America Attacks Iran: ପୁଣି ଯୁଦ୍ଧ!: ଇରାନ ଉପରେ ଆକ୍ରମଣ କଲା ଆମେରିକା,ହର୍ମୁଜ୍‌ ନିକଟରେ ଥିବା କ୍ଷେପଣାସ୍ତ୍ର ସ୍ଥଳ ଏବଂ ଡଙ୍ଗା ଉପରେ ଆକ୍ରମଣ

ତେହେରାନ: ଆମେରିକା ପୁଣି ଥରେ ଇରାନ ଉପରେ ଆକ୍ରମଣ ଆରମ୍ଭ କରିଛି। ହର୍ମୁଜ୍ ପ୍ରଣାଳୀ ନିକଟରେ ଥିବା ଇରାନୀ ଦ୍ୱୀପପୁଞ୍ଜ ଉପରେ ଆକ୍ରମଣ କରାଯାଇଛି। ଆମେରିକା ସେନା କହିଛି ଯେ, ସେମାନେ ଦକ୍ଷିଣ ଇରାନରେ ଏହି ଆକ୍ରମଣ କରିଛନ୍ତି, ଇରାନୀ କ୍ଷେପଣାସ୍ତ୍ର ସ୍ଥଳ ଏବଂ ମାଇନ୍ ବିଛାଇବାକୁ ଚେଷ୍ଟା କରୁଥିବା ଡଙ୍ଗାଗୁଡ଼ିକୁ ଟାର୍ଗେଟ କରାଯାଇଛି। ଆମେରିକା କେନ୍ଦ୍ରୀୟ କମାଣ୍ଡ ଦ୍ୱାରା ଜାରି ଏକ ବିବୃତିରେ କୁହାଯାଇଛି ଯେ, ଏହି ଆକ୍ରମଣ ଆତ୍ମରକ୍ଷା ପାଇଁ କରାଯାଇଛି। ଇରାନୀ ବାହିନୀ ଦ୍ୱାରା ସୃଷ୍ଟି ହୋଇଥିବା ବିପଦରୁ ଆମର ସୈନ୍ୟଙ୍କୁ ରକ୍ଷା କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ ହୋଇଛି। କେନ୍ଦ୍ରୀୟ କମାଣ୍ଡ ମୁଖପାତ୍ର ଟିମ୍ ହକିନ୍ସ କହିଛନ୍ତି, ଆମେରିକା ସେନା ଚଳିତ ଅସ୍ତ୍ରବିରତି ସମୟରେ ସଂଯମତା ଅବଲମ୍ବନ କରି ନିଜର ସୈନ୍ୟମାନଙ୍କୁ ସୁରକ୍ଷା ଦେଇଆସୁଛି। ଏହି ଆକ୍ରମଣ ଏପରି ସମୟରେ ହୋଇଛି ଯେତେବେଳେ ଉଭୟ ପକ୍ଷ ସମାଧାନ ପାଇଁ ଆଲୋଚନାରେ ଅଗ୍ରଗତି ହେଉଥିବା ଦାବି କରୁଛନ୍ତି । ତେଣୁ ଏହି ନୂଆ ଆକ୍ରମଣ ଆଲୋଚନା ବନ୍ଦ ହେବା ଏବଂ ଯୁଦ୍ଧ ପୁନରାରମ୍ଭ ହେବାର ସମ୍ଭାବନାକୁ ବୃଦ୍ଧି କରିଛି।

ଇରାନର ଲାରାକ ଦ୍ୱୀପରେ ଆକ୍ରମଣ

ଇରାନ ଇଣ୍ଟରନ୍ୟାସନାଲ ରିପୋର୍ଟ କରିଛି ଯେ, ଆମେରିକା ଇରାନର ଲାରାକ ଦ୍ୱୀପରେ ଆକ୍ରମଣ କରିଛି। ଇରାନୀ ଗଣମାଧ୍ୟମ ଏସ୍‌ଏନ୍‌ଏନ୍‌ ଅନୁଯାୟୀ, ହର୍ମୁଜ୍ ପ୍ରଣାଳୀ ନିକଟରେ ଦକ୍ଷିଣ ଲାରାକ ଦ୍ୱୀପରେ ଆମେରିକା-ଇସ୍ରାଏଲ ଆକ୍ରମଣରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଆଧାରରେ ରିପୋର୍ଟରେ କୁହାଯାଇଛି, ତିନି ଜଣ ମୃତକଙ୍କୁ ଚିହ୍ନଟ କରାଯାଇଛି। ତେବେ ମୋଟ ମୃତ୍ୟୁ ସଂଖ୍ୟା ଅସ୍ପଷ୍ଟ ରହିଛି। ମୃତକମାନେ ସାମରିକ କର୍ମଚାରୀ ଥିଲେ କି ଆକ୍ରମଣରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରାଯାଇଥିଲା ତାହା ସ୍ପଷ୍ଟ ହୋଇ ନାହିଁ।

ଲାରାକ ଦ୍ୱୀପରେ ଆକ୍ରମଣ ପରେ, ଆମେରିକୀୟ ସେନା କହିଛି ଯେ, ଏହି କାର୍ଯ୍ୟାନୁଷ୍ଠାନ ସାମରିକ ଅଭିଯାନର ଅଂଶ ନୁହେଁ ବରଂ ଆତ୍ମରକ୍ଷା ପାଇଁ କରାଯାଇଥିଲା। ବିଶ୍ୱ ଏବେ ଇରାନର ମନୋଭାବ ଉପରେ ନଜର ରଖିଛି। ଯଦି ଇରାନ ଜବାବ ଦିଏ, ତେବେ ଏହା ଆଉ ଏକ ଯୁଦ୍ଧର କାରଣ ହୋଇପାରେ, ବିଶେଷକରି ହର୍ମୁଜ୍ ପ୍ରଣାଳୀ ପାଖରେ ଉତ୍ତେଜନା ବୃଦ୍ଧି ପାଇପାରେ। ଆମେରିକାର ଏହି କାର୍ଯ୍ୟାନୁଷ୍ଠାନ ଇରାନ ସହିତ ଏକ ଚୁକ୍ତି ପାଇଁ ଚାଲିଥିବା ଆଲୋଚନାକୁ ମଧ୍ୟ ସଙ୍କଟରେ ପକାଇପାରେ। ଗତ କିଛି ଦିନ ଧରି ଉଭୟ ପକ୍ଷ କହୁଛନ୍ତି ଯେ, ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି ଏବଂ ଖୁବ୍ ଶୀଘ୍ର ଏକ ଚୁକ୍ତି ହୋଇପାରେ। ତେଣୁ, ସାମରିକ କାର୍ଯ୍ୟାନୁଷ୍ଠାନ ଇରାନ ଏବଂ ଆମେରିକା ମଧ୍ୟରେ ଏକ ସମ୍ଭାବ୍ୟ ଚୁକ୍ତିକୁ ବିଳମ୍ବ କରିପାରେ ।

 

 

ସୌଜନ୍ୟ ସମ୍ବାଦ