ରାଜ୍ୟ

ରୋଗୀଙ୍କ ପାଇଁ ମେଡିକାଲ ନା ମୃତ୍ୟୁଯନ୍ତା? ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାରମ୍ବାର ଅଘଟଣ, ବେଫିକର କର୍ତ୍ତୃପକ୍ଷ

ଢେଙ୍କାନାଳ,୧୬/୧୧(ଶ୍ରୀବାସ ନାୟକ): ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍ଏଚ୍) କୁ ଘାରିଛି ରୋଗୀ ଡିଆଁ ଡର । ଜଣଙ୍କ ପରେ ଜଣେ ଡିଏଚ୍ଏଚ୍ କୋଠାରୁ ଡେଇଁ ଆତ୍ମହତ୍ୟା କରୁଛନ୍ତି । ଗତକାଲି ପୁଣି ଆଉଜଣେ ରୋଗୀ ଚାରି ମହଲାରୁ ଡେଇଁ ପଡ଼ିବା ଓ ସୁରକ୍ଷା କର୍ମୀ ଏ ସମ୍ପର୍କରେ ଜାଣିନପାରିବା ଘଟଣା ହସ୍ପିଟାଲର ସୁରକ୍ଷା ଅବ୍ୟବସ୍ଥାକୁ ପଦାରେ ପକାଇଛି । ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ କାହାରି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । କର୍ତ୍ତୃପକ୍ଷଙ୍କର ଏଭଳି ବ୍ୟଫିକର ମନୋଭାବ ନେଇ ରୋଗୀ ଡିଆଁ ସଂଖ୍ୟା ବଢି଼ବାରେ ଲାଗିଛି। ଜିଲ୍ଲା ପ୍ରଶାସନ ମଧ୍ୟ କେବଳ ଦେଖଣାହାରୀ ସାଜିଛି ।

ସୂଚନା ଅନୁସାରେ, ଢେଙ୍କାନାଳ ସହର ଦକ୍ଷିଣକାଳୀ ଅଞ୍ଚଳରେ ୭ ମହଲା କୋଠାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୨୦୧୮ ମସିହାରେ ସ୍ଥାନାନ୍ତର ହୋଇଥିଲା । ଆରମ୍ଭରୁ ହିଁ ରୋଗୀ ଡିଆଁ ଆରମ୍ଭ ହୋଇଯାଇଥିଲେ । ସେହିବର୍ଷ ନଭେମ୍ବର ୧୮ ତାରିଖରେ ଜଣେ ରୋଗୀ ୫ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ । ସେ ମାନସିକ ରୋଗୀ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହି ଖସିଯାଇଥିଲେ। ପୁଣି ୨୦୨୨ ଅଗଷ୍ଟ ୧୩ ତାରିଖରେ ପରଜଙ୍ଗର ଜଣେ ଯୁବକ ୫ ମହଲା କୋଠାରୁ ତଳକୁ ଡେଇଁ ଗୁରୁତର ହୋଇଥିଲେ । ଏହାର ଦିନ କେଇଟାପରେ ପରଜଙ୍ଗ ଲୋଧଣି ଗାଁର ଜଣେ ବ୍ୟକ୍ତି ୪ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଥିଲେ । ସମସ୍ତଙ୍କ କ୍ଷେତ୍ରରେ ମାନସିକ ରୋଗୀ କହି ହସ୍ପିଟାଲ କର୍ତ୍ତୃପକ୍ଷ ଖସିଯାଇଥିଲେ । ଏହା ବ୍ୟତୀତ ବିଭିନ୍ନ ସମୟରେ ରୋଗୀ ଡେଇଁବାକୁ ଉଦ୍ୟମ କରିବା ଓ ଗୁରୁତର ହେବା ମଧ୍ୟ ନଜର ରହିଛି । ବାରମ୍ବାର ଏଭଳି ହେବାରୁ ୨୦୨୨ରେ ଝରକା ଆଦିରେ ଫିକ୍ସ ଗ୍ରୀଲ୍ ଲଗାଯାଇଛି ।

ମାତ୍ର ସବୁପରେ ବି ପୁଣି ଶୁକ୍ରବାର ରାତିରେ ପୁଣି ଜଣେ ରୋଗୀ ଡେଇଁ ମୃତ୍ୟୁ ମୁଖରେ ପଡ଼ିଛନ୍ତି । ଢେଙ୍କାନାଳ ସହରର ନୂଆପୋଖରୀ ପାର୍କରେ କାମ କରୁଥିବା ମାନସ ଦେହୁରୀ ମେଡିସିନ୍ ୱାର୍ଡରେ ଚିକିତ୍ସିତ ହେଉଥିବା ବେଳେ ବେଡ୍‌ରୁ ଉଠିଯାଇ ୪ ମହଲାରୁ ଡେଇଁ ପ୍ରାଣ ହାରିଛନ୍ତି । ସେ ରାତି ପ୍ରାୟ ଗୋଟାଏରେ ବେଡ୍‌ରୁ ନିଖୋଜ ହୋଇଯାଇଥିଲେ, ତାଙ୍କ ମା’ ଖୋଜାଖୋଜି କରିଥିଲେ । ସୁରକ୍ଷାକର୍ମୀଙ୍କୁ ଜଣାଇଥିଲେ ବି କେହି ତାଙ୍କ କଥା ଶୁଣିନଥିବା ସେ ଅଭିଯୋଗ କରିଛନ୍ତି । ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀ ଓ ସିସିଟିଭିକୁ ନେଇ ହସ୍ପିଟାଲ କେତେ ସୁରକ୍ଷିତ ତାହା ସ୍ପଷ୍ଟ ଜଣାପଡୁ଼ଛି । ଆହୁରି ବିଡମ୍ବନା ବିଷୟ ହେଲା³ ୪ ମହଲାରେ ସିସିଟିଭି ଅଚଳ ହୋଇଯାଇଥିବାରୁ ସେ କେଉଁଆଡ଼କୁ ଯାଇଛନ୍ତି ତାହା ଦେଖାଯାଇ ପାରିନଥିଲା । ଏଥିରୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳା ଜଳଜଳ ହୋଇ ଦିଶୁଛି । ମାତ୍ର ଏ ପର୍ଯ୍ୟନ୍ତ କାହାରି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ପୂର୍ବ ଘଟଣା ଭଳି ଏହି ଘଟଣାରେ ବି ତଦନ୍ତ ଆଳରେ ଘଟଣାକୁ ଚାପିଦେବାକୁ ଉଦ୍ୟମ ଚାଲିଛି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button