Rural education Odisha : ୨୦ ବର୍ଷର ସ୍କୁଲରେ ନାହିଁ ଘର, ବାରଣ୍ଡାରେ ଶିକ୍ଷାଦାନ… ୭ ନାଳ ଡେଇଁ ୧୦ କିମି ଆସିଲେ ରାସ୍ତା ଦେଖନ୍ତି ଲୋକେ
କନ୍ଧମାଳର ଦୁର୍ଗମ କାଣିବାରୁ ଗାଁରେ ୨୦ ବର୍ଷ ହେଲା ପ୍ରାଥମିକ ସ୍କୁଲ ଚାଲିଥିଲେ ମଧ୍ୟ ନାହିଁ ସ୍କୁଲ ଘର। ୨୯ ଜଣ ପିଲା ବାରଣ୍ଡାରେ ପାଠ ପଢୁଛନ୍ତି, ମଧ୍ୟାହ୍ନଭୋଜନ ଓ ଅନ୍ୟାନ୍ୟ ସୁବିଧାରୁ ବି ବଞ୍ଚିତ। ଏପର୍ଯ୍ୟନ୍ତ ଗାଁରେ ପତାକା ଉତ୍ତୋଳନ ହୋଇନଥିବାରୁ ପିଲାମାନେ ସ୍ୱାଧୀନତା ଦିବସର ଅନୁଭୂତି ମଧ୍ୟ ପାଇନାହାନ୍ତି। ୭ଟି ନାଳ ଡେଇଁ ପ୍ରାୟ ୧୦ କିମି ପାହାଡ଼ିଆ ରାସ୍ତା ଅତିକ୍ରମ କଲେ ମିଳେ ପକ୍କା ରାସ୍ତା। ବର୍ଷାରେ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଏ।

ବାଲିଗୁଡ଼ା, ୧୪/୮ (ଅସିତ ବେହେରା) : ଆଉ ଦିନକ ପରେ ଦେଶ ୮୦ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି । ଗାଁରୁ ସହର ସବୁଠି ତ୍ରିରଙ୍ଗା ଉଡ଼ିବ, ପତାକା ଉତ୍ତୋଳନ ହେବ । ସମସ୍ତେ ଜାଣିବେ ଦେଶ ସ୍ୱାଧୀନତା ଦିବସ ବିଷୟରେ । ଏନେଇ ସରକାରୀଠାରୁ ବେସରକାରୀ ଅନୁଷ୍ଠାନ, ସ୍କୁଲଠାରୁ କଲେଜ ସବୁଠାରେ ହେବ ପତାକା ଉତ୍ତୋଳନ । ମାତ୍ର କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ୍ ଦୁର୍ଗାପାଙ୍ଗା ପଞ୍ଚାୟତ କାଣିବାରୁ ଗାଁର ଛାତ୍ରଛାତ୍ରୀ ଆଜି ପର୍ଯ୍ୟନ୍ତ ପତାକା ଉତ୍ତୋଳନ କ’ଣ ଜାଣିନାହାନ୍ତି । ୨୦ ବର୍ଷ ହେଲା ଗାଁରେ ଶିକ୍ଷାଦାନ ଆରମ୍ଭ ହୋଇଥିଲେ ମଧ୍ୟ ଏଠାରେ ଆଜି ଯାଏ କେବେ ପତାକା ଉତ୍ତୋଳନ ହୋଇ ନାହିଁ ।
କାଣିବାରୁ ଗାଁରେ ୨୦ ବର୍ଷ ହେଲା ସ୍କୁଲ ଆରମ୍ଭ ହେଲାଣି । ଆଜି ଯାଏ ସ୍କୁଲ ଘରଟିଏ ତିଆରି ହୋଇନି। ଆରମ୍ଭରୁ ଆଜି ପର୍ଯ୍ୟନ୍ତ ବର୍ଷବର୍ଷ ଧରି ଗ୍ରାମବାସୀଙ୍କ ବାରଣ୍ଡାରେ ଶିକ୍ଷାଦାନ ହେଉଛି । ଗାଁରେ ପ୍ରଥମରୁ ୫ମ ପର୍ଯ୍ୟନ୍ତ ୨୯ ଛାତ୍ରଛାତ୍ରୀ ରହିଛନ୍ତି । ଦୁଇ ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ସ୍କୁଲ୍ଘର ନ ଥିବାରୁ ଶିକ୍ଷକ ବାରଣ୍ଡାରେ ପିଲାଙ୍କୁ ପାଠ ପଢ଼ାନ୍ତି। ଗାଁକୁ ଭଲ ରାସ୍ତା ଓ ଅନ୍ୟ ଭିତ୍ତିଭୂମି ଅଭାବରୁ ଏଠି ଶିକ୍ଷାଦାନ ଠିକ୍ରେ ହୋଇପାରୁନି । କେତେବେଳେ ଶିକ୍ଷକ ଆସୁଛନ୍ତି ତ ପୁଣି କେତେବେଳେ ନାହିଁ। ଏପରିକି ମଧ୍ୟାହ୍ନଭୋଜନ ମଧ୍ୟ ପିଲାଙ୍କୁ ଦିଆଯାଉନି। ଗାଁରେ ଅଙ୍ଗନବାଡ଼ି ମଧ୍ୟ ଖୋଲିନି । ପିଲାଙ୍କୁ ଅଣ୍ଡା, ଛତୁଆ ଏସବୁ ମିଳେ ନାହିଁ । ପ୍ରଶାସନର ଅବହେଳା କାରଣରୁ ଏଠାରେ ଆଜି ଯାଏ ଜାତୀୟ ପତାକା ଉତ୍ତୋଳନ କରାଯାଇ ନାହିଁ। ଏହି ଗାଁର ପିଲାମାନେ ପତାକା ଉତ୍ତୋଳନ କେବେ ଦେଖିପାରି ନାହାନ୍ତି । ଦେଶ ପରବର୍ତ୍ତୀ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଥିବାବେଳେ ଏମାନେ ସ୍ୱାଧୀନତାର ସ୍ୱାଦ ଚାଖିନାହାନ୍ତି!
