Nashik BPO: ଟିସିଏସ୍‌ ନାସିକ୍‌ ଯୌନ ନିର୍ଯାତନା ମାମଲାର ତଦନ୍ତ କରିବ ଜାତୀୟ ମହିଳା ଆୟୋଗ- ନାସିକ୍‌ ବିପିଓ ଯିବ ଜାତୀୟ ମହିଳା ଆୟୋଗ ଟିମ୍

ମୁମ୍ବାଇ: ମହାରାଷ୍ଟ୍ରର ନାସିକ୍‌ ସ୍ଥିତ ଟିସିଏସ୍‌ ବିପିଓ ସେଣ୍ଟରରେ ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯିବା ମାମଲାରେ ଜାତୀୟ ମହିଳା ଆୟୋଗ (ଏନ୍‌ସିଡବ୍ଲ୍ୟୁ) ଘଟଣାକୁ ସ୍ବତ୍ତଃ ସଂଜ୍ଞାନକୁ ନେବା ସହିତ ଏହାର ତଦନ୍ତ କରିବା ପାଇଁ ଏକ ତଥ୍ୟ ଅନୁସନ୍ଧାନ କମିଟି ଗଠନ କରିଛି। ଏନ୍‌ସିଡବ୍ଲ୍ୟୁ ଏକ ବିବୃତି ଜାରି କରି କହିଛି ଯେ, ଏହା ନାସିକ୍‌ ଟିସିଏସ୍‌ ବିପିଓ ଅଫିସ ଯାଇ ଯୌନ ନିର୍ଯାତନା ମାମଲାର ତଦନ୍ତ କରିବ। ଏହି ଘଟଣାକୁ ଆୟୋଗ ଗମ୍ଭୀରତାର ସହ ବିଚାରକୁ ନେଇଛି। ଜାତୀୟ ମହିଳା ଆୟୋଗ ଆଇନ, ୧୯୯୦ ର ଧାରା ୮ ଅନୁଯାୟୀ ଆୟୋଗ ଏହାର କ୍ଷମତା ବ୍ୟବହାର କରି, ଘଟଣାର ବିସ୍ତୃତ ତଦନ୍ତ କରିବା ପାଇଁ ଏକ ତଥ୍ୟ ଅନୁସନ୍ଧାନ କମିଟି ଗଠନ କରିଛି। କମିଟି ଶନିବାର ଘଟଣାସ୍ଥଳ ପରିଦର୍ଶନ କରିବେ।

