କୋଲକାତା: ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆଜି(ଶନିବାର) ଶପଥ ନେବେ। ମମତା ବାନାର୍ଜୀଙ୍କ ପରେ ରାଜ୍ୟର ଶାସନ ଭାର ଏବେ ଶୁଭେନ୍ଦୁ ଅଧିକାରୀଙ୍କ ହାତରେ। ଅଧିକାରୀ ରାଜ୍ୟର ଏକ ପ୍ରଭାବଶାଳୀ ରାଜନୈତିକ ପରିବାରରୁ ଆସିଛନ୍ତି। ତାଙ୍କ ବାପା ଶିଶିର ଅଧିକାରୀ ଉଭୟ ବିଧାନସଭା ଏବଂ ଲୋକସଭାକୁ ପ୍ରତିନିଧିତ୍ବ କରିଛନ୍ତି। ତାଙ୍କ ଭାଇ ଦିବ୍ୟେନ୍ଦୁ ଅଧିକାରୀ ମଧ୍ୟ ୨୦୨୪ରେ ବିଜେପିରେ ଯୋଗଦେବା ପୂର୍ବରୁ ଟିଏମ୍ସିରେ ଥିଲେ।
ଶୁଭେନ୍ଦୁ ୧୯୯୫ ମସିହାରେ ପଶ୍ଚିମବଙ୍ଗରେ ପୌର ନିଗମ ନିର୍ବାଚନ ସମୟରେ କଂଗ୍ରେସ ଦଳରୁ ତାଙ୍କ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ୧୯୯୮ରେ ସେ ନୂଆ କରି ଗଠନ ହୋଇଥିବା ଟିଏମ୍ସିରେ ଯୋଗ ଦେଇଥିଲେ। ମମତା ବାନାର୍ଜୀଙ୍କ ଦଳରେ ଶୁଭେନ୍ଦୁଙ୍କର ଖୁବ୍ଶୀଘ୍ର ଉତ୍ଥାନ ହୋଇଥିଲା ଏବଂ ଉପକୂଳ ବଙ୍ଗରେ ସେ ଜଣେ ବଳିଷ୍ଠ ସାଂଗଠନିକ ଚେହେରାରେ ପରିଣତ ହୋଇଥିଲେ। କାନ୍ଥି ଦକ୍ଷିଣ ଆସନରୁ ପ୍ରଥମେ ୨୦୦୬ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ପରେ ବାମ ଦଳ ବିରୋଧରେ ସିଙ୍ଗୁର ଏବଂ ନନ୍ଦୀଗ୍ରାମ ଆନ୍ଦୋଳନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଏହି ଅଭିଯାନ ମମତାଙ୍କୁ ୨୦୧୧ରେ କ୍ଷମତାକୁ ଆଣିବାପାଇଁ ବେଶ୍ ସହଯୋଗ କରିଥିଲା। ମମତାଙ୍କ ଘନିଷ୍ଠ ସହଯୋଗୀ ଶୁଭେନ୍ଦୁ ତାଙ୍କ ସରକାରରେ ଜଣେ ମନ୍ତ୍ରୀ ଥିଲେ। ସେ ମଧ୍ୟ ୨୦୦୯ ଏବଂ ୨୦୧୪ରେ ତାମଲୁକ ଲୋକସଭା ଆସନରେ ସାଂସଦ ହୋଇଥିଲେ।
ସୌଜନ୍ୟ ସମ୍ବାଦ

