Rathkhala: ରଥଖଳା: ଶୀତଳ ଷଷ୍ଠୀ ପୂର୍ବରୁ ସରିବ ରଥ ଚକ କାର୍ଯ୍ୟ

ପୁରୀ: ରଥ ଗଢ଼ା କାର୍ଯ୍ୟ ୨୪ ଦିନରେ ପହଞ୍ଚିଛି। ଗତକାଲି ୩୨ଟି ରଥ ଚକ ନିର୍ମାଣ କାର୍ଯ୍ୟ ସରିଥିଲା। ଶୀତଳ ଷଷ୍ଠୀ ପୂର୍ବରୁ ସମସ୍ତ ରଥ ଚକ କାମ ସରିବା ନେଇ ଲକ୍ଷ୍ୟଧାର୍ଯ୍ୟ ଥିବାରୁ ଏନେଇ କାମ ଆଗେଇ ଚାଲିଛି। ପଇ କାଠ ପାଇଁ କିଛି ଚକ କାର୍ଯ୍ୟ ଅଟକି ରହିଛି। ନନ୍ଦିଘୋଷ ରଥର ୧୬ଟି ଚକ ମଧ୍ୟରୁ ୧୩ଟି ଚକ ନିର୍ମାଣ ଶେଷ ହୋଇଛି। ଆଉ ଗୋଟିଏ ଚକର ବିଲେଇ ବାଡ଼ିଆ ବାକି ରହିଛି। ଏଥିସହ ନନ୍ଦିଘୋଷ ରଥଚଉତା ହଣା ସରିଛି। ନାହାକା ହଣା କାର୍ଯ୍ୟ ଜାରି ରହିଛି। ଯୋକା କାମ ଶେଷ ହୋଇଛି। ସେହିଭଳି ତାଳଧ୍ବଜ ରଥର ୧୪ଟି ଚକ ମଧ୍ୟରୁ ୯ଟିର କାମ ଶେଷ ହୋଇଛି।

ଚାରି ନାହାକା କାର୍ଯ୍ୟ ମହାରଣା ସେବକମାନେ ଶେଷ କରିଛନ୍ତି। ଏଥିସହ ତାଳଧ୍ବଜ ରଥର ୧୨ଟି ଚଉତା କାମ ଶେଷ ହୋଇଛି। ପୂର୍ବରୁ ଖମ୍ବି କାର୍ଯ୍ୟ ଶେଷ ହୋଇଥିଲା। ଦର୍ପଦଳନ ରଥର ୧୨ଟି ଚକରୁ ୧୦ଟି ଚକର ନିର୍ମାଣ ଶେଷ ହୋଇସାରିଛି। ଆଉ ୨ଟିର ନିର୍ମାଣ କାର୍ଯ୍ୟ ଜାରି ରହିଛି। ତୁମ୍ବଗୁଡ଼ିକରେ ସିଙ୍ଗଡ଼ା ବାଡ଼ିଆ ଶେଷ ହୋଇଛି। ତିନିରଥର ମୁହାଁଟ, ନିରାଡ଼ି, ଭୂଇଁ ଖମ୍ବି, ଚଉପଟ ଓ ଭୂଇଁ ଚଉତା ନିର୍ମାଣ ଜାରି ରହିଛି। ଭୂଇଁ ଚଉତାର ଚଉପଟ କାର୍ଯ୍ୟ ଜାରି ରହିଛି। ଯୋକାଗୁଡ଼ିକର ମଣ୍ଡଣି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରୂପକାର ସେବକ ସାଲଗୁଜରେ ନୃସିଂହ ରୂପ ଖୋଦେଇ ସହ ଖୋଦେଇ ସରିଥିବା ରୂପଗୁଡ଼ିକୁ ପଲିସ୍‌ କରୁଛନ୍ତି। ଦୋଳବେଦି ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ତିନି ରଥର ଚକ ପାଇଁ ଅର କଣ୍ଟା, ପନ୍ଦାରି, ବଳା, ପନ୍ଦାରି ଚାବି ନିର୍ମାଣ ଶେଷ କରିଛନ୍ତି। ତିନିରଥର ଅଖ ଦଣ୍ଡା ବିଡ଼ିଆ ଓ ଚଉରସ କଣ୍ଟା ନିର୍ମାଣ ଜାରି ରଖିଛନ୍ତି।

 

 

 

ସୌଜନ୍ୟ ସମ୍ବାଦ