ବିସ୍ଥାପନରେ ବି ବେପାର: ଶହ ଶହ ଗୁହାଳ, ଗାଈଗୋରୁ ନାହାନ୍ତି, କିଏ ନିର୍ମାଣ କରିଛି ଆଜ୍ବେଷ୍ଟସ୍ ଘର?
ଲୋୟର୍ ସୁକ୍ତେଲ୍ ପ୍ରକଳ୍ପକୁ ନେଇ ପୂର୍ବରୁ ବିବାଦ ଲାଗି ରହିଥିଲା। ୨୦୨୪ରେ ପ୍ରକଳ୍ପର ଲୋକାର୍ପଣ ପରେ ବି ବିବାଦ ଥମିନାହିଁ। ବରଂ ବିସ୍ଥାପନ, କ୍ଷତିପୂରଣ ଓ ଦୁର୍ନୀତିକୁ ନେଇ ଏହି ପ୍ରକଳ୍ପ ଅଧିକ ଅପବାଦ ମୁଣ୍ଡାଇଛି।

ବଲାଙ୍ଗୀର: ଲୋୟର୍ ସୁକ୍ତେଲ୍ ପ୍ରକଳ୍ପକୁ ନେଇ ପୂର୍ବରୁ ବିବାଦ ଲାଗି ରହିଥିଲା। ୨୦୨୪ରେ ପ୍ରକଳ୍ପର ଲୋକାର୍ପଣ ପରେ ବି ବିବାଦ ଥମିନାହିଁ। ବରଂ ବିସ୍ଥାପନ, କ୍ଷତିପୂରଣ ଓ ଦୁର୍ନୀତିକୁ ନେଇ ଏହି ପ୍ରକଳ୍ପ ଅଧିକ ଅପବାଦ ମୁଣ୍ଡାଇଛି। ବିସ୍ଥାପିତଙ୍କୁ କ୍ଷତିପୂରଣ ରାଶି ପ୍ରଦାନରେ ଦୁର୍ନୀତି ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି। ପ୍ରକଳ୍ପ ସହ ସମ୍ପୃକ୍ତ ଥିବା ପୂର୍ବତନ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନିଲ ରାଉତ, ପୂର୍ବ ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ ବିନୟ ଗଡ଼ନାୟକ ଏବଂ ସଦ୍ୟ ଭାବେ ଓଡ଼ିଶା ନିର୍ମାଣ ନିଗମର ନିର୍ବାହୀ ଯନ୍ତ୍ରୀ ତଥା ଲୋୟର ସୁକତେଲ ପ୍ରକଳ୍ପରେ ନିର୍ବାହୀ ଯନ୍ତ୍ରୀ ଭାବେ ଡେପୁଟେସନ୍ରେ ଥିବା ସଞ୍ଜୟ କିସପଟ୍ଟା ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ଭିଜିଲାନ୍ସ ଜାଲରେ ପଡ଼ିବା ଏହି ପ୍ରକଳ୍ପର ଦୁର୍ନୀତିର ଚେର ବହୁ ଗଭୀରକୁ ଥିବା ସ୍ପଷ୍ଟ ପ୍ରତୀୟମାନ।
ବର୍ତ୍ତମାନ ଏକ ନୂଆ କିସମର ଦୁର୍ନୀତି ମାମଲା ସାମନାକୁ ଆସିଛି। ପ୍ରକଳ୍ପର ବୁଡ଼ି ଅଞ୍ଚଳରେ ଥିବା ତିନୋଟି ଗାଁ ଖୁଣ୍ଟପାଲି, କୁମିଆପାଲି ଏବଂ ତବଲବାଞ୍ଜି ଗାଁକୁ ସମ୍ପୂର୍ଣ୍ଣ ବିସ୍ଥାପନ କରିବାକୁ ପ୍ରଶାସନ ପଦକ୍ଷେପ ନେଇଛି। କୁମିଆପାଲିରେ ତିନି ଦିନ ହେଲା ଉତ୍ତେଜନା ଲାଗି ରହିଛି। ୮୪ଟି ପରିବାର କୌଣସି ହିସାବରେ ଗାଁ ଛାଡ଼ିବେ ନାହିଁ ବୋଲି ଧନୁତୀର ଧରି ଆନ୍ଦୋଳନରେ ବସିଛନ୍ତି। ଏହି ଗାଁରେ କିନ୍ତୁ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଗାଁକୁ ପଶିବା ରାସ୍ତାର ବାମ ପାର୍ଶ୍ବ ଏବଂ ଗାଁ ତଳମୁଣ୍ଡରେ ଏକର ଏକର ଜମିରେ ଆଜ୍ବେଷ୍ଟସ୍ ଘର ନିର୍ମାଣ ହୋଇଛି। ଗୋଟିଏ ଆଦିବାସୀବହୁଳ ଗାଁରେ ଗୋଟିଏ ଲମ୍ବା କୋଠରି ଥିବା ଆଜ୍ବେଷ୍ଟସ୍ ଘର ଦେଖିଲେ ଯେ କେହି ତାଜୁବ ହୋଇଯିବ। କିଛି ଲୋକଙ୍କ ସହ ଆଲୋଚନା ବେଳେ ଏହି ଆଜ୍ବେଷ୍ଟସ୍ ଘରଗୁଡ଼ିକ ଗୁହାଳ ଏବଂ ଲୋକଙ୍କ ରହିବା ପାଇଁ ବ୍ୟବହାର ହେଉଥିବା ଶୁଣିବାକୁ ମିଳିଥିଲା। କିନ୍ତୁ, ଗାଁରେ ହାତଗଣତି ଗାଈଗୋରୁଙ୍କ ପାଇଁ ଶହ ଶହ ଗୁହାଳ ତିଆରି ହେଲା କେମିତି? ତନାଘନା ପରେ ଏହି ପ୍ରଶ୍ନର ରୋଚକ ଉତ୍ତର ଜଣାପଡ଼ିଛି। ବାସ୍ତବରେ ବଲାଙ୍ଗୀର ସହରର କିଛି ପ୍ରଭାବଶାଳୀ ବ୍ୟକ୍ତି କେତେକ ବିସ୍ଥାପିତ ପରିବାରଙ୍କୁ ପ୍ରକଳ୍ପ ନିର୍ମାଣ ପୂର୍ବରୁ ହାତକୁ ନେଇ ଯାଇଥିଲେ। ରାତାରାତି ଗାଁରେ ଆଜ୍ବେଷ୍ଟସ୍, ସିମେଣ୍ଟ ଏବଂ ଲୁହାଛଡ଼ ପହଞ୍ଚିଲା।
ସୌଜନ୍ୟ ସମ୍ବାଦ




