୨୦୨୭ରେ ବିଶ୍ବକୁ ଚିନ୍ତାରେ ପକାଇବ ଖାଦ୍ୟ ସଙ୍କଟ !

ନୂଆଦିଲ୍ଲୀ:୨୦୨୭ରେ ବିଶ୍ୱରେ ବଡ଼ଧରଣର ଖାଦ୍ୟ ସଙ୍କଟ ଦେଖା ଦେଇପାରେ। ଏଥିସହ ଆସନ୍ତା ବର୍ଷ ଖାଦ୍ୟ ମୂଲ୍ୟ ବୃଦ୍ଧି ଆଶଙ୍କା ନେଇ ସତର୍କ କରିଛି ଆମେରିକୀୟ ଆର୍ଥିକ ସଂସ୍ଥା ଜେପି ମର୍ଗାନ୍। ଭୂ-ରାଜନୈତିକ ପରିସ୍ଥିତି, ସାର ଯୋଗାଣରେ ବାଧା ଏବଂ ଜଳବାୟୁ ପରିବର୍ତ୍ତନ ଏହି ସଙ୍କଟକୁ ଆହୁରି ଗମ୍ଭୀର କରିପାରେ ବୋଲି ଆକଳନ କରାଯାଇଛି। ଜେପି ମର୍ଗାନ୍ର ଆକଳନ ଅନୁସାରେ, ୨୦୨୭ର ପ୍ରଥମ ଛଅ ମାସରେ ବିଶ୍ୱ ଖାଦ୍ୟ ମୁଦ୍ରାସ୍ଫୀତି ପ୍ରାୟ ୫ ପ୍ରତିଶତକୁ ବଢ଼ିପାରେ। ଯାହା ୨୦୨୬ର ପ୍ରଥମ ଛଅ ମାସରେ ଏହା ପ୍ରାୟ ୨.୮ ପ୍ରତିଶତ ଥିଲା। ଅର୍ଥାତ୍ ଖାଦ୍ୟ ଉତ୍ପାଦନ ଖର୍ଚ୍ଚ ବଢ଼ିଲେ ଏହାର ପ୍ରଭାବ ସିଧାସଳଖ ଭାବେ ଉପଭୋକ୍ତାଙ୍କ ଉପରେ ପଡ଼ିପାରେ। ଏହି ସଙ୍କଟର ପ୍ରମୁଖ କାରଣ ଭାବେ ସାରର ଅଭାବକୁ ଦର୍ଶାଯାଇଛି। ବିଶେଷକରି ମଧ୍ୟପ୍ରାଚ୍ୟରୁ ଆସୁଥିବା ୟୁରିଆ ଓ ଅନ୍ୟ ନାଇଟ୍ରୋଜେନ୍ଭିତ୍ତିକ ସାର ଯୋଗାଣରେ ବାଧା ହେଲେ ଚାଷ ଖର୍ଚ୍ଚ ବଢ଼ିବା ସହ ଉତ୍ପାଦନ ମଧ୍ୟ ପ୍ରଭାବିତ ହୋଇପାରେ।
ହର୍ମୁଜ୍ ଅଞ୍ଚଳରେ ଚାଲିଥିବା ଅସ୍ଥିରତା ଏହି ସପ୍ଲାଇ ଚେନ୍ ପାଇଁ ଚିନ୍ତାର କାରଣ ହୋଇଛି। ଏହା ସହିତ ଏଲ୍ ନିନୋର ପ୍ରଭାବ ମଧ୍ୟ ବିଶ୍ୱ କୃଷି ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ। ବର୍ଷା ଓ ତାପମାତ୍ରାର ଧାରା ବଦଳିଲେ କେତେକ ଅଞ୍ଚଳରେ ମରୁଡ଼ି, ଆଉ କେଉଁଠି ବନ୍ୟା ଭଳି ଚରମ ପାଣିପାଗ ସ୍ଥିତି ସୃଷ୍ଟି ହୋଇପାରେ। ଏହା ଫଳରେ ଫସଲ ଉତ୍ପାଦନ କମିବାର ଆଶଙ୍କା ରହିଛି। ଭାରତ ପାଇଁ ମଧ୍ୟ ଏହି ଚେତାବନୀ ଗୁରୁତ୍ୱପୂର୍ଣ୍ଣ। ଜେପି ମର୍ଗାନ୍ ଭାରତ ସହ ବ୍ରାଜିଲ୍ ଓ ଇଣ୍ଡୋନେସିଆକୁ ସାର ଯୋଗାଣରେ ବାଧା ଓ ଏଲ୍ ନିନୋରମିଶ୍ରିତ ପ୍ରଭାବ ପଡ଼ିପାରୁଥିବା ଦେଶ ଭାବେ ଚିହ୍ନଟ କରିଛି। ଭାରତରେ ଧାନ, ଡାଲି, ତୈଳବୀଜ, କପା ଓ ଆଖୁ ଭଳି ଫସଲ ଉପରେ ଅନିୟମିତ ବର୍ଷାର ପ୍ରଭାବ ପଡ଼ିପାରେ। ବର୍ତ୍ତମାନ ଅନେକ ଦେଶରେ ଖାଦ୍ୟଶସ୍ୟ ମହଜୁଦ ରହିଛି ଏବଂ କୃଷି ପ୍ରଯୁକ୍ତି, ଜଳସେଚନ ଓ ଉନ୍ନତ ବିହନ ଯୋଗୁଁଁ ବିଶ୍ୱ ଖାଦ୍ୟ ବ୍ୟବସ୍ଥା ପୂର୍ବ ତୁଳନାରେ ଅଧିକ ସଂଗଠିତ ହୋଇ ରହିଛି ବୋଲି ରଏଟର୍ସ ରିପୋର୍ଟ କରିଛି। ତେଣୁ ଆଗାମୀ ଦିନରେ ଏଲ୍ ନିନୋର ପ୍ରଭାବ, ସାର ଯୋଗାଣ ଓ ଭୂ-ରାଜନୈତିକ ପରିସ୍ଥିତି କେଉଁ ଦିଗକୁ ଯାଉଛି, ତାହା ବିଶ୍ୱ ଖାଦ୍ୟ ବଜାରର ଭବିଷ୍ୟତ ନିର୍ଭରଶୀଳ ବୋଲି ରିପୋର୍ଟରେ ଦର୍ଶାଯାଇଛି।
ସୌଜନ୍ୟ ସମାଜ




