ଓଡ଼ିଆ ଆଲବମ୍ ଓ ଚଳଚ୍ଚିତ୍ର ଜଗତରେ ଦେବାଶିଷ ମଲ୍ଲିକ ଏକ ପରିଚିତ ନାମ, ଯାହାଙ୍କୁ ସାଧାରଣରେ ସମସ୍ତେ ‘ଜାପାନୀ ଭାଇ’ ଭାବରେ ଜାଣନ୍ତି। ଜଗତସିଂହପୁର ଜିଲ୍ଲାର ବାଲିକୁଦା ଅନ୍ତର୍ଗତ ନାଗପୁର ଗ୍ରାମରେ ଜନ୍ମିତ ଦେବାଶିଷ, ନିଜର କଠିନ ପରିଶ୍ରମ ଓ ସଙ୍ଗୀତ ପ୍ରତି ଥିବା ନିଷ୍ଠା ଯୋଗୁଁ ଆଜି ଓଡ଼ିଶାର ଘରେ ଘରେ ପରିଚିତ।
/filters:format(webp)/sambad/media/media_files/2026/05/09/img-2026-05-09-18-12-55.jpeg)
ସବୁ କ୍ଷେତ୍ରରେ ସଫଳ ଜାପାନୀ
୨୦୦୪ ମସିହାରେ ସେ ପ୍ରଥମେ ଅଭିନୟ ମାଧ୍ୟମରେ ସଙ୍ଗୀତ ଜଗତରେ ପାଦ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ଜଣେ ସଙ୍ଗୀତ ନିର୍ଦ୍ଦେଶକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ନିର୍ଦ୍ଦେଶିତ କିଛି ଲୋକପ୍ରିୟ ଗୀତ ଥିଲା, ତୁ ଚିନ୍ତାରୁ ପାଇବୁ ତ୍ରାହି ଡାକ ସାଇ ସାଇ…, ନାଲି ଗୋଲାପରେ ତୁମେ, ଏ ମନ ମୋ ମନ…(ହ୍ୟୁମାନ ସାଗରଙ୍କ ସହ ଏହି ଗୀତଟି ୧୦୦ ମିଲିୟନରୁ ଅଧିକ ଭ୍ୟୁ ପାଇ ସାରା ଓଡ଼ିଶାରେ ଚହଳ ପକାଇଥିଲା), ଦୁଃଖ ମୋ ଭାଗ୍ୟରେ ଲେଖା…, ଧନ ଲୋ ଧନ…, ଆଲୋ ପାଗେଳି ଗଲୁ ବଦଳି… ଇତ୍ୟାଦି ମିଲିୟନ୍ ହିଟ୍ ହୋଇଥିଲା। ଏହାସହ ସେ ଯାତ୍ରା ଜଗତ ସହ ବି ଜଡ଼ିତ।
ଦେବାଶିଷ ମନ ମୋର କାଗଜ ଗୁଡ଼ି, ଡିୟର୍ ଲଭ୍, ଜୟବୀର, ସୀତା, ଭିଲେନ୍ ଓ ପରୀ ଆଦି ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏହାସହ ସେ ଉଦିତ ନାରାୟଣ, କୁମାର ସାନୁ, ଅଭିଜିତ ଭଟ୍ଟାଚାର୍ଯ୍ୟ, ସୋନୁ ନିଗମ, ମହମ୍ମଦ ଇର୍ଫାନ୍ ଓ କୈଳାଶ ଖେର୍ଙ୍କ ପରି ମୁମ୍ବାଇର ଅନେକ ଦିଗଜ କଣ୍ଠଶିଳ୍ପୀଙ୍କ ସହ ମଧ୍ୟ କାମ କରିଛନ୍ତି।
ସଙ୍ଗୀତ ବ୍ୟତୀତ ଦେବାଶିଷ ଜଣେ ସଫଳ ବ୍ୟବସାୟୀ ଓ ପଶୁପ୍ରେମୀ। ଭୁବନେଶ୍ୱରରେ ପଶୁମାନଙ୍କ ସୁରକ୍ଷା ପାଇଁ ସେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଥିଲେ। ସେ ରାଜନୀତି ସହ ମଧ୍ୟ ଜଡ଼ିତ ଥିଲେ ଏବଂ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ। ସେ ସେହି ସମୟରେ ଅନେକ ନିର୍ବାଚନୀ ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ବର୍ତ୍ତମାନ ତାଙ୍କର ନିଜସ୍ୱ ୟୁଟ୍ୟୁବ୍ ଚ୍ୟାନେଲ ଅର୍ମାନ୍ ମ୍ୟୁଜିକ୍ର ୨ ମିଲିୟନରୁ ଅଧିକ ସବ୍ସ୍କ୍ରାଇବର୍ ଅଛନ୍ତି।
‘‘ମୁଁ କାହା ପାଖରୁ ସଙ୍ଗୀତ ଶିଖିନାହିଁ, ଏହା କେବଳ ଈଶ୍ୱରଙ୍କ ଆଶୀର୍ବାଦ ଏବଂ ନିଜର ଚେଷ୍ଟା ଯୋଗୁଁ ସମ୍ଭବ ହୋଇଛି” ବୋଲି କହନ୍ତି ଜାପାନୀ ଭାଇ।
ଦେବାଶିଷଙ୍କ ବାପା କୃଷ୍ଣଚନ୍ଦ୍ର ମଲ୍ଲିକ ଓ ମାଆ ରେଣୁକା ମଲ୍ଲିକ। ସେ ବାଲିକୁଦା ହାଇସ୍କୁଲରୁ ନିଜର ସ୍କୁଲ ଶିକ୍ଷା ସମାପ୍ତ ପରେ ଜଗତସିଂହପୁରର ଏସ୍ଭିଏମ୍ କଲେଜରେ ଅଧ୍ୟୟନ କରିଥିଲେ। ତାଙ୍କ ପତ୍ନୀ ସୋନାଲି ଓ ପୁଅ ଅର୍ମାନ୍ଙ୍କୁ ନେଇ ତାଙ୍କର ସୁଖର ସଂସାର। ନିଜର ସଫଳତା ପଛରେ ସେ ତାଙ୍କ ପତ୍ନୀଙ୍କ ପ୍ରେରଣା ଓ ନିଷ୍ଠାକୁ ଶ୍ରେୟ ଦିଅନ୍ତି।
ସୌଜନ୍ୟ ସମ୍ବାଦ

