Netanyahu: ନେତାନ୍ୟାହୁଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପ୍ରଶ୍ନବାଚୀ, ଦନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି

ଜେରୁଜେଲମ: ସୋମବାର ସନ୍ଧ୍ୟାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଜେରୁସାଲେମର ଏକ ମେଡିକାଲ୍ ସେଣ୍ଟରକୁ ନିଆଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି ଯେ ତାଙ୍କୁ ଦନ୍ତ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତଥାପି, ଚିକିତ୍ସାର ପ୍ରକୃତି କିମ୍ବା ଏହାର ଗମ୍ଭୀରତା ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇ ନାହିଁ। ହିବ୍ରୁ ଗଣମାଧ୍ୟମ ନେତାନ୍ୟାହୁଙ୍କୁ ହସ୍ପିଟାଲକୁ ନିଆଯାଇଛି ବୋଲି ରିପୋର୍ଟ କରିବା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ଘୋଷଣା କରିଛି। ୭୬ ବର୍ଷୀୟ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପୂର୍ବରୁ ଅନେକ ପ୍ରଶ୍ନ ଉଠିଛି, ଏବଂ ତାଙ୍କ ଅବସ୍ଥା ନିରନ୍ତର ଆଲୋଚନାର ବିଷୟ ହୋଇ ରହିଛି। ଗତ ମାସରେ, ନେତାନ୍ୟାହୁ ସୋସିଆଲ ମିଡିଆରେ ଏକ ଲମ୍ବା ବାର୍ତ୍ତା ପୋଷ୍ଟ କରି ତାଙ୍କୁ ପ୍ରୋଷ୍ଟେଟ୍ କର୍କଟ ହୋଇଥିଲା ଏବଂ ଏହାର ସଫଳ ଚିକିତ୍ସା କରାଯାଇଥିବା ଘୋଷଣା କରିଥିଲେ। ସେ ହଦାସାହ ହସ୍ପିଟାଲରେ ରେଡିଏସନ୍ ଥେରାପି କରିଥିଲେ। ସେ କହିଥିଲେ ଯେ, ସେ ଏହି ସୂଚନା ପୂର୍ବରୁ ପ୍ରକାଶ କରି ନଥିଲେ କାରଣ ସେ ଭୟ କରୁଥିଲେ ଯେ ଇରାନ ଏହାକୁ ଇସ୍ରାଏଲ ବିରୋଧରେ ପ୍ରଚାର ଭାବରେ ବ୍ୟବହାର କରିପାରେ।

ତେବେ ନେତାନ୍ୟାହୁ ସୀମିତ ସୂଚନା ସେୟାର କରିଥିଲେ। ସେ ପ୍ରକାଶ କରିନଥିଲେ ଯେ ତାଙ୍କର କେବେ ରୋଗ ଚିହ୍ନଟ ହୋଇଥିଲା, କେବେ ଚିକିତ୍ସା ଆରମ୍ଭ ହୋଇଥିଲା କିମ୍ବା କେବେ ଶେଷ ହୋଇଥିଲା। ସେ ତାଙ୍କର ବାର୍ଷିକ ସ୍ୱାସ୍ଥ୍ୟ ରିପୋର୍ଟ ଏବଂ ତାଙ୍କ କର୍କଟ ରୋଗ ସମ୍ବନ୍ଧୀୟ ଏକ ଡକ୍ୟୁମେଣ୍ଟ ମଧ୍ୟ ପ୍ରକାଶ କରିଥିଲେ। ତଥାପି, ରିପୋର୍ଟଟି ବହୁତ ସାଧାରଣ ଥିଲା, ଯେଉଁଥିରେ କେବଳ ସଂକ୍ଷିପ୍ତ ପଏଣ୍ଟ୍ ଉଲ୍ଲେଖ ଥିଲା, ଏବଂ ରିପୋର୍ଟଟି କେଉଁ ବର୍ଷର ତାହା ସ୍ପଷ୍ଟ ନଥିଲା। ସେଥିରେ କୌଣସି ହସ୍ପିଟାଲର ନାମ କିମ୍ବା ସରକାରୀ ଡାକ୍ତରୀ ଡକ୍ୟୁମେଣ୍ଟ ଭଳି କିଛି ଅନ୍ତର୍ଭୁକ୍ତ ନଥିଲା। ନେତାନ୍ୟାହୁଙ୍କ ସ୍ୱାସ୍ଥ୍ୟାବସ୍ଥା ପୂର୍ବରୁ ଅନେକ ଥର ଖବରରେ ରହିଛି। ୩ ବର୍ଷ ପୂର୍ବେ ଜୁଲାଇ ୨୦୨୩ରେ ତାଙ୍କର ପେସମେକର ପ୍ରତିରୋପଣ କରାଯାଇଥିଲା। ମାର୍ଚ୍ଚ ୨୦୨୪ରେ ତାଙ୍କର ହାର୍ନିଆ ଅସ୍ତ୍ରୋପଚାର କରାଯାଇଥିଲା। ତା’ପରେ ଡିସେମ୍ବର ୨୦୨୪ରେ ତାଙ୍କର ପ୍ରୋଷ୍ଟେଟ୍ ଅସ୍ତ୍ରୋପଚାର କରାଯାଇଥିଲା। ଯେତେବେଳେ ପେସମେକର ପ୍ରତିରୋପଣ କରାଯାଇଥିଲା, ପ୍ରାରମ୍ଭରେ ରିପୋର୍ଟ କରାଯାଇଥିଲା ଯେ ତାଙ୍କୁ ଡିହାଇଡ୍ରେସନ ଯୋଗୁଁ ଶେବା ମେଡିକାଲ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା ଏବଂ ରାତିସାରା ତାଙ୍କୁ ନିରୀକ୍ଷଣରେ ରଖାଯାଇଥିଲା। ପରେ ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା ଯେ ତାଙ୍କ ହାର୍ଟ ନିରୀକ୍ଷଣ ପାଇଁ ଏକ ଶିରାଭ୍ୟନ୍ତରୀଣ ହୃଦସ୍ପନ୍ଦନ ମନିଟର ଲଗାଯାଇଥିଲା। ଗୋଟିଏ ସପ୍ତାହ ପରେ, ଡାକ୍ତରମାନେ କହିଥିଲେ ଯେ ଏକ ଇସିଜି ପରୀକ୍ଷାରେ କିଛି ଅସ୍ୱାଭାବିକତା ଚିହ୍ନଟ ହୋଇଛି। କିନ୍ତୁ ସେମାନେ ଏହା ମଧ୍ୟ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ହାର୍ଟ ସମ୍ପୂର୍ଣ୍ଣ ସ୍ୱାଭାବିକ ରହିଛି।

ସୌଜନ୍ୟ ସମ୍ବାଦ