National Flag: ଜାତୀୟ ପତାକା ଅବମାନନା; ନିୟମ କାଗଜ କଲମରେ, ବଜାରରେ ମିଳୁଛି ପ୍ଲାଷ୍ଟିକ୍ ତ୍ରିରଙ୍ଗା
ପ୍ଲାଷ୍ଟିକ୍ ପରିବେଶ ଅନୁକୂଳ ନୁହେଁ । ସ୍ୱାଧୀନତା ଦିବସ କିମ୍ବା ଗଣତନ୍ତ୍ର ଦିବସ ପରେ ପ୍ଲାଷ୍ଟିକ ପତାକା ରାସ୍ତାକଡ଼ରେ, ନାଳରେ, ଆବର୍ଜନା କୁଣ୍ଡରେ ଏଣେ ତେଣେ ପଡ଼ିଥିବା ଦେଖିବାକୁ ମିଳେ । ତ୍ରିରଙ୍ଗାକୁ ଏଣେତେଣେ ପକାଯିବା ଏବଂ ଏହାକୁ କେହି ପାଦରେ ମାଡ଼ିବା ଏବଂ ଏହା ଉପରେ ଗାଡ଼ି ଚଢ଼ାଇବା ଏକ ବଡ଼ଧରଣ ଅବମାନନା ଅଟେ ।

ଭୁବନେଶ୍ୱର, ୧୪।୮: ବଜାରରେ ମିଳୁଛି ପ୍ଲାଷ୍ଟିକ୍ ଜାତୀୟ ପତାକା । ପ୍ଲାଷ୍ଟିକ୍ରେ ତିଆରି ଜାତୀୟ ପତାକା ତିଆରି, ବିକ୍ରି ଓ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯିବାକୁ ନିର୍ଦ୍ଦେଶନାମା ରହିଛି । ମାତ୍ର ବାସ୍ତବ ଚିତ୍ର ଏକଦମ୍ ଓଲଟା । ଏବେ ବଜାର ଖୋଲାଖୋଲି ଭାବେ ପ୍ଲାଷ୍ଟିକ ପତାକା ବିକ୍ରି ହେଉଛି । କଟକଣା ଏବଂ ଜରିମାନାକୁ କାହାରି ଖାତିର ନାହିଁ । ଭାରତୀୟ ଜାତୀୟ ପତାକା ପାଇଁ ପ୍ଲାଷ୍ଟିକ୍ ବ୍ୟବହାର ଉପରେ କଟକଣା ଏବଂ କଡା ନିର୍ଦ୍ଦେଶାବଳୀ ମୁଖ୍ୟତଃ ‘ଫ୍ଲାଗ୍ କୋଡ୍ ଅଫ୍ ଇଣ୍ଡିଆ ୨୦୦୨’ ଏବଂ ‘ଜାତୀୟ ସମ୍ମାନ ଅବମାନନା ନିବାରଣ ଆଇନ, ୧୯୭୧’ ଅନ୍ତର୍ଗତ କାର୍ଯ୍ୟକାରୀ ହୋଇଆସୁଛି । ନିୟମ ଅନୁଯାୟୀ ଜାତୀୟ ପତାକା କେବଳ ହାତବୁଣା ଖଦି, କଟନ, ସିଲ୍କ କପଡ଼ାରେ ତିଆରି ହେବାର ନିୟମ ରହିଛି । ଏଥିରେ କୌଣସି ପ୍ରକାର ପ୍ଲାଷ୍ଟିକ୍ ବ୍ୟବହାର ପାଇଁ ଅନୁମତି ନାହିଁ ।
କାହିଁକି ବାରଣ ?
ପ୍ଲାଷ୍ଟିକ୍ ପରିବେଶ ଅନୁକୂଳ ନୁହେଁ । ସ୍ୱାଧୀନତା ଦିବସ କିମ୍ବା ଗଣତନ୍ତ୍ର ଦିବସ ପରେ ପ୍ଲାଷ୍ଟିକ ପତାକା ରାସ୍ତାକଡ଼ରେ, ନାଳରେ, ଆବର୍ଜନା କୁଣ୍ଡରେ ଏଣେ ତେଣେ ପଡ଼ିଥିବା ଦେଖିବାକୁ ମିଳେ । ତ୍ରିରଙ୍ଗାକୁ ଏଣେତେଣେ ପକାଯିବା ଏବଂ ଏହାକୁ କେହି ପାଦରେ ମାଡ଼ିବା ଏବଂ ଏହା ଉପରେ ଗାଡ଼ି ଚଢ଼ାଇବା ଏକ ବଡ଼ଧରଣ ଅବମାନନା ଅଟେ । ତେଣୁ ପ୍ଲାଷ୍ଟିକ୍ ପତାକା ଉପରେ କଟକଣା କରାଯାଇଥିଲା । ପ୍ଲାଷ୍ଟିକ ପତାକା ଶସ୍ତାରେ ରାସ୍ତା କଡ଼ ଅସ୍ଥାୟୀ ଦୋକାନରେ ମିଳିଯାଉଛି । ଗ୍ରାହକମାନେ ବିନା ଦ୍ୱିଧାରେ ଏହାକୁ ଆଣୁଛନ୍ତି । ପ୍ରଶାସନିକ ସ୍ତରରେ ନିୟମିତ ଚଢ଼ଉ କିମ୍ବା କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ଏହା ବେଆଇନ କାରବାରକୁ ପ୍ରୋତ୍ସାହନ କରୁଛି । ବଜାରରେ ପ୍ଲାଷ୍ଟିକ ପତାକା ବିକ୍ରି ବୃଦ୍ଧି ପାଉଥିବାରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ୨୦୧୮ରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତକୁ କଠୋର ଆଭିମୁଖ୍ୟ ଲାଗି ନିର୍ଦ୍ଦେଶ ଦେଇଥିଲା । ଯାହାକୁ କେହି ବି ମାନୁ ନାହାଁନ୍ତି ।
ମୂଳ ଉତ୍ସ ବନ୍ଦ କରିବା ଦରକାର:
ଯେତେବେଳେ ଏହାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି, ତଥାପି ଉତ୍ପାଦନ ବନ୍ଦ ହେଉନାହିଁ । ଏହାର ମୂଳ ଉତ୍ସକୁ ଖୋଜି ଉତ୍ପାଦନକାରୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ କରାଗଲେ ଏହା ବନ୍ଦ ହେବ । ଉଲ୍ଲଘଂନକାରୀଙ୍କ ବିରୋଧରେ ଫୌଜଦାରୀ ଆଇନ୍ ଅନୁଯାୟୀ ପଦକ୍ଷେପ ନିଆଗଲେ ଏହି କାରବାରରେ ବ୍ରେକ୍ ଲାଗିପାରିବ ।
ଅଧିକ ଦର ପାଇଁ ବିକ୍ରି କମୁଛି:
ଖଦି ଦର ଅଧିକ ହେଉଥିବାରୁ ସବୁବର୍ଗର ଲୋକମାନେ ଏହାକୁ କିଣି ପାରୁ ନାହାଁନ୍ତି । ପତାକା ୧୧୬୬ ଟଙ୍କାରୁ ଆରମ୍ଭ କରି ୩୨୮୩ ଟଙ୍କା ରହୁଛି । ପ୍ରାୟତଃ ଖଦି ପତାକା କର୍ଣ୍ଣାଟକରୁ ଆସୁଛି ।
ସୌଜନ୍ୟ ପ୍ରମେୟ




