Heavy Rain Alert : ଆଜି ଅଧା ଓଡ଼ିଶାରେ ପ୍ରବଳ ବର୍ଷା, ସୁନ୍ଦରଗଡ଼ ଓ କେନ୍ଦୁଝରକୁ ରେଡ୍ ଆଲର୍ଟ, ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୨୦ ଆଉ ଏକ ଲଘୁଚାପ !

ଭୁବନେଶ୍ୱର, ୧୪/୦୮: ଏତେ ବର୍ଷା … କେହି ଆକଳନ କରିନଥିଲେ । ଭୟାବହ ପରିସ୍ଥିତି ଉତ୍ତର ଓଡ଼ିଶାରେ । ଦିନକର ବର୍ଷାରେ ମୟୂରଭଞ୍ଜରେ ମାଡ଼ି ଆସିଛି ବନ୍ୟା । ବାରିପଦା ସହର ଉବୁଟୁବୁ । ଜିଲ୍ଲାର ୨୨ ବ୍ଲକରେ ପାଣି ମାଡ଼ିଯାଇଛି । ବାଲେଶ୍ୱର ବି ଜଳାର୍ଣ୍ଣବ । ରାଉରକେଲା ସହରର ପଶିଯାଇଛି ପାଣି । କେନ୍ଦୁଝର ଆନନ୍ଦପୁରର ଅନେକ ଅଞ୍ଚଳ ଜଳବନ୍ଦୀ । ଜାତୀୟ ରାଜପଥ ଉପରେ ପାଣି ଚାଲିଛି । ବୈତରଣୀ, ବୁଢ଼ାବଳଙ୍ଗ, ଜଳକା, ସୁବର୍ଣ୍ଣରେଖା, ସାଳନ୍ଦୀ ଉଛୁଳିଛି ।
ଆନନ୍ଦପୁରରେ ବୈତରଣୀ ବିପଦ ସଙ୍କେତ ଉପରେ । ଜଳସ୍ତର ୩୯.୨୭ ମିଟର ଛୁଇଁଛି । ଆଖୁଆପଦାରେ ୧୭.୫୪ ମିଟରରେ ପ୍ରବାହିତ ହେଉଛି ପାଣି । ରାତି ସୁଦ୍ଧା ଏଠାରେ ବି ବିପଦ ସଙ୍କେତ ପାର୍ କରିଯାଇପାରେ । ଏନଏଚ-୫ ଗୋବିନ୍ଦପୁରଠାରେ ବୁଢ଼ାବଳଙ୍ଗ ୭.୬୦ ମିଟରରେ ପ୍ରବାହିତ ହେଉଛି । ରାତିରେ ବିପଦ ସଙ୍କେତ ଟପିପାରେ । ଜଳକା ବି ଫୁଲିବା ସହ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ସୁବର୍ଣ୍ଣରେଖାରେ ପାଣି ସୁ ସୁ ହୋଇ ମାଡ଼ି ଆସୁଛି । ବନ୍ୟା ପରେ ବନ୍ୟା । ଚିନ୍ତା ଏଇଠି ସରିଯାଇନି । ଏବେ ଉତ୍ତର ଓଡ଼ିଶାରେ ତୃତୀୟ ଦଫା ବନ୍ୟା ସ୍ଥିତି ଉପୁଜିଛି । ଏବେ ଗୋଟିଏ ବନ୍ୟା ସ୍ଥିତିରେ ଓଡ଼ିଶା ଯୁଝୁଥିବାବେଳେ ଆଗକୁ ପୁଣି ଏକ ବନ୍ୟା ଆଶଙ୍କା ଡରାଇଲାଣି । ବିଶେଷଜ୍ଞଙ୍କ ଆକଳନ- ୨୦ ତାରିଖବେଳକୁ ପୁଣି ଗୋଟିଏ ଲଘୁଚାପ ଆସିପାରେ । ଆହୁରି ବଡ଼ ଅଧିକ ବର୍ଷା ଅଜାଡ଼ିବ । ଆଗାମୀ ଲଘୁଚାପ ବର୍ଷା ପ୍ରଭାବରେ ମହାନଦୀ ଫୁଲିବା ସହ ଉପକୂଳ ଓଡ଼ିଶା ପାଇଁ ବନ୍ୟା ସ୍ଥିତି ଆଣିପାରେ ।
ସୌଜନ୍ୟ ପ୍ରମେୟ




