Fire: ଦୁଇଦିନରେ ଦୁଇ ଟ୍ରେନ୍‌ରେ ଅଗ୍ନିକାଣ୍ଡ: ରାଜଧାନୀ ପରେ ଏବେ ଜଳିଲା ସାସାରାମ-ପାଟନା ପାସେଞ୍ଜର ଟ୍ରେନ୍

ପାଟନା: ବିହାରର ରୋହତାସ ଜିଲ୍ଲାରୁ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ସୋମବାର ସକାଳେ ରୋହତାସ ଜିଲ୍ଲାର ସାସାରାମ ରେଳ ଷ୍ଟେସନ୍‌ରେ ଏକ ଯାତ୍ରୀବାହୀ ଟ୍ରେନ୍‌ରେ ନିଆଁ ଲାଗିଯାଇଛି। ଅଗ୍ନିକାଣ୍ଡ ନେଇ ପ୍ଲାଟଫର୍ମରେ ଆତଙ୍କ ଖେଳିଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସାସାରାମ ଆରପିଏଫ୍ ଇନ୍ସପେକ୍ଟର ସଞ୍ଜୀବ କୁମାର ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନୀ ଦଳ ନିଆଁକୁ ଆୟତ୍ତ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ। ରିପୋର୍ଟ ଅନୁଯାୟୀ, ଏହି ଘଟଣା ସକାଳ ପ୍ରାୟ ସାଢ଼େ ୫ଟା ସମୟରେ ଘଟିଥିଲା। ସୌଭାଗ୍ୟବଶତଃ କେହି ମୃତାହତ ହୋଇନାହାନ୍ତି। ସମୟ ମଧ୍ୟରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଇ ଏକ ବଡ଼ ବିପର‌୍ୟ୍ୟୟକୁ ଏଡାଇ ଦିଆଯାଇଛି। ସୂଚନା ଅନୁଯାୟୀ, ସାସାରାମ-ପାଟନା ପାସେଞ୍ଜର ଟ୍ରେନ୍ ସାସାରାମ ରେଳ ଷ୍ଟେସନରେ ଅଟକି ରହିଥିଲା । ଇଞ୍ଜିନ୍ ପାର୍ଶ୍ୱର ପଞ୍ଚମ କୋଚ୍‌ରେ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁ ବ୍ୟାପିବାରୁ ଗୋଟିଏ କୋଚ୍ ଜଳି ପାଉଁଶ ହୋଇଯାଇଥିଲା।

 

କେହି ମୃତାହତ ହୋଇନାହାନ୍ତି

ସାସାରାମ ଆରପିଏଫ ଇନ୍ସପେକ୍ଟର ସଞ୍ଜୀବ କୁମାର କହିଛନ୍ତି, ଆମେ ସୂଚନା ପାଇଲୁ ଯେ ସାସାରାମ-ପାଟନା ପାସେଞ୍ଜର ଟ୍ରେନରେ ନିଆଁ ଲାଗିଯାଇଛି। ଏଥିରେ କେହି ମୃତାହତ ହୋଇନାହାନ୍ତି। ସୂଚନା ପାଇବା ପରେ, ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ। ଅଗ୍ନିକାଣ୍ଡର କାରଣ ତଦନ୍ତ କରାଯାଉଛି। ନିଆଁକୁ ନିୟନ୍ତ୍ରଣ କରାଯିବା ପରେ, ଜଳିଯାଇଥିବା ବଗିକୁ ବାହାର କରି ଟ୍ରେନ୍‌ର ଧାର‌୍ୟ୍ୟ ଯାତ୍ରା ସମୟକୁ ପରିବର୍ତ୍ତନ କରାଯାଇ ପ୍ରାୟ ଦୁଇ ଘଣ୍ଟା ମଧ୍ୟରେ ଟ୍ରେନ୍‌କୁ ଗନ୍ତବ୍ୟସ୍ଥଳ ଅଭିମୁଖେ ପଠାଯିବ।

ଗତ ଦୁଇ ଦିନ ମଧ୍ୟରେ ଦୁଇଟି ଟ୍ରେନ୍‌ରେ ଅଗ୍ନିକାଣ୍ଡ

ଗତ ଦୁଇ ଦିନ ମଧ୍ୟରେ ଲଗାତାର ଦୁଇଟି ଟ୍ରେନ୍‌ରେ ଅଗ୍ନିକାଣ୍ଡ ଘଟିଛି। ରବିବାର ଦିନ ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ତିରୁବନନ୍ତପୁରମ-ହଜରତ ନିଜାମୁଦ୍ଦିନ ରାଜଧାନୀ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ ଘଟିବାର ଗୋଟିଏ ଦିନ ପରେ ବିହାରରେ ପାସେଞ୍ଜର ଟ୍ରେନ୍ ଘଟଣା ଘଟିଛି ।

 

 

ସୌଜନ୍ୟ ସମ୍ବାଦ