କେନ୍ଦୁଝର: କେନ୍ଦୁଝର ସଦର ବନାଞ୍ଚଳରେ ବନ ବିଭାଗ ଗତକାଲି ଚଢ଼ଉ କରି ହାତୀଦାନ୍ତ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନଙ୍କ ମଧ୍ୟରୁ ସଦର ଥାନା ଅମୃତପଡ଼ା ଗାଁର ସୁନୀଲ ସୋରେନକୁ ଜେରା ପରେ ଆଜି ତା’ ଘରୁ ଏକ କେଜି ବଜ୍ରକାପ୍ତା କାତି ଜବତ ହୋଇଛି। ଜେରା ବେଳେ ସୁନୀଲ ବନ୍ୟପ୍ରାଣୀ ହତ୍ୟା କରିଥିବା ସ୍ୱୀକାର କରିଥିଲା। ସଦର ରେଞ୍ଜର ଅଜିତ କୁମାର ଦାସ, ଫରେଷ୍ଟର ଯତୀନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ଆଜି ସକାଳୁ ସୁନୀଲର ଘରେ ଚଢ଼ଉ କରିଥିଲେ।
ଗାଁ ନିକଟ ନୟାଗଡ଼ ଜଙ୍ଗଲ ଭିତରେ ଏକ ଉଇହୁଙ୍କାରୁ ବଜ୍ରକାପ୍ତାକୁ ଶିକାର କରି ଖାଇବା ପରେ ଏହାର କାତିକୁ ବିକ୍ରି ଉଦ୍ଦେଶ୍ୟରେ ସେ ଲୁଚାଇ ରଖିଥିଲା। ଜବତ ବଜ୍ରକାପ୍ତା କାତିର ଓଜନ ପ୍ରାୟ ୧ କିଲୋ ହେବ ବୋଲି ଜଣାପଡ଼ିଛି। ହାତୀଦାନ୍ତ କାରବାରରେ ବନ ବିଭାଗ ଆଜି ଅନ୍ୟ ୨ ଜଣଙ୍କୁ ଅଟକ ରଖିଛି। ସେମାନେ ହେଲେ ସଦର ଥାନା କଣ୍ଡରାପଶି ଗାଁର ଗେଡ଼ା ମାଝୀ (୫୦) ଓ ବାମେବାରି ଥାନା ସାରୁକୁଦ ଗାଁର ବିଭୀଷଣ ମୁଣ୍ଡା(୨୨)। ସହକାରୀ ବନ ସଂରକ୍ଷକ ଅଶୋକ କୁମାର ଦାସଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି।
ସୌଜନ୍ୟ ସମ୍ବାଦ

