Orangutans: ବାତ୍ୟା ଯୋଗୁଁ ବିଲୁପ୍ତି ମୁହଁରେ ତପାନୁଲି ଓରାଙ୍ଗୁଟାନ!
ଗତ ମାସ ୨୬ ତାରିଖରେ ଇଣ୍ଡୋନେସିଆର ସ୍ଥଳଭାଗ ଛୁଇଁଥିବା ବାତ୍ୟା ସେନୟାର ଜନିତ ଭୟଙ୍କର ବନ୍ୟା ଓ ଭୂସ୍ଖଳନରେ ଏକ ବିଲୁପ୍ତପ୍ରାୟ ବାନର ‘ତପାନୁଲି ଓରାଙ୍ଗୁଟାନ’ର ମୃତଦେହ ମିଳିଥିଲା। ସୁତରାଂ ଏଥିରେ ବହୁ ସଂଖ୍ୟକ ଓରାଙ୍ଗୁଟାନ ଭାସି ଯାଇଥିବା ଆଶଙ୍କା କରାଯାଉଛି।

ଗତ ମାସ ୨୬ ତାରିଖରେ ଇଣ୍ଡୋନେସିଆର ସ୍ଥଳଭାଗ ଛୁଇଁଥିବା ବାତ୍ୟା ସେନୟାର ଜନିତ ଭୟଙ୍କର ବନ୍ୟା ଓ ଭୂସ୍ଖଳନରେ ଏକ ବିଲୁପ୍ତପ୍ରାୟ ବାନର ‘ତପାନୁଲି ଓରାଙ୍ଗୁଟାନ’ର ମୃତଦେହ ମିଳିଥିଲା। ସୁତରାଂ ଏଥିରେ ବହୁ ସଂଖ୍ୟକ ଓରାଙ୍ଗୁଟାନ ଭାସି ଯାଇଥିବା ଆଶଙ୍କା କରାଯାଉଛି। ଫଳରେ ଏହି ବିରଳ ବାନର ଜାତି ବିଲୁପ୍ତ ହୋଇଯିବା ପ୍ରାୟ ଅବଧାରିତ ବୋଲି ବୈଜ୍ଞାନିକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ୨୦୧୭ ମସିହାରେ ଇଣ୍ଡୋନେସିଆର ତପାନୁଲି ଓରାଙ୍ଗୁଟାନକୁ ଆନୁଷ୍ଠାନିକ ଭାବରେ ଏକ ସ୍ୱତନ୍ତ୍ର ଜାତିର ସ୍ୱୀକୃତି ଦିଆଯାଇଥିଲା। ସୁମାତ୍ରାର ଏକ ଛୋଟ ଅଞ୍ଚଳରେ ସୀମିତ ଥିବା ଏହି ବାନରମାନଙ୍କ ସଂଖ୍ୟା ୮୦୦ରୁ କମ୍ ବୋଲି ସଂରକ୍ଷକମାନେ ଆକଳନ କରନ୍ତି।
ବାତ୍ୟା ସେନୟାର ପରଠାରୁ ପ୍ରଭାବିତ ଅଞ୍ଚଳର କିଛି ସ୍ଥାନରେ ଏହି ଓରାଙ୍ଗୁଟାନ ଆଉ ଦେଖିବାକୁ ମିଳୁନାହାନ୍ତି। ବୈଜ୍ଞାନିକମାନେ ଗତ ୧୨ ତାରିଖରେ ଚେତାବନୀ ଦେଇଥିଲେ ଯେ ଗୋଟିଏ ଓରାଙ୍ଗୁଟାନର ମୃତ୍ୟୁ ବି ଉକ୍ତ ଜାତି ପାଇଁ ବିନାଶକାରୀ ହୋଇପାରେ। ତପାନୁଲି ଓରାଙ୍ଗୁଟାନମାନଙ୍କ ସବୁଠାରୁ ଘନ ବସତି ଥିବା ପଶ୍ଚିମ ବ୍ଲକ୍ରେ ବିପର୍ଯ୍ୟୟ ପୂର୍ବରୁ ପ୍ରାୟ ୫୮୧ଟି ଓରାଙ୍ଗୁଟାନ ରହୁଥିଲେ। ବାତ୍ୟା ପରବର୍ତ୍ତୀ ବନ୍ୟାରେ ଏହି ଅଞ୍ଚଳର ୬ରୁ ୧୧ ପ୍ରତିଶତ ଓରାଙ୍ଗୁଟାନ ମରିଯାଇଥିବା ଆଶଙ୍କା କରାଯାଉଛି। ଗବେଷକମାନଙ୍କ ଦ୍ୱାରା ବିଶ୍ଳେଷିତ ଉପଗ୍ରହ ଚିତ୍ର ଏବଂ ସ୍ଥାନୀୟ ବାସିନ୍ଦାଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ପ୍ରାୟ ୧୦୦୦ ଲୋକଙ୍କ ଜୀବନ ନେଇଥିବା ଉକ୍ତ ବନ୍ୟା ଉତ୍ତର ସୁମାତ୍ରାର ବାଟାଙ୍ଗ ଟୋରୁ ଅଞ୍ଚଳରେ ଅନ୍ୟାନ୍ୟ ବନ୍ୟପ୍ରାଣୀଙ୍କ ପାଇଁ ମଧ୍ୟ ଭୟଙ୍କର ପରିଣାମ ଆଣିପାରେ।
ସୌଜନ୍ୟ ସମ୍ବାଦ


