Mohan government: ନିରାଡ଼ମ୍ବର ହେବ ମୋହନ ସରକାରଙ୍କ ୨ବର୍ଷ ପୂର୍ତ୍ତି

ଭୁବନେଶ୍ବର: ଆସନ୍ତା ଜୁନ୍ ୧୨ ତାରିଖରେ ରାଜ୍ୟର ବିଜେପି ସରକାର ଦୁଇ ବର୍ଷ ପୂର୍ତ୍ତି ପାଳନ କରିବେ। ଏଥି ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଯେହେତୁ ବର୍ତ୍ତମାନ ପଶ୍ଚିମ-ଏସିଆ ପରିସ୍ଥିତି ଯୋଗୁ ସମଗ୍ର ଦେଶ ଏକ ସଂକଟମୟ ପରିସ୍ଥିତି ଦେଇ ଗତି କରୁଛି, ସେଥିପାଇଁ ଏହି ଉତ୍ସବକୁ ନିରାଡମ୍ବର ଭାବେ ପାଳନ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାପକ ଉତ୍ସବ ପାଳନ ବଦଳରେ ୨ ବର୍ଷର ଉପଲବ୍ଧି ଉପରେ ଅଧିକ ଫୋକସ କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି। ସରକାରଙ୍କ ଏହି ଉପଲବ୍ଧି ହେଉଛି ଲୋକଙ୍କ ପାଇଁ, ତେଣୁ ଏହି ସଫଳତା ଯେପରି ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ କାର୍ଯ୍ୟକ୍ରମ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏଥିପାଇଁ ପ୍ରିଣ୍ଟ, ଇଲୋକ୍ଟ୍ରୋନିକ୍‌ସ, ସାମାଜିକ ଗଣମାଧ୍ୟମରେ ସରକାରଙ୍କ ଉପଲବ୍ଧିର ପ୍ରସାର ସହିତ ପୁସ୍ତିକା ପ୍ରକାଶନ କରାଯିବ। ଏଥି ସହିତ କାର୍ଯ୍ୟକାରୀ ହୋଇଥିବା ପ୍ରତ୍ୟେକ ଜନକଲ୍ୟାଣକାରୀ ଯୋଜନା ମାଧ୍ୟମରେ  ସାଧାରଣ ଲୋକ କିଭଳି ଉପକୃତ ହେଉଛନ୍ତି ତାର ଚିତ୍ର ସର୍ବସାଧାରଣକୁ ଆଣିବା ପାଇଁ ବୈଠକରେ ଗୁରୁତ୍ବାରୋପ ହୋଇଥିଲା।

ବୈଠକରୁ ଜଣାଯାଇଛି, ଆଗାମୀ ଜୁନ୍ ୧୨ ତାରିଖରେ ରାଜ୍ୟ ସରକାରଙ୍କର ୨ ବର୍ଷ ପୂର୍ତ୍ତି ପାଳନ କରାଯିବ। ଏଥିପାଇଁ ଜୁନ୍ ୧୨ରୁ ୨୧ ପର୍ଯ୍ୟନ୍ତ ଉଭୟ ରାଜ୍ୟ ଓ ଜିଲ୍ଲା ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବିଭିନ୍ନ ବିଭାଗର ସଫଳତାକୁ ସନ୍ନିବେଶିତ କରି ଶକ୍ତି ଓଡ଼ିଶା, ସମୃଦ୍ଧ କୃଷି ଓଡିଶା, ସୁସ୍ଥ ଓଡ଼ିଶା, ନିର୍ମାଣ ଓଡ଼ିଶା, ଉତ୍କର୍ଷ ଓଡ଼ିଶା, ଜନଶକ୍ତି ଓଡ଼ିଶା ଏବଂ କୌଶଳ ଓଡ଼ିଶା ଆଦି ଏହି ୭ଟି ଥିମ୍‌ରେ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ । ଏଥିସହିତ ୨୦୨୬ରୁ ୨୦୩୬ ପର୍ଯ୍ୟନ୍ତ ସରକାରଙ୍କ ଲକ୍ଷ୍ୟ ଏବଂ ଆଭିମୁଖ୍ୟ ଗୁଡିକ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ୍ ରହିବ।

ବିଭାଗୀୟ ମନ୍ତ୍ରୀମାନେ ଦୁଇ ବର୍ଷ ମଧ୍ୟରେ ନିଜ ନିଜ ବିଭାଗରେ ହାସଲ ହୋଇଥିବା ସଫଳତାକୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀଙ୍କୁ ଦେବାକୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ତାହାକୁ ସାର୍ବଜନୀନ କଲା ପରେ ମନ୍ତ୍ରୀମାନେ ମନ୍ତ୍ରୀମାନେ ସାମ୍ବାଦିକ ସମ୍ମିଳନୀ କରି ଏ ସମ୍ପର୍କରେ ସୂଚନା ଦେବେ। ବିଭାଗଗୁଡିକର ସଫଳତା ସମ୍ପର୍କିତ ଲିଫଲେଟ୍, ପୁସ୍ତିକା ପ୍ରକାଶ କରାଯିବ। ଏହା ମାଧ୍ୟମରେ ରାଜ୍ୟର ସମୃଦ୍ଧି ଓ ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ଆମର ଯେଉଁ ଆଭିମୁଖ୍ୟ ରହିଛି, ତାହା ଲୋକଙ୍କ ପାଖରେ ପହଞ୍ଚାଇବାରେ ଆମେ ସଫଳ ହେବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବୈଠକରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ଏବଂ ବିଭିନ୍ନ ବିଭାଗର ସଚିବସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ।
ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବ: ରାଜସ୍ବ ମନ୍ତ୍ରୀ
ଦୁଇ ବର୍ଷ ପୂର୍ତ୍ତି ପାଳନ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜୁନ୍‌ ୧୨ ତାରିଖରୁ ୧୦ ଦିନ ଧରି ସରକାର ଦୁଇ ବର୍ଷ ପୂର୍ତ୍ତି ପାଳନ କରିବେ। ଏହି ଅବସରରେ ଯେ କୌଣସି ଦିନ ପ୍ରଧାନମନ୍ତ୍ରୀ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆବଶ୍ୟକ ସମ୍ମତି ମିଳିବା ପରେ ରାଜ୍ୟ ସରକାର ଆୟୋଜନ କରିବେ।

 

 

 

ସୌଜନ୍ୟ ସମ୍ବାଦ