ରାଜ୍ୟ

Fashion Ramp: ଦିନେ ଥିଲେ ଦୁର୍ଦ୍ଦାନ୍ତ ମାଓବାଦୀ, ଏବେ ମଡେଲ ହୋଇ କରୁଛନ୍ତି କ୍ୟାଟ୍‌ୱାକ୍‌, ସୋସିଆଲ ମିଡିଆର ଭିଡିଓ ଭାଇରାଲ

ରାୟପୁର, ୧୪/୦୮: ଏକଦା ଲାଲବାହିନୀରେ ସାମିଲ ହୋଇ ବନ୍ଧୁକ ଧରୁଥିଲେ । ସ୍ୱାଭାବିକ ଜୀବନ ବଞ୍ଚିବା ଯେମିତି ଭୁଲି ଯାଇଥିଲେ । ଏବେ ଆଉ ତାହା ନାହିଁ । ଜୀବନକୁ ମନଭରି ଉପଭୋଗ କରିବାକୁ ନୂଆ ସୁଯୋଗ ଜୁଟିଛି । ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କରିଥିବା ବସ୍ତରର ଏହି ମହିଳା ମାଓବାଦୀଙ୍କୁ ଏବେ  ରାମ୍ପଓ୍ବାକ୍ କରୁଥିବା ଦେଖିବାକୁ ମିଳିଛି । ପେସାଦାର ମଡେଲଙ୍କ ଠାଣିରେ ସେମାନେ କ୍ୟାଟ୍ୱାକ୍ କରି ଦର୍ଶକଙ୍କ ମନ ଜିଣିଛନ୍ତି ।

ଅବସର ଥିଲା ଜାତୀୟ ହସ୍ତତନ୍ତ ଦିବସ । ଛତିଶଗଡ଼ ରାଜଧାନୀ ରାୟପୁରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ବସ୍ତରର ପୂର୍ବ ମହିଳା ମାଓବାଦୀମାନେ କ୍ୟାଟ୍ୱାକ୍ କରିଥିଲେ । ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । କେବେ ଘଞ୍ଚ ଜଙ୍ଗଲରେ ବନ୍ଧୁକ ଧରି ବୁଲୁଥିବା ଏହି ମହିଳାମାନେ ଯେତେବେଳେ ରାମ୍ପ୍‌କୁ ଓହ୍ଲାଇଲେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଅଡିଟୋରିୟମ୍ କରତାଳିରେ କମ୍ପି ଉଠିଲା । ଏହି ‘ଦେଶୀ’ ଫ୍ୟାସନ ସୋ’ରେ ପ୍ରାୟ ୯ ଜଣ ପୂର୍ବ ମହିଳା ମାଓବାଦୀ ଛତିଶଗଡ଼ର ପାରମ୍ପରିକ କୋସା ସିଲ୍କ ଏବଂ ହାତବୁଣା ସୁନ୍ଦର ବସ୍ତ୍ର ପରିଧାନ କରି ମଞ୍ଚରେ ଚାଲି ଜଲୱା ଦେଖାଇଥିଲେ । ଏହି ମୁହୂର୍ତ୍ତ କେବଳ ଏକ ଫ୍ୟାସନ ସୋ’ରେ ସୀମିତ ନଥିଲା, ବରଂ ବନ୍ଧୁକ ଛାଡ଼ି ସମ୍ମାନ ଓ ଆତ୍ମନିର୍ଭରଶୀଳତାର ଏକ ନୂଆ ଜୀବନ ଆରମ୍ଭ କରିଥିବା ଏହି ମହିଳାଙ୍କ ମନୋବଳ ବଢ଼ାଇବାର ଏକ ଚମତ୍କାର କାହାଣୀ ଥିଲା । ଏହି ଅବସରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ସେମାନଙ୍କ ସହ କଥା ହୋଇଥିଲେ । ସେମାନଙ୍କୁ ଉତ୍ସାହିତ କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ ।

ଚଳିତମାସ ୭ ତାରିଖରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଭିଡିଓ ଗୁରୁବାର ସାମ୍ନାକୁ ଆସିଛି । ଏହାକୁ ସୋସିଆଲ ମିଡିଆରେ ଦେଖିବା ପରେ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, ‘କିଛି ବର୍ଷ ପୂର୍ବେ ଏଭଳି ଦୃଶ୍ୟର କଳ୍ପନା କରିବା ମଧ୍ୟ କଷ୍ଟକର ଥିଲା । ଏହା ହେଉଛି ସଶକ୍ତିକରଣର ଏକ ନିଚ୍ଛକ ରୂପ ।’ ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ଯଦି ଏହା ସତ୍ୟ, ତେବେ ଏଥିରେ ସାମିଲ ହୋଇଥିବା ସମସ୍ତଙ୍କୁ ଅଭିନନ୍ଦନ । ସେମାନେ ଆଦୌ ପ୍ରାକ୍ତନ ମାଓବାଦୀ ଭଳି ଲାଗୁନାହାନ୍ତି । ଏଭଳି କାହାଣୀଗୁଡ଼ିକୁ ଅଧିକ ପ୍ରଚାର କାହିଁକି ମିଳେନାହିଁ?’ ଅନ୍ୟ ଜଣେ ଏହାକୁ ‘ବାସ୍ତବରେ ଅବିଶ୍ୱସନୀୟ’ ଦର୍ଶାଇଛନ୍ତି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button