ଜାତୀୟ

War: ମଧ୍ୟପ୍ରାଚ୍ୟକୁ ଅତିରିକ୍ତ ୧୦, ୦୦୦ ସୈନିକ ପଠାଇଲା ପେଣ୍ଟାଗନ

ୱାସିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋଟିଏ ପଟେ ଅସ୍ତ୍ରବିରତି ସ୍ଥାୟୀ ହେବାନେଇ ଆଶା ପ୍ରକଟ କରିଥିବା ବେଳେ ଅନ୍ୟପଟେ ମଧ୍ୟପ୍ରାଚ୍ୟକୁ ପେଣ୍ଟାଗନ ପ୍ରାୟ ୧୦,୦୦୦ ଅତିରିକ୍ତ ସୈନ୍ୟ ପଠାଇ ଦ୍ବନ୍ଦ୍ବ ସୃଷ୍ଟି କରିଛି। ବିମାନ ପରିବହନକାରୀ ୟୁଏସ୍ଏସ୍ ଜର୍ଜ ଏଚ୍ ଡବ୍ଲ୍ୟୁ ବୁଶ୍ ଏବଂ ଏହାର ଏସକର୍ଟ ଜାହାଜରେ ପ୍ରାୟ ୬,୦୦୦ ସୈନ୍ୟ ଥିବାବେଳେ ବକ୍ସର ଆମ୍ଫିବିୟସ୍ ରେଡି ଗ୍ରୁପ୍ ଏବଂ ଏକାଦଶ ମେରାଇନ୍ ଏକ୍ସପେଡିସନାରୀ ୟୁନିଟ୍ର ଅନ୍ୟ ୪,୨୦୦ ସୈନ୍ୟ ଚଳିତ ମାସ ଶେଷରେ ପହଞ୍ଚିବେ ବୋଲି ଆଶା କରାଯାଉଛି।

ଏହି ସୈନ୍ୟବାହିନୀ ଗଲ୍ଫ ଅଞ୍ଚଳରେ ସଂଯୁକ୍ତ ଅପରେସନରେ ନିୟୋଜିତ ପ୍ରାୟ ୫୦,୦୦୦ ଆମେରିକୀୟ କର୍ମଚାରୀଙ୍କ ସହ ଯୋଗ ଦେବ। ତିନୋଟି ବିମାନ ପରିବହନକାରୀ ଯୁଦ୍ଧପୋତ- ୟୁଏସ୍ଏସ୍ ଆବ୍ରାହମ୍ ଲିଙ୍କନ୍, ୟୁଏସ୍ଏସ୍ ଜେରାଲ୍ଡ ଆର୍ ଫୋର୍ଡ ଏବଂ ୟୁଏସ୍ଏସ୍ ଜର୍ଜ ଏଚ୍ ଡବ୍ଲ୍ୟୁ ବୁଶ୍ ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ରହିଛି, ଯାହା ସେମାନଙ୍କର ଷ୍ଟ୍ରାଇକ୍ କ୍ଷମତାକୁ ଯଥେଷ୍ଟ ବିସ୍ତାର କରୁଛି। ସୈନ୍ୟ ବୃଦ୍ଧି ସହିତ ଆମେରିକା ଏହାର ବନ୍ଦର ଉପରେ ନୌସେନା ଅବରୋଧ ଲାଗୁ କରି ଇରାନ ଉପରେ ଚାପ ବଢ଼ାଇଛି। ଓମାନ ଉପସାଗର ଏବଂ ଆରବ ସାଗରରେ ମୁତୟନ ହୋଇଥିବା ଯୁଦ୍ଧ ଜାହାଜ ପୂର୍ବରୁ ଅନେକ ଜାହାଜକୁ ଅଟକାଇ ଫେରାଇ ଦେଇଛି। ତେବେ ଏହି ଅପରେସନ୍ ଏପର୍ଯ୍ୟନ୍ତ ବିନା ସଂଘର୍ଷରେ ଚାଲିଛି।

ଆଜି ଆଉ ଏକ ଘଟଣାକ୍ରମରେ ଇରାନ ଏବଂ ଆମେରିକା ମଧ୍ୟରେ କୂଟନୈତିକ ଆଦାନ ପ୍ରଦାନକୁ ସୁଗମ କରିବା ପାଇଁ ପାକିସ୍ତାନ ଫିଲ୍ଡ ମାର୍ଶଲ ଅସୀମ ମୁନିର ତେହେରାନରେ ପହଞ୍ଚିଛନ୍ତି। ମୁନିର ନିକଟରେ ଆମେରିକା-ଇରାନ ଆଲୋଚନା ଉପରେ ଇରାନର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ଏବଂ ଉଭୟ ବୁଝାମଣାକାରୀ ପକ୍ଷର ସ୍ଥିତି ସମୀକ୍ଷା କରିବେ ବୋଲି ଆଶା କରାଯାଉଛି। ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତବା ଅଲି ଖେମିନିଙ୍କୁ ମଧ୍ୟ ମୁନିର ଭେଟିବା ସମ୍ଭାବନା ରହିଛି।

 

 

ସୌଜନ୍ୟ ସମ୍ବାଦ

Show More
Back to top button