ଦେଶ ବିଦେଶ

Judge: ଚାରି ମାସରେ ୨୨ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଲେ ୟୁପିର ବିଚାରପତି

ଉତ୍ତରପ୍ରଦେଶର ମୁଜାଫରନଗର ଫାଷ୍ଟ୍‌ ଟ୍ରାକ୍‌ କୋର୍ଟ-୩ର ଅତିରିକ୍ତ ଜିଲ୍ଲା ଓ ସେସନ୍‌ସ ବିଚାରପତି ରବି କୁମାର ଦିବାକର ଗତ ଚାରି ମାସରେ ୧୦ଟି ମାମଲାରେ ୨୨ ଜଣଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁଜାଫରନଗର ଫାଷ୍ଟ୍‌ ଟ୍ରାକ୍‌ କୋର୍ଟ-୩ର ଅତିରିକ୍ତ ଜିଲ୍ଲା ଓ ସେସନ୍‌ସ ବିଚାରପତି ରବି କୁମାର ଦିବାକର ଗତ ଚାରି ମାସରେ ୧୦ଟି ମାମଲାରେ ୨୨ ଜଣଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି। ହତ୍ୟା, ଡକାୟତି ସହ ହତ୍ୟା ଓ ଅନ୍ୟ ଗୁରୁତର ଅପରାଧ ମାମଲାରେ ଏପ୍ରିଲ୍‌ରୁ ଅଗଷ୍ଟ ମଧ୍ୟରେ ଏହି ରାୟ ଦିଆଯାଇଛି। ଏତେ କମ୍‌ ସମୟରେ ଏତେ ସଂଖ୍ୟକ ମୃତ୍ୟୁଦଣ୍ଡ ଘୋଷଣା ପରେ ବିଚାରପତି ରବି କୁମାର ଦିବାକରଙ୍କ ନାମ ଚର୍ଚ୍ଚାକୁ ଆସିଛି।

ରବି କୁମାର ଦିବାକର ୨୦୨୫ ନଭେମ୍ବରରୁ ମୁଜାଫରନଗରରେ ଫାଷ୍ଟ୍‌ ଟ୍ରାକ୍‌ କୋର୍ଟ-୩ର ଦାୟିତ୍ବରେ ଅଛନ୍ତି। ଏପ୍ରିଲ୍‌ ୬ରେ ୨୦୧୯ର ଆଇନଜୀବୀ ମହମ୍ମଦ ସମୀର ସୈଫି ହତ୍ୟା ମାମଲାରେ ରିଜୱାନ, ସିଙ୍ଗୋଲ ଅଲ୍‌ଭି ଓ ଶାଲୁ ଓରଫ ଆରବାଜଙ୍କୁ ମୃତ୍ୟୁଦଣ୍ଡ ଶୁଣାଯାଇଥିଲା। ମାମଲାଟି ପ୍ରାୟ ୪୫ ଲକ୍ଷ ଟଙ୍କାର ଆର୍ଥିକ ବିବାଦକୁ ନେଇ ସମୀରଙ୍କୁ ଅପହରଣ ଓ ହତ୍ୟା ସହ ଜଡିତ ଥିଲା। ସହଅଭିଯୁକ୍ତ ଦିନେଶଙ୍କୁ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ୭ ବର୍ଷ ଜେଲ୍‌ ଦଣ୍ଡ ହୋଇଥିଲା।

ଏପ୍ରିଲ୍‌ ୨୮ରେ ଏକ ହତ୍ୟା ମାମଲାରେ ଜଣେ ମହିଳା ଓ ତାଙ୍କର ତିନି ପୁଅଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଜୁନ୍‌ ୨୦ରେ କୃଷକ ରାଜେନ୍ଦ୍ର ସୈନୀଙ୍କ ହତ୍ୟା ମାମଲାରେ ଦୁଇ ଜଣଙ୍କୁ ମୃତ୍ୟୁଦଣ୍ଡ ଶୁଣାଯାଇଥିଲା। ଜୁଲାଇ ୨ରେ ଡ୍ୟୁଟିରେ ଥିବା ହୋମଗାର୍ଡ ରତିରାମଙ୍କୁ ହତ୍ୟା ମାମଲାରେ ଦୀପକଙ୍କୁ ମୃତ୍ୟୁଦଣ୍ଡାଦେଶ ଦିଆଯାଇଥିଲା। ଜୁଲାଇ ୧୭ରେ ୨୦୧୧ର ରାଜପଥ ଡକାୟତି-ହତ୍ୟା ମାମଲାରେ ଚାରି ଜଣଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିଲେ ଜଷ୍ଟିସ ଦିବାକର। ଏହି ମାମଲାଗୁଡ଼ିକୁ ଅଦାଲତ ‘ବିରଳରୁ ବିରଳତମ’ ଶ୍ରେଣୀର ବୋଲି ବିବେଚନା କରିଥିଲେ। ୨୦୨୫ରେ ସାରା ଉତ୍ତରପ୍ରଦେଶର ଟ୍ରାଏଲ୍‌ କୋର୍ଟଗୁଡ଼ିକ ୨୦ଟି ମାମଲାରେ ମୋଟ ୨୮ଟି ମୃତ୍ୟୁଦଣ୍ଡାଦେଶ ଦେଇଥିଲେ। ସେହି ବର୍ଷ ସାରା ଦେଶରେ ୧୨୮ଟି ମୃତ୍ୟୁଦଣ୍ଡ ଘୋଷଣା ହୋଇଥିଲା। ତେଣୁ ଚଳିତ ବର୍ଷ ମାତ୍ର ଚାରି ମାସରେ ଜଣେ ବିଚାରପତିଙ୍କ ଦ୍ୱାରା ୨୨ଟି ମୃତ୍ୟୁଦଣ୍ଡ ଘୋଷଣା ହେବା ଘଟଣା ବିଶେଷ ଚର୍ଚ୍ଚା ସୃଷ୍ଟି କରିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button