ନୁୟର୍କ,: ମାନବାଧିକାର କର୍ମୀ ଏବଂ ପାଲେଷ୍ଟାଇନ ପାଇଁ ଜାତିସଂଘର ସ୍ୱତନ୍ତ୍ର ରିପୋର୍ଟର ଫ୍ରାନ୍ସେସ୍କା ଆଲବାନିଜ୍ ଗାଜାର ପରିସ୍ଥିତି ଉପରେ ମତ ରଖିଛନ୍ତି। ସେ କହିଛନ୍ତି, ଗାଜାରେ ଇସ୍ରାଏଲର କାର୍ଯ୍ୟକଳାପକୁ କୌଣସି ପ୍ରକାରେ ଯଥାର୍ଥ କୁହାଯାଇ ପାରିବ ନାହିଁ। ପାଲେଷ୍ଟାଇନରେ ଇସ୍ରାଏଲର ଆକ୍ରମଣ ପ୍ରତି ବିଶ୍ୱ ନୀରବ ରହିବା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ବିଶେଷ ଭାବରେ ଇସ୍ରାଏଲ ସହିତ ଭାରତର ସମ୍ପର୍କ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଏକ ସାକ୍ଷାତକାରରେ, ଫ୍ରାନ୍ସେସ୍କା ଇସ୍ରାଏଲ-ପାଲେଷ୍ଟାଇନ ସହ ଜଡିତ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଇଟାଲୀୟ ନାଗରିକ ଆଲବାନିଜ୍ ମାର୍ଚ୍ଚ ୨୩ ତାରିଖରେ ଜାତିସଂଘ ମାନବାଧିକାର ପରିଷଦର ୬୧ତମ ଅଧିବେଶନରେ ‘ନିର୍ଯ୍ୟାତନା ଏବଂ ନରସଂହାର’ ନାମକ ତାଙ୍କର ରିପୋର୍ଟ ଉପସ୍ଥାପନ କରିଥିଲେ। ଏହି ରିପୋର୍ଟରେ, ସେ ନିର୍ଦ୍ଦିଷ୍ଟ ଭାବରେ ୨୦୨୩ ଅକ୍ଟୋବରରୁ ଇସ୍ରାଏଲରେ ପାଲେଷ୍ଟାଇନୀଙ୍କ ଗିରଫଦାରୀ ଏବଂ ଅଟକ ଥିବା ଲୋକଙ୍କ ନିର୍ଯାତନା ବିଷୟରେ ଉଲ୍ଲେଖ କରିଛନ୍ତି। ତାଙ୍କ ରିପୋର୍ଟରେ ୧୮,୫୦୦ ଜଣଙ୍କ ଗିରଫଦାରୀ ବିବରଣୀ ଦିଆଯାଇଛି, ଯେଉଁଥିରେ ୧୫୦୦ ଶିଶୁ ମଧ୍ୟ ସାମିଲ ଅଛନ୍ତି।

