ରାଜ୍ୟ

TCS: ଟିସିଏସ୍‌ ବିକାଶ କରିବ ଓସ୍ବାସ୍‌ ୩.୦: ସେମିକଣ୍ଡକ୍ଟର ନୀତିରେ ସଂ‌ଶୋଧନ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିକ କ୍ୟାବିନେଟ୍‌ କମିଟି ବୈଠକରେ ଓସ୍ବାସ୍‌ ୩.୦ ବିକାଶ କରିବା ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି।

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିକ କ୍ୟାବିନେଟ୍‌କମିଟି ବୈଠକରେ ଓସ୍ବାସ୍‌ ୩.୦ ବିକାଶ କରିବା ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ଏହାକୁ ବିକାଶ କରିବା ପାଇଁ ଟିସିଏସ୍‌କୁ ୧୨୨.୬୦ କୋଟି ଟଙ୍କାର ବରାଦ ଦିଆଯାଇଛି। କମ୍ପାନି ଏହାର କାର୍ଯ୍ୟାନ୍ବୟନ ସହ ୫ ବର୍ଷର ସହାୟତା ମଧ୍ୟ ପ୍ରଦାନ କରିବ। ରାଜ୍ୟର ସମସ୍ତ ପ୍ରମୁଖ କାର୍ଯ୍ୟାଳୟକୁ କାଗଜବିହୀନ କରିବା ପାଇଁ ୨୦୨୫-୨୬ରେ ଓସ୍ବାସ୍‌ ୨.୦ କାର୍ଯ୍ୟକାରୀ କରାଯାଇଥିଲା। ବିଗତ ବର୍ଷରେ କାର୍ଯ୍ୟାଳୟ ସଂଖ୍ୟା ୬୩୮ ପ୍ରତିଶତ ଓ ବ୍ୟବହାରକାରୀଙ୍କ ସଂଖ୍ୟା ୨୪୭ ପ୍ରତିଶତ ବୃଦ୍ଧି ପାଇଛି।

ଏଥିପାଇଁ ଟିସିଏସ୍‌କୁ ବୈଷୟକିକ ସହାୟତା ପାଇଁ ନିଯୁକ୍ତ କରାଯାଇଥିଲା। ଟିସିଏସ୍‌ ସହ ଚୁକ୍ତି ଅବଧି ଶେଷ ହେବା ପରେ ଏହି ପ୍ରକଳ୍ପର ଗୁରୁତ୍ବକୁ ଦୃଷ୍ଟିରେ ରଖି ଆଧୁନିକ ମାଇକ୍ରୋସର୍ଭିସ୍‌ ଭିତ୍ତିକ ଢାଞ୍ଚା ଓ ଉନ୍ନତ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷମତା ସମ୍ପନ୍ନ ଓସ୍ବାସ୍‌ ପ୍ଲାଟଫର୍ମ ବିକାଶ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ସେଥିପାଇଁ ଇ-ନିଭିଡା ପୋର୍ଟାଲରେ ଟେଣ୍ଡର ଆହ୍ବାନ କରାଯାଇଥିଲା। ଟିସିଏସ୍‌ ଏକମାତ୍ର ବିଡ୍‌ ଦାଖଲ କରିଥିଲା।

ସେହିପରି, ଆଜିର ବୈଠକରେ ଓଡ଼ିଶା ସେମିକଣ୍ଡକ୍ଟର ବିନିର୍ମାଣ ଓ ଫ୍ୟାବ୍‌ଲେସ୍‌ ନୀତିରେ କରାଯାଇଥିବା ତୃତୀୟ ସଂଶୋଧନକୁ ମଧ୍ୟ ଅନୁମୋଦନ କରାଯାଇଥିଲା। ସେମିକଣ୍ଡକ୍ଟର ଉପକରଣ ନିର୍ମାଣ, ଗବେଷଣା ଓ ବିକାଶ, ସେମିକଣ୍ଡକ୍ଟର ମାନର ରସାୟନ, ଗ୍ୟାସ୍‌ ଓ ଉପକରଣ ସହିତ ଯୋଗାଣ ଶୃଙ୍ଖଳା ଉପକରଣ, ଅତ୍ୟାଧୁନିକ ପ୍ରଯୁକ୍ତି ଉପରେ ଗବେଷଣା ଓ ବିକାଶ ପାଇଁ ନୀତିରେ ଆବଶ୍ୟକ ସଂଶୋଧନ କରାଯାଇଛି।

ଇଣ୍ଡିଆ ସେମିକଣ୍ଡକ୍ଟର ମିସନ ଅଧୀନରେ ମଞ୍ଜୁର ହୋଇଥିବା ପ୍ରକଳ୍ପର ପୁଞ୍ଜି ବ୍ୟୟ ଉପରେ ରାଜ୍ୟ ସରକାର ୨୫ ପ୍ରତିଶତ ଆର୍ଥିକ ସହାୟତା ପ୍ରଦାନ କରିବେ। ପ୍ରକଳ୍ପର ମାଇଲଖୁଣ୍ଟ ଓ କେନ୍ଦ୍ର ସରକାରଙ୍କ ସହାୟତା ସହ ସମନ୍ବିତ ହୋଇ ଏହି ପ୍ରୋତ୍ସାହନ ଦିଆଯିବ। ସେମିକଣ୍ଡକ୍ଟର ଉପକରଣ, ଇନପୁଟ୍‌ ଯୋଗାଣ ଶୃଙ୍ଖଳ ଓ କଞ୍ଚାମାଲ କ୍ଷେତ୍ରର ବୃହତ୍‌ ପ୍ରକଳ୍ପକୁ ସ୍ବତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜ୍‌ ପ୍ରଦାନ କରିବାକୁ ନୀତିରେ ସଂଶୋଧନ କରାଯାଇଛି। ଏହି ସଂଶୋଧନ ଦ୍ବାରା ରାଜ୍ୟରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ଆଶା କରାଯାଉଛି। ଉଲ୍ଲେଖଯୋଗ୍ୟ, ଏହି ନୀତି ଅଧୀନରେ ରାଜ୍ୟକୁ ପାଞ୍ଚଟି ପ୍ରସ୍ତାବ ଆସିଛି ଓ ଦୁଇଟି ପ୍ରକଳ୍ପକୁ ଜାତୀୟ ସେମିକଣ୍ଡକ୍ଟର ମିିସନ ଅଧୀନରେ ସହାୟତା ମିଳିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button