ରାଜ୍ୟ

ମାରିଟାଇମ୍ ଲକ୍ଷ୍ୟ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ, ପାରାଦୀପ ବନ୍ଦରକୁ ମିଳିଲା ‘ମେଗା ବନ୍ଦର’ ମାନ୍ୟତା

ପାରାଦ୍ୱୀପ,୨୬/୦୯: ରାଜ୍ୟର ମାରିଟାଇମ୍ ଲକ୍ଷ୍ୟ ଦିଗରେ ଏକ ବଡ଼ ସଫଳତା କ୍ରମେ ପାରାଦୀପକୁ ମିଳିଛି ମେଗା ବନ୍ଦର ମାନ୍ୟତା । ନୂତନ ରୂପେ କାର୍ଯ୍ୟକାରୀ ହୋଇଥିବା ଭାରତୀୟ ବନ୍ଦର ଆଇନ-୨୦୨୫ ଅଧୀନରେ କେନ୍ଦ୍ର ସରକାର ପାରାଦୀପ ବନ୍ଦରକୁ ଏହି ମାନ୍ୟତା ପ୍ରଦାନ କରିଛନ୍ତି । ଏଥିସହିତ ଏହା ଦେଶର ସର୍ବବୃହତ୍ ଏବଂ ପ୍ରମୁଖ ବନ୍ଦରଗୁଡ଼ିକର ଗ୍ରୁପରେ ସାମିଲ ହୋଇଛି । ବନ୍ଦର, ନୌପରିବହନ ଏବଂ ଜଳପଥ ମନ୍ତ୍ରାଳୟ ଶୁକ୍ରବାର ଏକ ବିଜ୍ଞପ୍ତି ଜାରି କରି ୪ଟି ବନ୍ଦରକୁ ମେଗା ବନ୍ଦର ଘୋଷଣା କରିଛି । ପାରାଦୀପ ସହିତ ଦୀନଦୟାଲ ବନ୍ଦର, ଜବାହରଲାଲ ନେହେରୁ ବନ୍ଦର ଏବଂ ମୁନ୍ଦ୍ରା ବନ୍ଦରକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି ।

ପାରାଦୀପ ବନ୍ଦର ବଡ଼ ମାତ୍ରାରେ କୋଇଲା, ଲୁହାପଥର, ସାର, ଅଶୋଧିତ ତୈଳ ଏବଂ ଅନ୍ୟାନ୍ୟ ବୃହତ୍ କାର୍ଗୋ ପରିଚାଳନା କରିଥାଏ । ପୂର୍ବ ଏବଂ ମଧ୍ୟ ଭାରତ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଲଜିଷ୍ଟିକ୍ସ ହବ୍ ଭାବେ କାର୍ଯ୍ୟ କରୁଛି । ସରକାରୀ ଅଧିକାରୀମାନଙ୍କ କହିବାନୁସାରେ, ମେଗା ବନ୍ଦର ମାନ୍ୟତା ପାରାଦୀପର ସମ୍ପ୍ରସାରିତ କାର୍ବୋ ପରିଚାଳନା କ୍ଷମତା, ଆଧୁନିକ ଭିତ୍ତିଭୂମି ଏବଂ ରଣନୈତିକ ଅବସ୍ଥିତିକୁ ଦର୍ଶାଉଛି । ଏହି ମାନ୍ୟତା ମିଳିବା ଦ୍ୱାରା ନିବେଶ ଆକୃଷ୍ଟ କରିବା ପାଇଁ, ପରିଚାଳନାଗତ ଦକ୍ଷତା ବୃଦ୍ଧି ଏବଂ ଭବିଷ୍ୟତର ଭିତ୍ତିଭୂମି ସମ୍ପ୍ରସାରଣ ଲାଗି ବନ୍ଦରର କ୍ଷମତା ବୃଦ୍ଧି ପାଇବ । ପାରାଦୀପ ବନ୍ଦର କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁଶାନ୍ତ କୁମାର ପୁରୋହିତ କୁହନ୍ତି, ପାରାଦୀପକୁ ମେଗା ବନ୍ଦର ମାନ୍ୟତା ମିଳିବା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଏହା ବନ୍ଦରର ଭିତ୍ତିଭୂମିକୁ ମଜଭୁତ କରିବ, ପରିଚାଳନା କ୍ଷମତାକୁ ଉନ୍ନତ କରିବା ତଥା ମାରିଟାଇମ୍ କାରବାର ଅଭିବୃଦ୍ଧିରେ ସହାୟକ ହେବ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button