Theft: ବାସୁଦେବ ଜୁଏଲାରୀରୁ ବଡ଼ ଧରଣର ଲୁଟ: ଅସଲି ବଦଳରେ ନେଇଗଲେ ୬ ଲକ୍ଷର ନକଲି ଗହଣା

ବାଲିପାଟଣା: ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ବନମାଳୀପୁର ଫାଣ୍ଡି ନିକଟରୁ ବଡ଼ ଧରଣର ଲୁଟ୍ ହୋଇଛି | ବାସୁଦେବ ଜୁଏଲାରୀ ସଟର ତାଡି ଚୋର ଭିତରେ ପଶିଥିଲେ | ଦ୍ୱିତୀୟ ମହଲାରେ ଥିବା ଅଳଙ୍କାର ଦୋକାନରୁ ବହୁ ପରିମାଣର ନକଲି ସୁନା ଗହଣା ଦୁର୍ବୃତ୍ତମାନେ ନେଇ ଯାଇଥିବା ଜଣା ପଡିଛି | ଲୁଟ ଅଳଙ୍କାର ମୂଲ୍ୟ ୬ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି | ଏ ନେଇ ଦୋକାନ ମାଲିକ ସ୍ଥାନୀୟ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି | ସାଇଣ୍ଟିଫିକ ଟିମ ଘଟଣାର ତଦନ୍ତ କରିବ ବୋଲି ଜଣା ପଡିଛି |ତେବେ ବନମାଳୀପୁର ଭଳି ଗହଳି ବଜାରରେ ପୁଣି ଫାଣ୍ଡି ନିକଟରୁ ଚୋରି ହେବା ସାଧାରଣରେ ଆଲୋଡନ ଖେଳାଇ ଦେଇଛି | ଦୁର୍ବୃତ୍ତଙ୍କ ସଵୁ କାରନାମା ସିସି ଟିଭିରେ କଏଦ ହୋଇଥିବା ଜଣାପଡିଛି | ତେବେ ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି |

ଚୋରି ଅଳଙ୍କାର ସାମଗ୍ରୀ ମୂଲ୍ୟ ୬ ଲକ୍ଷ

ସୂଚନା ଅନୁସାରେ ବନମାଳୀପୁର ବଜାରର ବାସୁଦେବ ଜୁଏଲାରୀ ଏକ ପ୍ରତିଷ୍ଠିତ ଗହଣା ଦୋକାନ | ଅସଲି ସୁନା ଓ ରୁପା ଅଳଙ୍କାର ସହ ଇମିଟେସନ ( ୧ ଗ୍ରାମ ଗୋଲଡ ) ଗହଣା ବିକ୍ରି ହୁଏ | ବହୁ ଗ୍ରାହକଙ୍କ ଭରସାଯୋଗ୍ୟ ଦୋକାନ ଅଟେ | ଗତକାଲି ରାତିରେ ମାଲିକ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ | ରାତି ପ୍ରାୟ ୨ ଟା ବେଳେ ୨ ଜଣ ଦୁର୍ବୃତ୍ତ ଉପର ମହଲା ଦୋକାନ ସଟର ତାଡି ଭିତରେ ପଶିଥିଲେ | ଦୁର୍ବୃତ୍ତମାନେ ମୁହଁରେ କପଡା ବାନ୍ଧିଥିଲେ | ସଟର ଭାଙ୍ଗିବା ପରେ ସୁନା ଭଳି ଦେଖା ଯାଉଥିବା ନକଲି ଅଳଙ୍କାର ଦେଖି ଚୋରମାନେ ବହୁତ ଖୁସି ହୋଇ ଯାଇଥିଲେ | ଏଭଳି ସୁବର୍ଣ୍ଣ ସୁଯୋଗ ହାତଛଡା କରି ନ ଥିଲେ | ପୋଛି ପାଛି ସୋକେଶ ଏବଂ ରାକ ଭିତରେ ଥିବା ସଵୁ ଅଳଙ୍କାର ଲୁଟି ଚମ୍ପଟ ମାରିଥିଲେ | ଚୋରି ଅଳଙ୍କାର ସାମଗ୍ରୀ ମୂଲ୍ୟ ୬ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି | ହେଲେ ଚୋର ଜାଣି ନ ଥିଲେ ଏହା ନକଲି ବୋଲି | ଏନେଇ ଦୋକାନ ମାଲିକ ଦୀନବନ୍ଧୁ ସାହୁ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି |

ବଡ଼ କଥା ହେଉଛି ବନମାଳୀପୁର ଅଞ୍ଚଳ ବ୍ୟବସାୟିକ ପେଣ୍ଠସ୍ଥଳୀ ଅଟେ | ବିଭିନ୍ନ ପ୍ରକାର ଖୁଚୁରା ଏବଂ ମହାଜନୀ ବ୍ୟବସାୟ ଲାଗି ସକାଳୁ ବିଳମ୍ବିତ ରାତି ଯାଏଁ ବଜାରରେ ଲୋକଙ୍କ ଗହଳି ଚହଳି ଲାଗିଥାଏ | ବଜାର ଉପରେ ପୁଲିସ ଫାଣ୍ଡି ରହିଛି | ଫାଣ୍ଡି ଅଧିକାରୀ ଏବଂ ଷ୍ଟାଫ ନିୟୋଜିତ ହୋଇଛନ୍ତି | ଫାଣ୍ଡି ନିକଟରୁ ଚୋରି କରି ଦୁର୍ବୃତ୍ତମାନେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି | ଚୋରି ଘଟଣାର ତଦନ୍ତ କରି ଦୁର୍ବୃତ୍ତଙ୍କୁ ଧରିବାକୁ ସାଧାରଣରେ ଦାବି ହୋଇଛି |

 

 

 

ସୌଜନ୍ୟ ସମ୍ବାଦ