Diet Coke Price Increase: ବଜାରକୁ ଫେରିଲା Diet Coke, କ୍ୟାନ ଅଭାବରୁ କାଚ ବୋତଲ ଦାମ୍ ୧୦୦ ଟଙ୍କା

ନୂଆଦିଲ୍ଲୀ: ସପିଂ ମଲ୍ ଏବଂ ଦୋକାନ ବଜାରରୁ ଗାୟବ ହୋଇଯାଇଥିବା ପ୍ରସିଦ୍ଧ ସୁଗାର-ଫ୍ରି କୋଲ୍ଡ ଡ୍ରିଙ୍କସ୍ ‘ଡାଏଟ୍ କୋକ୍’ (Diet Coke) ପୁଣି ଥରେ ବଜାରକୁ ଫେରିଛି। ମାତ୍ର ଏହାର ନୂଆ ଦାମ୍ ଶୁଣି ଗ୍ରାହକ ଚକିତ ହୋଇଯାଇଛନ୍ତି। ବଜାରରେ ଏବେ ମାତ୍ର ୨୦୦ ମିଲିଲିଟରର (200 ml) ଏକ କାଚ ବୋତଲ ଡାଏଟ୍ କୋକ୍ର ମୂଲ୍ୟ ପ୍ରାୟ ୧୦୦ ଟଙ୍କାରେ ପହଞ୍ଚିଛି। ପୂର୍ବରୁ ଏହାର ଆଲୁମିନିୟମ୍ କ୍ୟାନ୍ ମାତ୍ର ୩୦ ଟଙ୍କାରେ ମିଳୁଥିଲା, ଯାହା ଏବେ ୩ ଗୁଣରୁ ଅଧିକ ମହଙ୍ଗା ହୋଇଯାଇଛି।

କାହିଁକି ବଢ଼ିଲା ଦର?

ରିପୋର୍ଟ ଅନୁଯାୟୀ, ଆମେରିକା ଏବଂ ଇରାନ ମଧ୍ୟରେ ଲାଗିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ସାରା ବିଶ୍ୱରେ ଆଲୁମିନିୟମ୍ ଯୋଗାଣ ବାଧାପ୍ରାପ୍ତ ହୋଇଛି। ମଧ୍ୟପ୍ରାଚ୍ୟର ପ୍ରମୁଖ ବାଣିଜ୍ୟିକ ମାର୍ଗ ‘ହୋର୍ମୁଜ ଜଳପଥ’ (Strait of Hormuz) ଆମେରିକାର ସାମୁଦ୍ରିକ କଟକଣା ଯୋଗୁଁ ବନ୍ଦ ରହିଥିବାରୁ ଉପସାଗରୀୟ ଦେଶଗୁଡ଼ିକରୁ ଭାରତକୁ ଆଲୁମିନିୟମ୍ ଆମଦାନୀ ହୋଇପାରୁନାହିଁ। ଭାରତରେ ଡାଏଟ୍ କୋକ୍ ମୁଖ୍ୟତଃ ଆଲୁମିନିୟମ୍ କ୍ୟାନ୍ରେ ହିଁ ବିକ୍ରି ହେଉଥିବାରୁ ଏହାର ଉତ୍ପାଦନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ଏହି ସଙ୍କଟରୁ ବର୍ତ୍ତିବା ପାଇଁ କୋକାକୋଲା କମ୍ପାନୀ ଏବେ କ୍ୟାନ୍ ବଦଳରେ କାଚ ବୋତଲରେ ଏହାକୁ ବଜାରକୁ ଛାଡ଼ିଛି। ତେବେ ପରିବହନ ଖର୍ଚ୍ଚ ଏବଂ କାଚ ବୋତଲର ପ୍ୟାକେଜିଂ ମୂଲ୍ୟ ଅଧିକ ଥିବାରୁ ଏହାର ଦାମ୍ ଏତେ ପରିମାଣରେ ବୃଦ୍ଧି ପାଇଛି।

ବଜାରରେ ଦେଖାଦେଇଥିଲା ବ୍ଲାକ୍ ମାର୍କେଟିଂ ଓ କ୍ରେଜ୍

ଗତ ଏପ୍ରିଲ ମାସରୁ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଏବଂ ପୁଣେ ଭଳି ବଡ଼ ବଡ଼ ସହରରେ ଡାଏଟ୍ କୋକ୍ର ପ୍ରବଳ ଅଭାବ ଦେଖାଦେଇଥିଲା। ଏହାର ସ୍ୱତନ୍ତ୍ର ଗ୍ରାହକମାନେ ଘରେ ଡାଏଟ୍ କୋକ୍ର କ୍ୟାନ୍ ଗଚ୍ଛିତ କରି ରଖିବା ଆରମ୍ଭ କରିଦେଇଥିଲେ ଏବଂ ସୋସିଆଲ ମିଡିଆରେ ଅନେକ ମିମ୍ସ ମଧ୍ୟ ଭାଇରାଲ ହୋଇଥିଲା। ଏପରିକି ଦିଲ୍ଲୀ ଏବଂ ମୁମ୍ବାଇର କେତେକ ରେଷ୍ଟୁରାଣ୍ଟରେ ଡାଏଟ୍ କୋକ୍ ସିରିଜ୍ର କକଟେଲ୍ ପାର୍ଟି ମଧ୍ୟ ଆୟୋଜନ କରାଯାଇଥିଲା।

‘କୋକ୍ ଜିରୋ’ ସାଜିଲା ବିକଳ୍ପ

ଡାଏଟ୍ କୋକ୍ର ଏହି ଅହେତୁକ ଦର ବୃଦ୍ଧି ଯୋଗୁଁ ମଧ୍ୟବିତ୍ତ ଗ୍ରାହକମାନେ ଏବେ ଅନ୍ୟ ବିକଳ୍ପ ଆଡ଼କୁ ମୁହାଁଇଛନ୍ତି। କମ୍ପାନୀ ପକ୍ଷରୁ ବଜାରରେ ବହୁଳ ମାତ୍ରାରେ ଉପଲବ୍ଧ ଥିବା ‘କୋକ୍ ଜିରୋ’ (Coke Zero) ର ବିକ୍ରି ବଢ଼ାଇବା ପାଇଁ ପ୍ରୟାସ କରାଯାଉଛି, ଯାହା ପ୍ଲାଷ୍ଟିକ୍ ବୋତଲରେ ଆସୁଥିବାରୁ ଏହାର ଦାମ୍ ସ୍ୱାଭାବିକ ରହିଛି। ବ୍ୟବସାୟୀଙ୍କ କହିବା ଅନୁଯାୟୀ, ଯେପର୍ଯ୍ୟନ୍ତ ଆନ୍ତର୍ଜାତୀୟ ବଜାରରେ ଆଲୁମିନିୟମ୍ ଯୋଗାଣ ସ୍ୱାଭାବିକ ନହୋଇଛି, ସେପର୍ଯ୍ୟନ୍ତ ଡାଏଟ୍ କୋକ୍ର ଦାମ୍ ଏଭଳି ଚଢ଼ା ରହିବ।

ସୌଜନ୍ୟ Prameya News7