Cancer: କ୍ୟାନ୍ସରକୁ ‘ଅଧିସୂଚିତ ରୋଗ’ ଘୋଷଣା ନିର୍ଦ୍ଦେଶ
ଦେଶରେ କ୍ୟାନ୍ସର ରୋଗୀଙ୍କ ଚିହ୍ନଟ, ଚିକିତ୍ସା ଓ ତଥ୍ୟ ସଂଗ୍ରହରେ ସମାନତା ଆଣିବା ପାଇଁ କ୍ୟାନ୍ସରକୁ ଅଧିସୂଚିତ (ସୂଚନୀୟ) ରୋଗ ଭାବେ ଘୋଷଣା କରିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ ଅବଶିଷ୍ଟ ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କହିଛନ୍ତି।

ନୂଆଦିଲ୍ଲୀ: ଦେଶରେ କ୍ୟାନ୍ସର ରୋଗୀଙ୍କ ଚିହ୍ନଟ, ଚିକିତ୍ସା ଓ ତଥ୍ୟ ସଂଗ୍ରହରେ ସମାନତା ଆଣିବା ପାଇଁ କ୍ୟାନ୍ସରକୁ ଅଧିସୂଚିତ (ସୂଚନୀୟ) ରୋଗ ଭାବେ ଘୋଷଣା କରିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ ଅବଶିଷ୍ଟ ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କହିଛନ୍ତି। ଏଥିସହ ଏହି ପ୍ରସଙ୍ଗରେ ଉପଯୁକ୍ତ ନିଷ୍ପତ୍ତି ନେଇ ଅନୁପାଳନ ସତ୍ୟପାଠ ଦାଖଲ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏହି ଆଦେଶ କାର୍ଯ୍ୟକାରୀ କରିସାରିଛନ୍ତି।
ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ଭି. ମୋହନାଙ୍କ ଖଣ୍ଡପୀଠ ମଙ୍ଗଳବାର ଏହି ମାମଲାର ଶୁଣାଣି କରିଥିଲେ। କ୍ୟାନ୍ସରକୁ ସାରା ଦେଶରେ ଅନିବାର୍ଯ୍ୟ ଭାବେ ରିପୋର୍ଟ କରିବାକୁ ପଡ଼ୁଥିବା ରୋଗ ଘୋଷଣା କରିବା ଦାବିରେ ଦାଖଲ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ମତ ଜାଣିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଅନିଲ କୌଶିକ କୋର୍ଟଙ୍କୁ କହିଥିଲେ ଯେ ସ୍ୱାସ୍ଥ୍ୟ ରାଜ୍ୟ ତାଲିକାଭୁକ୍ତ ବିଷୟ। ତାଙ୍କ ଅନୁସାରେ, ଏପର୍ଯ୍ୟନ୍ତ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ୧୭ଟିରେ କ୍ୟାନ୍ସରକୁ ଅନିବାର୍ଯ୍ୟ ଭାବେ ରିପୋର୍ଟ କରାଯିବାକୁ ଥିବା ରୋଗ ଭାବେ ଘୋଷଣା କରାଯାଇସାରିଛି। ଏହା ପରେ ପ୍ରଧାନ ବିଚାରପତି କେନ୍ଦ୍ରକୁ ପଚାରିଥିଲେ, ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ବାଧ୍ୟତାମୂଳକ ନିର୍ଦ୍ଦେଶାବଳୀ କାହିଁକି ଜାରି କରାଯାଇପାରିବ ନାହିଁ? ଦେଶରେ ଏଥିପାଇଁ ଏକ ସମାନ ନୀତି ରହିବା ଆବଶ୍ୟକ ବୋଲି ସେ କହିଥିଲେ।
ସୌଜନ୍ୟ ସମ୍ବାଦ




