ୱାସିଂଟନ: ଆବ୍ରାହମ ଚୁକ୍ତିରେ ସ୍ବାକ୍ଷର କରିବା ପାଇଁ ମୁସଲିମ ଦେଶଗୁଡ଼ିକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆହ୍ବାନ କରିଛନ୍ତି। ମଧ୍ୟପ୍ରାଚ୍ୟର ଐତିହାସିକ ପୁନର୍ଗଠନର ଏହା ଅଂଶ ହେବ ବୋଲି ଟ୍ରମ୍ପ କହିଛନ୍ତି। ସାମାଜିକ ଗଣମାଧ୍ୟମ ଟ୍ରୁଥ୍ ସୋସିଆଲରେ ଟ୍ରମ୍ପ ଉଲ୍ଲେଖ କରିଛନ୍ତି ଯେ ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), କତର, ପାକିସ୍ତାନ, ତୁର୍କୀ, ଇଜିପ୍ଟ, ଜୋର୍ଡାନ ଏବଂ ବାହାରିନ ସହ ଆଲୋଚନା ପରେ ସେ ବୁଝିପାରିଛନ୍ତି ଆମେରିକାର ମଧ୍ୟସ୍ଥତାରେ ହୋଇଥିବା କୂଟନୈତିକ ଢାଞ୍ଚାରେ ଯୋଗଦେବା ସେସବୁ ଦେଶମାନଙ୍କ ପାଇଁ ବାଧ୍ୟତାମୂଳକ ହେବା ଉଚିତ। ଇସ୍ରାଏଲ ସହିତ ମୁସଲିମ ଦେଶଗୁଡ଼ିକର ସଂପର୍କକୁ ସ୍ବାଭାବିକ କରିବା ପାଇଁ ଆବ୍ରାହମ ଚୁକ୍ତି ଉଦ୍ଦିଷ୍ଟ।
ଚୁକ୍ତିରେ ସାମିଲ ଦେଶଗୁଡ଼ିକ ପାଇଁ ଅର୍ଥନୈତିକ, ସାମାଜିକ ସମୃଦ୍ଧି ଆସିବ। ମଧ୍ୟପ୍ରାଚ୍ୟ ଇତିହାସରେ ଗତ ୫୦୦୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏହା ବାସ୍ତବ କ୍ଷମତା ଓ ଶାନ୍ତି ଆଣିବ ବୋଲି ଟ୍ରମ୍ପ ଉଲ୍ଲେଖ କରିଛନ୍ତି। ଉଲ୍ଲେଖଯୋଗ୍ୟ, ମଧ୍ୟପ୍ରାଚ୍ୟର ବ୍ୟାପକ ଅଞ୍ଚଳରେ ଶାନ୍ତି ପାଇଁ ଏହି ଚୁକ୍ତି ବିଶେଷ ସହାୟକ ହେବ ବୋଲି ଗତ ଶନିବାର ଉପସାଗରୀୟ ଦେଶଗୁଡ଼ିକର ନେତାମାନଙ୍କ ସହ ଆଲୋଚନା ସମୟରେ ଟ୍ରମ୍ପ ଗୁରୁତ୍ବାରୋପ କରିଥିଲେ। ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ଇରାନ ସହିତ ଯଦି ଚୁକ୍ତି ଚୂଡ଼ାନ୍ତ ହୁଏ ତାହେଲେ ଇରାନ ମଧ୍ୟ ଆବ୍ରାହମ ଚୁକ୍ତିରେ ଯୋଗଦେବା ସମ୍ଭାବନା ରହିଛି। ପାକିସ୍ତାନ ପାଇଁ କିନ୍ତୁ ଏହି ଚୁକ୍ତି କୂଟନୈତିକ ସମସ୍ୟା ଠିଆ କରିଛି।