ଏକ ସରକାରୀ ବିବୃତି ଅନୁଯାୟୀ କିମିଟିରେ ବମ୍ବେ ହାଇକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ସାଧନା ଯାଧବ, ହରିୟାଣାର ପୂର୍ବତନ ଡିଜିପି ବିକେ ସିହ୍ନା, ସୁପ୍ରିମକୋର୍ଟ ଓକିଲ ମୋନିକା ଆରୋରା ଏବଂ ଏନସିଡବ୍ଲ୍ୟୁର ବରିଷ୍ଠ ସଂଯୋଜକ ଲୀଳାବତୀ ଅଛନ୍ତି। କମିଟି ୧୦ ଟି କାର୍ଯ୍ୟ ଦିବସ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବ। ଟିସିଏସ୍‌ ଆଉଟସୋର୍ସିଂ ୟୁନିଟ୍‌ରେ ଦୀର୍ଘ ଦିନ ହେଲା କାର୍ଯ୍ୟକ୍ଷେତ୍ରରେ ନିର୍ଯାତନା ଓ ଧର୍ମ ପରିବର୍ତ୍ତନ ପରି ଗମ୍ଭୀର ଅଭିଯୋଗ ହୋଇଛି।
୨୦୨୬ ମାର୍ଚ୍ଚ ଶେଷ ଭାଗରେ ଟିସିଏସ୍‌ର ଜଣେ ମହିଳା କର୍ମଚାରୀ ପୁଲିସ ନିକଟରେ ଅଭିଯୋଗ କରିବା ପରେ ଏହି ଘଟଣା ସାମ୍‌ନାକୁ ଆସିଥିଲା। ୨୦୨୨ ରୁ ୨୦୨୬ ପର୍ଯ୍ୟନ୍ତ ପ୍ରାୟ ଚାରି ବର୍ଷ ଧରି ମହିଳା କର୍ମଚାରୀଙ୍କ ସହିତ ଦୁଷ୍କର୍ମ ଓ ଧର୍ମ ପରିବର୍ତ୍ତନ ପରି ମାମଲା ଚାଲିଥିଲା। ନାସିକ୍ ପୁଲିସ ଏହି ମାମଲାରେ ଏପର୍ଯ୍ୟନ୍ତ ଆଠ ଜଣଙ୍କୁ ଗିରଫ କରିଛି। ଜଣେ ମହିଳା ଅଭିଯୁକ୍ତ ଫେରାର୍ ଅଛନ୍ତି। ଅଭିଯୋଗର ସବିଶେଷ ତଦନ୍ତ କରିବା ପାଇଁ ଏକ ସ୍ୱତନ୍ତ୍ର ତଦନ୍ତ ଦଳ (ଏସ୍‌ଆଇଟି) ମଧ୍ୟ ଗଠନ କରାଯାଇଛି। ତଦନ୍ତକାରୀ ଦଳ ୪୦ରୁ ଅଧିକ ସିସିଟିଭି ରେକର୍ଡ଼ିଂର ସମୀକ୍ଷା କରିଛି। ଏହାସହିତ ଉଭୟ ଅଭିଯୁକ୍ତ ଓ ଅଭିଯୋଗକାରୀଙ୍କ ବୟାନ ରେକର୍ଡ଼ କରିବ। ତଦନ୍ତ ଜାରି ରହିଥିବାବେଳେ ଅଧିକାରୀମାନେ କହିଛନ୍ତି ଯେ, କୌଣସି ଚୂଡ଼ାନ୍ତ ନିଷ୍କର୍ଷରେ ପହଞ୍ଚିବା ପୂର୍ବରୁ ସମସ୍ତ ଦିଗକୁ ଭଲଭାବେ ଯାଞ୍ଚ କରାଯାଉଛି। ଟାଟା ସନ୍ସର ଅଧ୍ୟକ୍ଷ ଏନ. ଚନ୍ଦ୍ରଶେଖରନ୍ ମଧ୍ୟ ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ କରିଛନ୍ତି। କମ୍ପାନୀ କୌଣସି ପ୍ରକାରର ଅସଦାଚରଣ କିମ୍ବା ବଳପୂର୍ବକ କାର୍ଯ୍ୟ ପ୍ରତି କଠୋର ଶୂନ୍ୟ-ସହିଷ୍ଣୁତା ମନୋଭାବକୁ ଦୋହରାଇଛି।

ଅନ୍ୟପକ୍ଷରେ ନାସିକର ଟିସିଏସ୍ ପରିଚାଳିତ ବିପିଓରେ ମାଷ୍ଟରମାଇଣ୍ଡ ଭାବରେ ଚିତ୍ରିତ ପଳାତକ ୨୬ ବର୍ଷୀୟା ନିଦା ଖାନ ମୁମ୍ବାଇରେ ଅଛନ୍ତି। ନିଦା ଖାନ୍‌ ଗର୍ଭବତୀ ଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି। ନିଦା ଖାନ୍‌ ବିପିଓର ମାନବ ସମ୍ବଳ ଅଧିକାରୀଙ୍କ ଟିମ୍‌ରେ ଥିବା କେତେକ ଗଣମାଧ୍ୟମ ଦାବି କରୁଥିବାବେଳେ ତାଙ୍କ ପରିବାର ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ନିଦା ଟେଲି-କଲର ଥିବାବେଳେ ଏହା ସେଲ୍ସ ଟିମ୍‌ର ଏକ ଅଂଶ ବୋଲି ପରିବାର ପକ୍ଷରୁ କୁହାଯାଇଛି। ନିଦା ୨୦୨୧ ଡିସେମ୍ବରରେ ବିପିଓରେ ‌ଯୋଗ ଦେଇଥିଲେ ଓ ସେ କମ୍ପାନିରେ ବରିଷ୍ଠ ଅଧିକାରୀ ନଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି। ନିଦାଙ୍କୁ ମାନବ ସମ୍ବଳ ବିଭାଗର ମୁଖ୍ୟ ଦର୍ଶାଇ ତାଙ୍କର ଏକ ଫଟୋ ସାମାଜିକ ଗଣମାଧ୍ୟମକୁ ଭାଇରାଲ ହେବା ପରେ ସେ ଚର୍ଚ୍ଚାକୁ ଆସିଥିଲେ।

 

 

 

ସୌଜନ୍ୟ ସମ୍ବାଦ