ୟବାଦ ଦେଇଥିଲେ ।

ସମ୍ମାନିତ ଅତିଥି ଭାବରେ ‘ପ୍ରମେୟ’ ଡିଜିଟାଲ ହେଡ୍ ସରୋଜ ସାହୁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରି କହିଥିଲେ, ଜୀବନରେ ଏକ ଲକ୍ଷ୍ୟ ରଖ । ନିଷ୍ଠାର ସହ ପରିଶ୍ରମ କରି ଲକ୍ଷ୍ୟ ଦିଗରେ ଆଗେଇଯାଅ । ସର୍ବୋପରି ମାଟି, ବାପାମା’, ପରିବାର, ମାତୃଭାଷା, ସ୍କୁଲ, ଶିକ୍ଷକ, ସାଙ୍ଗ ଓ କର୍ମକୁ ନେଇ ଗର୍ବ କର । ଏହାର ଉଦାହରଣ ଦେଇ ସେ କେଜିଏଫ୍ ଷ୍ଟାର ୟଶଙ୍କ ବାପାଙ୍କ ବିଷୟରେ କହିଥିଲେ । ଆଜିର ଦିନରେ ୟଶ୍ ସିନେମାର ସୁପରଷ୍ଟାର ଥିବା ବେଳେ ତାଙ୍କ ବାପା ବସ୍ ଚଲାଉଛନ୍ତି । ଯାହା ତାଙ୍କ କର୍ମ ପ୍ରତି ନିଷ୍ଠା ଓ ସମର୍ପଣକୁ ଦର୍ଶାଉଛି । ପ୍ରଧାନାଚାର୍ଯ୍ୟ ସଞ୍ଜୟ କେତନ ଦାଶ କହିଥିଲେ, ଏଭଳି କାର୍ଯ୍ୟକ୍ରମରୁ ଛାତ୍ରଛାତ୍ରୀମାନେ ସବୁଜ ପରିବେଶ ସୃଷ୍ଟି କରିବା ପାଇଁ ପ୍ରେରଣା ପାଇବେ । ସେମାନେ ପରିବେଶର ରକ୍ଷକ ହେବେ । ସମାଜରେ ମଧ୍ୟ ଏହାର ପ୍ରଭାବ ପଡ଼ିବ । ତେଣୁ ଗଛ ଲଗାଇବାକୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ସେ ଆହ୍ୱାନ କରିଥିଲେ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button