ଦୁର୍ଗମ ଅଞ୍ଚଳ, ପାହାଡ଼ ପର୍ବତ ଘେରରେ ରହିଛି କାଣିବାରୁ ଗାଁ । ଗାଁକୁ ଭଲ ପାଦଚଲା ରାସ୍ତାଟିଏ ନାହିଁ । ସାତ ନାଳ ଡେଇଁବା ପରେ ଗାଁ ପଡ଼ିଥାଏ । ପଞ୍ଚାୟତ କାର୍ଯ୍ୟାଳୟଠାରୁ କାଣିବାରୁ ୧୭ କିଲୋମିଟର । ଗାଁରେ ପ୍ରାୟ ୬୦ ପରିବାର ରହୁଛନ୍ତି। ଜନସଂଖ୍ୟା ଶହେରୁ ଅଧିକ । ଗାଁକୁ ପକ୍କା ରାସ୍ତା ଆଜି ପର୍ଯ୍ୟନ୍ତ ହୋଇନାହିଁ । ଗ୍ରାମବାସୀ ପ୍ରାୟ ୧୦ କିମି ପାହାଡ଼ ପାଦଚଲା ରାସ୍ତାରେ ଆସିବା ପରେ ପକ୍କା ରାସ୍ତା ଦେଖନ୍ତି । ଖାଲି ସେତିକି ନୁହେଁ, ଏତିକି ବାଟ ଆସିବା ଭିତରେ ସେମାନେ ୭ଟି ନାଳ ଅତିକ୍ରମ କରିଥାନ୍ତି । ଖରା ଦିନେ ଯେନତେନ ପ୍ରକାରେ ଚଳିଯାଏ । ମାତ୍ର ବର୍ଷା ହୋଇଗଲେ ଏମାନେ ଯାତାୟାତ ପାଇଁ ଯମ ଯନ୍ତ୍ରଣା ଭୋଗ କରନ୍ତି । ନାଳରେ ବର୍ଷା ପାଣି ଆସିଗଲେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥାଏ । ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ ଗାଁ । ଏପରି ସ୍ଥିତିରେ ଶିକ୍ଷା ବ୍ୟବସ୍ଥା ଶୋଚନୀୟ । ଏହାସହ ପିଇବା ପାଣି, ରାସ୍ତାଘାଟ, ବିଜୁଳି, ପ୍ରାଥମିକ ସ୍ୱାସ୍ଥ୍ୟସେବା ଆଦି ମୌଳିକ ସେବାରୁ ବଞ୍ଚିତ ହୋଇ ଆସୁଛନ୍ତି କାଣିବାରୁ ବାସିନ୍ଦା । ଏନେଇ ଅଭିଯୋଗ କଲେ ସେମାନଙ୍କ କଥା କେହି ଶୁଣୁନାହାନ୍ତି । ଯେଉଁଥିପାଇଁ ଆଜି ଯାଏ ସ୍ୱାଧୀନ ଦେଶରେ ଥାଇ ମଧ୍ୟ ଏକପ୍ରକାର ପରାଧୀନ ଭଳି ଦୁର୍ବିସହ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି ।
କୋଟଗଡ଼ ବ୍ଲକ୍ ଶିକ୍ଷା ଅଧିକାରୀ ଗଣେଶ ପ୍ରଧାନଙ୍କୁ ପଚାରିବାରେ କହିଛନ୍ତି, ଜାତୀୟ ପତାକା ଉତ୍ତୋଳନ ବିଷୟରେ ପଚାରି ବୁଝିବି । ଦୁର୍ଗାପାଙ୍ଗା ପଞ୍ଚାୟତର ସରପଞ୍ଚ ବାଲୁମତି ମାଝି କହିଛନ୍ତି, ଶିକ୍ଷକମାନେ ସେହି ଗାଁକୁ ଯାଇ ଶିକ୍ଷାଦାନ କରିବା କଷ୍ଟକର ହେଉଛି । ଅନେକ ସମସ୍ୟା ରହିଥିବାବେଳେ ଜାତୀୟ ପତାକା ଉତ୍ତୋଳନ କିପରି ହେବ ଆପଣ ଅନୁମାନ କରନ୍ତୁ । ଏନେଇ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହିଁ କିଛି କାର୍ଯ୍ୟକ୍ଷମ ହୋଇପାରୁନି ।
ସୌଜନ୍ୟ ପ୍ରମେୟ




