ଡେମୋକ୍ରାଟିକ୍ ରାଷ୍ଟ୍ରପତି ପ୍ରାର୍ଥୀ ଏବଂ ପୂର୍ବତନ ଉପରାଷ୍ଟ୍ରପତି କମଳା ହାରିସ୍ କହିଛନ୍ତି, ୨୦୨୮ରେ ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚିନ୍ତା କରୁଛନ୍ତି। ରେଭେରେଣ୍ଡ୍ ଆଲ୍ ଶାର୍ପଟନ୍ଙ୍କ ନାଗରିକ ଅଧିକାର ସଂଗଠନ, ନ୍ୟାସନାଲ୍ ଆକ୍ସନ୍ ନେଟୱାର୍କର ଏକ ବୈଠକରେ..
ୱାସିଂଟନ: ଡେମୋକ୍ରାଟିକ୍ ରାଷ୍ଟ୍ରପତି ପ୍ରାର୍ଥୀ ଏବଂ ପୂର୍ବତନ ଉପରାଷ୍ଟ୍ରପତି କମଳା ହାରିସ୍ କହିଛନ୍ତି, ୨୦୨୮ରେ ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚିନ୍ତା କରୁଛନ୍ତି। ରେଭେରେଣ୍ଡ୍ ଆଲ୍ ଶାର୍ପଟନ୍ଙ୍କ ନାଗରିକ ଅଧିକାର ସଂଗଠନ, ନ୍ୟାସନାଲ୍ ଆକ୍ସନ୍ ନେଟୱାର୍କର ଏକ ବୈଠକରେ ଯୋଗ ଦେଇଥିବା ହାରିସ୍ଙ୍କୁ ଶାର୍ପଟନ୍ ପଚାରିଥିଲେ, ସେ ପୁଣି ଥରେ ପ୍ରତିଦ୍ୱନ୍ଦ୍ୱିତା କରିବେ କି? ହାରିସ୍ କହିଥିଲେ ପ୍ରତିଦ୍ୱନ୍ଦ୍ୱିତା ବିଷୟରେ ମୁଁ ଚିନ୍ତା କରିବି। ସେ ଏହା ମଧ୍ୟ କହିଛନ୍ତି, ୨୦୨୮ରେ ରାଷ୍ଟ୍ରପତି ଭାବରେ କିଏ ଆମେରିକୀୟ ଲୋକଙ୍କ ପାଇଁ ସବୁଠାରୁ ଭଲ କାମ କରିବେ ତାହା ଉପରେ ଗୁରୁତ୍ବ ଦିଆଯିବା ଆବଶ୍ୟକ।
୨୦୨୪ ମସିହାରେ ରାଷ୍ଟ୍ରପତି ନିର୍ବାଚନରେ ହାରିସ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ପରାସ୍ତ ହୋଇଥିଲେ। ଟ୍ରମ୍ପ ପପୁଲାର ଭୋଟ ଏବଂ ଇଲେକ୍ଟୋରାଲ କଲେଜ ଉଭୟରେ ବିଜୟୀ ହୋଇଥିଲେ। କମଳା ହାରିସ୍ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସରକାରରେ ଉପରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିଲେ। ହାରିସ୍ ପୂର୍ବରୁ ଆମେରିକାର ସେନେଟର ଏବଂ କାଲିଫର୍ନିଆର ଆଟର୍ଣ୍ଣି ଜେନେରାଲ ସମେତ ଅନ୍ୟାନ୍ୟ ଅନେକ ପଦବୀରେ କାର୍ଯ୍ୟ କରିଛନ୍ତି। ହାରିସ୍ ୨୦୨୦ ମସିହାରେ ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ମନୋନୟନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, କିନ୍ତୁ ବିଫଳ ହୋଇଥିଲେ।
୨୦୨୮ ନିର୍ବାଚନ ପାଇଁ ହାରିସ୍ ବହୁ ଆହ୍ବାନର ସମ୍ମୁଖୀନ ହୋଇପାରନ୍ତି। ମତଦାତାଙ୍କ ମତାମତ ସର୍ଭେରେ ସୂଚାଇ ଦେଇଛନ୍ତି ଯେ, ସେମାନେ ଟ୍ରମ୍ପଙ୍କଠାରୁ ହାରିସଙ୍କ ପରାଜୟ ପରେ ଡେମୋକ୍ରାଟିକ୍ ପାର୍ଟିରେ ନୂତନ ନେତା ଚାହାଁନ୍ତି। ହାରିସ୍ କହିଛନ୍ତି, ମୁଁ ଚାରି ବର୍ଷ ଉପରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିଲି ଏବଂ ରାଷ୍ଟ୍ରପତି ପଦଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଥିଲି। ମୁଁ ଓଭାଲ୍ ଅଫିସ୍ ନିକଟରେ ଥିବା ମୋ ୱେଷ୍ଟ ୱିଙ୍ଗ କାର୍ଯ୍ୟାଳୟରେ ଅନେକ ଘଣ୍ଟା ବିତାଇଛି। ମୁଁ ଓଭାଲ୍ ଅଫିସ୍ ସହିତ ସିଚୁଏସନ୍ ରୁମ୍ରେ ମଧ୍ୟ ବହୁ ସମୟ ବିତାଇଛି। ମୁଁ ରାଷ୍ଟ୍ରପତିଙ୍କ କାମ ଏବଂ ଏହାର ଆବଶ୍ୟକତା ଜାଣିଛି।
ସୌଜନ୍ୟ Prameya News7

