ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତ ହେଲେ ମଧ୍ୟ ଏହି ଦୁଇ ପଡ଼ୋଶୀ ଦେଶର ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷାକାରୀଙ୍କ ମଧ୍ୟରେ ଉତ୍ତମ ସହଯୋଗ କାରଣରୁ ଏକ ମାଈ ସିନେରେଉସ୍ ପ୍ରଜାତି ଶାଗୁଣାର ଜୀବନ ରକ୍ଷା ହୋଇଛି। ମଧ୍ୟପ୍ରଦେଶର ସଜାପୁର ଜିଲ୍ଲାର ପାରାସୁଲିଆ ଗ୍ରାମରେ ଆହତ ହୋଇଥିବା ଏକ ବିଶାଳ ଶାଗୁଣାକୁ ସ୍ଥାନୀୟ ଲୋକେ ଦେଖିଲା ପରେ ସେଠାକାର ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଜଙ୍ଗଲ ବିଭାଗର ପଦାଧିକାରୀଙ୍କ ସମେତ ମଧ୍ୟପ୍ରଦେଶସ୍ଥିତ ବନ ବିହାର ଶାଗୁଣା ପ୍ରଜନନ ଓ ସଂରକ୍ଷଣ କେନ୍ଦ୍ରର ବିଶେଷଜ୍ଞମାନେ ଉପସ୍ଥିତ ହୋଇ ସେହି ଆହତ ଶାଗୁଣାକୁ ଉଦ୍ଧାର କରିଥିଲେ। ବିଶେଷଜ୍ଞମାନେ ଶାଗୁଣା ଗୋଡ଼ ଆଘାତପ୍ରାପ୍ତ ହୋଇଥିବା ଏବଂ ରେଡିଓ କୋଲାର ଲାଗିଥିବାର ଦେଖିଥିଲେ। ଶାଗୁଣା ଗୋଡ଼ରେ ଲାଗିଥିବା ରେଡିଓ କୋଲାର ପାକିସ୍ତାନସ୍ଥିତ ଚଙ୍ଗା ମଙ୍ଗା ଶାଗୁଣା ସଂରକ୍ଷଣ କେନ୍ଦ୍ରର ବୋଲି ଜଣାପଡ଼ିଥିଲା। ଏହାପରେ ଯଥାଶୀଘ୍ର ପାକିସ୍ତାନର ଚଙ୍ଗା ମଙ୍ଗା କେନ୍ଦ୍ରକୁ ଜଣାଇ ଦିଆଯାଇଥିଲା। ରେଡିଓ କୋଲାର ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡ଼ିଲା ଯେ ଏହି ଶାଗୁଣାଟି ପାକିସ୍ତାନ ସୀମା ପାର ହୋଇ ଭାରତୀୟ ସୀମାରେ ପ୍ରବେଶ କରିବା ପରେ ପ୍ରବଳ ଝଡ଼ ତୋଫାନ ସହିତ କୁଆପଥର ବୃଷ୍ଟି କାରଣରୁ ଆହତ ହୋଇଥିଲା। ଏସିଆ, ୟୁରୋପ ଏବଂ ଆଫ୍ରିକାରେ ଦେଖିବାକୁ ମିଳୁଥିବା ବିଭିନ୍ନ ବୃହତ୍ ଶାଗୁଣା ମଧ୍ୟରୁ ସିନେରେଉସ୍ ପ୍ରଜାତି ଶାଗୁଣା ଅନ୍ୟତମ।
ସୌଜନ୍ୟ ସମ୍ବାଦ