ଇସ୍ରାଏଲକୁ ସ୍ବୀକୃତି ଦେବାକୁ ପାକିସ୍ତାନ ବହୁଦିନ ହେଲା ମନା କରିଆସୁଛି। ୧୯୬୭ର ପୂର୍ବ ସୀମାରେଖା ଅନୁସାରେ ଯଦି ସ୍ବାଧୀନ ପାଲେଷ୍ଟାଇନ ରାଷ୍ଟ୍ର ଗଠନ ହୁଏ ତାହେଲେ ଇସ୍ରାଏଲକୁ ସ୍ବୀକୃତି ଦିଆଯିବ ବୋଲି ଇସଲାମାବାଦ ଯୁକ୍ତି ରଖି ଆସୁଛି। ତେଣୁ ପାକିସ୍ତାନ ଯଦି ଆବ୍ରାହକ ଚୁକ୍ତିର ଅଂଶ ହୁଏ ତାହେଲେ ଦେଶ ଭିତରେ ଧାର୍ମିକ ଗୋଷ୍ଠୀ ଓ ପାଲେଷ୍ଟାଇନ ସପକ୍ଷରେ ଲଢ଼ୁଥିବା ଗୋଷ୍ଠୀଙ୍କ ଠାରୁ ପ୍ରବଳ ବିରୋଧର ସମ୍ମୁଖୀନ ହୋଇପାରେ। ୨୦୨୫ରେ ଇସଲାମାବାଦ ଏହି ଚୁକ୍ତିରେ ଯୋଗଦେବା ନେଇଁ ହେଉଥିବା କଳ୍ପନାଜଳ୍ପନାକୁ ମଧ୍ୟ ପାକିସ୍ତାନର ବିଦେଶ ମନ୍ତ୍ରୀ ଇସାକ ଦାର୍ ଦୃଢ଼ ଭାବେ ଖଣ୍ଡନ କରିଥିଲେ। ପାଲେଷ୍ଟାଇନ ପ୍ରସଙ୍ଗରେ ତାଙ୍କ ଦେଶର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଆସିନାହିଁ ବୋଲି ସେ କହିଥିଲେ। ତେଣୁ ବର୍ତ୍ତମାନ ଯଦି ଆମେରିକା ଚାପରେ ଏହି ଚୁକ୍ତିରେ ସ୍ବାକ୍ଷର କରେ ତାହେଲେ ପାକିସ୍ତାନ ଦେଶ ଭିତରେ ଅଡ଼ୁଆରେ ପଡ଼ିବା ସମ୍ଭାବନା ରହିଛି। ଉଲ୍ଲେଖଯୋଗ୍ୟ, ସାଉଦି ଆରବ, କତର ଏବଂ ପାକିସ୍ତାନ ଭଳି ଦେଶ ଇସ୍ରାଏଲକୁ ଆନୁଷ୍ଠାନିକ ଭାବେ ସ୍ବୀକୃତି ଦେଇନାହାନ୍ତି।
ଆବ୍ରାହମ ଚୁକ୍ତି କ’ଣ?
ଇସ୍ରାଏଲ ଓ ଆରବ ଦେଶଗୁଡ଼ିକ ମଧ୍ୟରେ ସମ୍ପର୍କକୁ ସ୍ବାଭାବିକ କରିବା ପାଇଁ ୨୦୨୦ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ଦ୍ବାରା ଏକାଧିକ ଚୁକ୍ତି କରାଯାଇଥିଲା। ପ୍ରଥମ ଚୁକ୍ତି ୨୦୨୦ ସେପ୍ଟେମ୍ବର ୧୫ରେ ଇସ୍ରାଏଲ ଓ ୟୁଏଇ ଏବଂ ଇସ୍ରାଏଲ ଓ ବାହାରିନ ମଧ୍ୟରେ ହାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ମରକ୍କୋ ଓ ସୁଦାନକୁ ସାମିଲ କରିବା ପାଇଁ ଚୁକ୍ତିକୁ ପରିବ୍ୟାପ୍ତ କରାଯାଇଥିଲା। ଯଦିଓ ଗତ ୯୦ ଦଶକରୁ ଇସ୍ରାଏଲ ସହିତ କଜାଖସ୍ତାନ ସଂପର୍କ ରଖି ଆସିଛି ତଥାପି ୨୦୨୫ ମସିହାରେ ଆନୁଷ୍ଠାନିକ ଭାବେ ଏହି ଚୁକ୍ତିରେ ସାମିଲ ହୋଇଛି। ଇଜିପ୍ଟ ସହ ୧୯୭୯ରେ ଏବଂ ଜୋର୍ଡାନ ସହ ୧୯୯୪ରେ ଇସ୍ରାଏଲର ଶାନ୍ତି ଚୁକ୍ତି ପରଠାରୁ ଆରବ ଦେଶ ଓ ଇସ୍ରାଏଲ ମଧ୍ୟରେ ଏହା ବଡ଼ କୂଟନୈତିକ ପଦକ୍ଷେପ ବୋଲି ବିବେଚନା କରାଯାଏ।
ସୌଜନ୍ୟ ସମ୍ବାଦ

