ନୂଆଦିଲ୍ଲୀ: ପଶ୍ଚିମ ଏସିଆ ଯୁଦ୍ଧ ବିଶ୍ବରେ ତୈଳସଙ୍କଟ ସୃଷ୍ଟି କରିଥିଲେ ମଧ୍ୟ ଦେଶରେ ବର୍ତ୍ତମାନ ଶକ୍ତି ସଙ୍କଟ ନଥିବା ସୋମବାର ସଂସଦୀୟ ପାନେଲକୁ ଆଶ୍ବାସନା ଦେଇ କେନ୍ଦ୍ର ସରକାର କହିଛନ୍ତି। ଭାରତ ଯେକୌଣସି ସଙ୍କଟର ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ଓ ଯଦି ସଂଘର୍ଷ ପରିସ୍ଥିତି ପ୍ରଶମିତ ହୁଏ, ତେବେ ‘ଚାରିରୁ ପାଞ୍ଚ ଦିନ’ ମଧ୍ୟରେ ଯୋଗାଣ ସ୍ୱାଭାବିକ ହେବ ବୋଲି କହିଛନ୍ତି।
ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହିତ ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟିର ପ୍ରାୟ ଦୁଇ ଘଣ୍ଟା ଧରି ଅନୁଷ୍ଠିତ ବୈଠକରେ ଏହି ପ୍ରତିଶ୍ରୁତି ଦିଆଯାଇଥିଲା। ପଶ୍ଚିମ ଏସିଆ ସଙ୍କଟରୁ ସୃଷ୍ଟି ହେଉଥିବା ପରିସ୍ଥିତି ଉପରେ ଏହି ଆଲୋଚନା ହୋଇଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ବାଣିଜ୍ୟ ମନ୍ତ୍ରଣାଳୟ ଓ ପେଟ୍ରୋଲିୟମ ମନ୍ତ୍ରଣାଳୟର ପ୍ରତିନିଧିମାନେ ମଧ୍ୟ ବୈଠକରେ ଯୋଗ ଦେଇଥିଲେ ଓ ସରକାର ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ପ୍ୟାନେଲକୁ ସୂଚନା ଦେଇଥିଲେ। ବୈଠକରେ ଉପସ୍ଥିତି ସୂତ୍ର ଅନୁଯାୟୀ ଅଧିକାରୀ କମିଟିକୁ ଜଣାଇଥିଲେ ଯେ, ପଶ୍ଚିମ ଏସିଆରେ ଅସ୍ଥିରତା ସତ୍ତ୍ବେ ଦେଶରେ ବର୍ତ୍ତମାନ ଶକ୍ତି ଓ ସାର ସମ୍ପର୍କିତ କୌଣସି ସଙ୍କଟ ନାହିଁ।
ସୌଜନ୍ୟ ସମ୍ବାଦ

