ନୂଆଦିଲ୍ଲୀ/ତେହେରାନ: ବୁଧବାର ଆମେରିକା-ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଶେଷ ହେବା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେହେରାନ ଆଲୋଚନା ଏକ ପ୍ରସ୍ତାବ ସହ ଆଗେଇ ଆସିବା ପର୍ଯ୍ୟନ୍ତ ଏକପାଖିଆ ଭାବେ ଅସ୍ତ୍ରବିରତି ବୃଦ୍ଧି କରିଛନ୍ତି। ତା’ ସତ୍ତ୍ବେ ଇରାନ ହର୍ମୁଜ ପ୍ରଣାଳୀରେ ତିନୋଟି ଜାହାଜ ଉପରେ ଆକ୍ରମଣ କରି ଏହି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। କୌଣସି ଜାହାଜର ବିଶେଷ କ୍ଷତି ହୋଇ ନ ଥିବା ବେଳେ ଏକ ଭାରତୀୟ ଜାହାଜ ସମେତ ଦୁଇଟି ଜାହାଜକୁ ଇରାନ ନିଜ କବ୍ଜାକୁ ନେଇଛି। ଫଳରେ ହର୍ମୁଜ ପ୍ରଣାଳୀରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି।
ଟ୍ରମ୍ପ ବର୍ଦ୍ଧିତ ଅସ୍ତ୍ରବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନ ହର୍ମୁଜ ପ୍ରଣାଳୀରେ ଏକ ଜାହାଜ ଉପରେ ଗୁଳି ଚଳାଇଛି। ଗ୍ରୀସ୍ର ୟୁଫୋରିଆ ବର୍ତ୍ତମାନ ଇରାନ ଉପକୂଳରେ ଅଟକି ରହିଛି। ବ୍ରିଟିସ ସେନା ଅନୁଯାୟୀ, ଇରାନ ରିଭଲ୍ୟୁସନରୀ ଗାର୍ଡ କର୍ପସ (ଆଇଆର୍ଜିସି) ବୁଧବାର ସକାଳେ କୌଣସି ପୂର୍ବ ଚେତାବନୀ ବିନା ଏହି ଆକ୍ରମଣ କରିଛି। ଏହାପରେ ହର୍ମୁଜ ଦେଇ ଭାରତ ଆସୁଥିବା ଜାହାଜ ଓ ଅନ୍ୟ ଏକ ଟ୍ୟାଙ୍କର୍ ଉପରେ ଇରାନ ସେନା ଆକ୍ରମଣ କରିଛି। ଭାରତୀୟ ଜାହାଜ ଉପରେ ଆକ୍ରମଣ ଘଟଣାକୁ ନେଇ ଭାରତ ଓ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଆଶଙ୍କା ଦେଖାଯାଇଛି। ଗତ ସପ୍ତାହରେ ହର୍ମୁଜ ପ୍ରଣାଳୀ ପାର କରୁଥିବା ସମୟରେ ଦୁଇଟି ଭାରତୀୟ ଜାହାଜ ଉପରେ ଆକ୍ରମଣ ହୋଇଥିଲା। ବୁଧବାର ଦୁଇଟି ଜାହାଜ ପାନାମା ପତାକାଧାରୀ ଏମ୍ଏସ୍ସି ଫ୍ରାନ୍ସେସ୍କା ଓ ଲାଇବେରିଆ ପତାକା ବହନ କରୁଥିବା ଏପାମିନୋଡସ୍ ବର୍ତ୍ତମାନ ଆଇଆର୍ଜିସି କବ୍ଜାରେ ଥିବାବେଳେ ଏହାକୁ ଇରାନ ନିଆଯାଇଥିବା ଇରାନ ଜାତୀୟ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି।
ମାରିଟାଇମ୍ ଟ୍ରାଫିକ୍ ତଥ୍ୟ ଅନୁସାରେ, ଏପାମିନୋଡସ୍ ଦୁବାଇରୁ ଗୁଜରାଟର ମୁନ୍ଦ୍ରା ବନ୍ଦର ଅଭିମୁଖେ ଆସୁଥିଲା। ଇରାନ ନୌସେନା ପକ୍ଷରୁ କୁହାଯାଇଛି ଯେ, ଜାହାଜ ପାଖରେ ଆବଶ୍ୟକ ଅନୁମତି ନ ଥିଲା। ରଏଟର୍ସ ରିପୋର୍ଟ ଅନୁଯାୟୀ ଗୋଟିଏ ଜାହାଜର ବ୍ରିଜ୍ (କେନ୍ଦ୍ରୀୟ କମାଣ୍ଡ ସେଣ୍ଟର) କ୍ଷତିଗ୍ରସ୍ତ ହୋଇଛି। ଜାହାଜ ଉପରକୁ ଇରାନ ପକ୍ଷରୁ ବନ୍ଧୁକ ଓ ରକେଟ୍ ପ୍ରୋପେଲ୍ଡ ଗ୍ରେନେଡ୍ରେ ଆକ୍ରମଣ କରାଯାଇଥିଲା। ନିକଟରେ ଆମେରିକା ନୌସେନା ଓମାନ ସାଗରରେ ଇରାନର ଦୁଇଟି ମାଲବାହୀ ଜାହାଜକୁ ଆକ୍ରମଣ କରି ଜବତ କରିବା ପରେ ଇରାନ ଏପରି ପଦକ୍ଷେପ ନେଇଛି। ଗତ ସପ୍ତାହରେ ଭାରତୀୟ ଜାହାଜ ଜଗ୍ ଅର୍ଣ୍ଣବ ଓ ସନ୍ମାର୍ ହେରାଲ୍ଡ ଉପରେ ଆକ୍ରମଣକୁ ନେଇ ଭାରତ ଇରାନର ରାଷ୍ଟ୍ରଦୂତଙ୍କୁ ସମନ କରି ତୀବ୍ର ପ୍ରତିକ୍ରିୟା ରଖିଥିଲା। ଏପ୍ରିଲରେ ଭାରତର ପ୍ରାୟ ୧୦ଟି ଜାହାଜ ହର୍ମୁଜ ପ୍ରଣାଳୀ ପାର କରିଥିଲା। କିନ୍ତୁ ଇରାନରେ ବର୍ତ୍ତମାନ ପ୍ରଭାବଶାଳୀ ଆଇଆର୍ଜିସି ଓ ରାଜନୈତିକ ନେତୃବୃନ୍ଦଙ୍କ ମଧ୍ୟରେ ବିବାଦ ଦେଖାଦେଇଥିବା କୁହାଯାଉଛି। ଅନ୍ୟପକ୍ଷରେ ଭାରତୀୟ ଜାହାଜ ଉପରେ ଆକ୍ରମଣ ପରେ ଭାରତ ଇରାନର ରାଷ୍ଟ୍ରଦୂତଙ୍କୁ ସମନ ଜାରି କରିଛି। ଟ୍ରମ୍ପଙ୍କ ବର୍ଦ୍ଧିତ ଅସ୍ତ୍ରବିରତି ଘୋଷଣାର ମାତ୍ର କିଛି ଘଣ୍ଟା ପରେ ଇରାନର ସାମରିକ କାର୍ଯ୍ୟାନୁଷ୍ଠାନକୁ ଅସ୍ତ୍ରବିରତିର ସିଧାସଳଖ ଉଲ୍ଲଂଘନ ବୋଲି ବିବେଚନା କରାଯାଉଛି।
ସୌଜନ୍ୟ ଧରିତ୍ରୀ

