Putin Proposes Iran: ରୁଷକୁ ବିଶ୍ୱାସ କରୁନି ଆମେରିକା: ପୁଟିନ କହିଲେ ଇରାନ ମସ୍କୋକୁ ୪୪୦ କିଲୋଗ୍ରାମ ୟୁରାନିୟମ ହସ୍ତାନ୍ତର କରିବ,ରାଜି ହେଲେନି ଟ୍ରମ୍ପ

ମସ୍କୋ/ୱାସିଂଟନ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଇରାନ ଏବଂ ଆମେରିକା ମଧ୍ୟରେ ବିବାଦର ସମାଧାନ ପାଇଁ ୱାସିଂଟନକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି। ବୁଧବାର ଏକ ଫୋନ୍ ବାର୍ତ୍ତାଳାପ ସମୟରେ, ପୁଟିନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କହିଥିଲେ ଯେ, ଯଦି ଇରାନ ୪୪୦ କିଲୋଗ୍ରାମ ସମୃଦ୍ଧ ୟୁରାନିୟମ ରୁଷକୁ ଦେଇଦିଏ ତେବେ ପରମାଣୁ ଅସ୍ତ୍ର ସମସ୍ୟାର ସବୁଦିନ ପାଇଁ ସମାଧାନ ହୋଇଯିବ। ଆଲୋଚନାର ଏହି ଅଂଶ ବ୍ରିଟିଶ ଖବରକାଗଜ ଦି ଡେଲି ମେଲ୍‌ରେ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ,ପୁଟିନ ଏହାକୁ ରୁଷକୁ ହସ୍ତାନ୍ତର କରିବାକୁ ପରାମର୍ଶ ଦେଇଥିଲେ। ଇରାନ ଏଥିରେ ରାଜି ହେବ ବୋଲି ସେ କହିଥିଲେ। ତେବେ ପୁଟିନଙ୍କ ପ୍ରସ୍ତାବକୁ ଟ୍ରମ୍ପ ‘ନା’ କହି ସିଧାସଳଖ ପ୍ରତ୍ୟାଖ୍ୟାନ କରିଥିଲେ । ଟ୍ରମ୍ପ କହିଥିଲେ ଯେ ସମୃଦ୍ଧ ୟୁରାନିୟମକୁ ଆମେରିକାକୁ ହସ୍ତାନ୍ତର କରିବା ଏକମାତ୍ର ସମାଧାନ।