ରାଜ୍ୟ

World Athletics Continental Tour ଭୁବନେଶ୍ୱରରେ ଅନୁଷ୍ଠିତ ହେବ ‘ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍’ ମିଟ୍

୨୦୨୬ ଅଗଷ୍ଟ ୨୨ରେ କଳିଙ୍ଗ ଷ୍ଟାଡିୟମରେ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍‌ର ସିଲଭର୍ ଲେଭଲ୍ ମିଟ୍‌ ଅନୁଷ୍ଠିତ ହେବା। ଏହା ୱାର୍ଲ୍ଡ ଆଥଲେଟିକ୍ସ ଓ ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ (AFI)ର କ୍ୟାଲେଣ୍ଡରରେ ଉଲ୍ଲେଖ ରହିଛି। ଅଗଷ୍ଟ ୨୨ରେ କଳିଙ୍ଗ ଷ୍ଟାଡିୟମରେ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ସିଲଭର୍ ଲେଭଲ୍ ମିଟ୍‌। ଅନ୍ତର୍ଜାତୀୟ ଓ ଭାରତୀୟ ଆଥଲେଟ୍‌ଙ୍କୁ ନେଇ ଆୟୋଜିତ ହେବ ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତା।

ଭୁବନେଶ୍ୱର:  ଅଗଷ୍ଟ ୨୨ ତାରିଖରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ‘ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍’ ଅନୁଷ୍ଠିତ ହେବ।

ଏନେଇ ଆଜି (ସୋମବାର), ମିଟ୍‌ର ଆୟୋଜକ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ, ଭାରତୀୟ ଆଥଲେଟିକ୍ସ ମହାସଂଘ (AFI) ଏବଂ ୱାର୍ଲ୍ଡ ଆଥଲେଟିକ୍ସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା।  କ୍ରୀଡ଼ା ନିର୍ଦ୍ଦେଶକ ଡା. ୟେଦୁଲା ବିଜୟ ସୂଚନା ଦେଇଛନ୍ତି, ଗତବର୍ଷ ଏହା ବ୍ରୋଞ୍ଜ ସ୍ତରର ହୋଇଥିବା ବେଳେ, ଏଥର ଏହାକୁ ସିଲଭର୍ ସ୍ତରକୁ ଉନ୍ନୀତ କରାଯାଇଛି। ୨୦୨୮ ମସିହାରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ବିଶ୍ୱ ଏବଂ ଏସୀୟ ଇନଡୋର ଆଥଲେଟିକ୍ସ ଚାମ୍ପିୟନସିପ୍ ପାଇଁ ଏହା ଏକ ପ୍ରମୁଖ ପ୍ରସ୍ତୁତି ପର୍ଯ୍ୟାୟ।

ସାଧାରଣ ଜନତା, ଛାତ୍ରଛାତ୍ରୀ ଓ କ୍ରୀଡ଼ାପ୍ରେମୀଙ୍କୁ ଉତ୍ସାହିତ କରିବା ପାଇଁ କଳିଙ୍ଗ ଷ୍ଟାଡିୟମକୁ ପ୍ରବେଶ ସମ୍ପୂର୍ଣ୍ଣ ମାଗଣା ରଖାଯାଇଛି। ସେହିପରି ୱାର୍ଲ୍ଡ ଆଥଲେଟିକ୍ସର ଉପ-ସଭାପତି ଡ. ଆଦିଲେ ସୁମାରିୱାଲା ଓଡ଼ିଶା ସରକାରଙ୍କ ଯୋଗଦାନକୁ ପ୍ରଶଂସା କରିବା ସହ ଏହି ସିଲଭର ମିଟ୍ ଅତ୍ୟନ୍ତ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହେବ ବୋଲି ଶ୍ରୀବିଜୟ ପ୍ରକାଶ କରିଛନ୍ତି।

ଏହି ଦିନିକିଆ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ୨୭ ଟି ଦେଶରୁ ମୋଟ ୧୮୮ ଜଣ ଖେଳାଳି ଅଂଶଗ୍ରହଣ କରିବେ। ଏଥିମଧ୍ୟରେ ୯୯ ଜଣ ବିଦେଶୀ ଖେଳାଳିଙ୍କ ସହ ୮୮ ଜଣ ଭାରତୀୟ ଆଥଲେଟ୍ ନିଜର ପ୍ରତିଭା ଦେଖାଇବାର ସୁଯୋଗ ପାଇବେ। ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲ ଭଳି ଦେଶରୁ ବଡ଼ ଦଳ ଏହି ମିଟ୍‌ରେ ଭାଗ ନେଉଛନ୍ତି। ଏହି ପ୍ରତିଯୋଗିତାରେ ପୁରୁଷ ଓ ମହିଳାଙ୍କ ପାଇଁ ସମାନ ଭାବେ ୯ଟି ଲେଖାଏଁ, ମୋଟ ୧୮ଟି ଟ୍ରାକ୍ ଆଣ୍ଡ ଫିଲ୍ଡ ଇଭେଣ୍ଟ ଅନୁଷ୍ଠିତ ହେବ। କୃତି ପ୍ରତିଯୋଗୀଙ୍କ ପାଇଁ ଆକର୍ଷଣୀୟ ନଗଦ ପୁରସ୍କାର ସହ ଗୁରୁତ୍ୱପୂର୍ଣ୍ଣ ୱାର୍ଲ୍ଡ ର଼୍ୟାଙ୍କିଂ ପଏଣ୍ଟ ମଧ୍ୟ ରହିଛି, ଯେଉଁଥିରେ ପ୍ରଥମ ସ୍ଥାନ ପାଇଁ ୧,୬୦୦ ଡଲାର, ଦ୍ୱିତୀୟ ସ୍ଥାନ ପାଇଁ ୧,୨୦୦ ଡଲାର ଏବଂ ତୃତୀୟ ସ୍ଥାନ ପାଇଁ ୯୦୦ ଡଲାର ପ୍ରଦାନ କରାଯିବ।

ଏହି ପ୍ରତିଯୋଗିତାର ମୁଖ୍ୟ ଆକର୍ଷଣ ପାଲଟିବେ ବିଶ୍ୱ ର଼୍ୟାଙ୍କିଂର ଶ୍ରେଷ୍ଠ ୫୦ ଜଣଙ୍କ ମଧ୍ୟରେ ଥିବା ୩୬ ଜଣ ପ୍ରସିଦ୍ଧ ଖେଳାଳି। ପ୍ୟାରିସ୍ ୨୦୨୪ ଓଲମ୍ପିକ୍ସର ୪୦୦ ମିଟର ବ୍ରୋଞ୍ଜ ପଦକ ବିଜେତା ମୁଜାଲା ସାମୁକୋଙ୍ଗା ଏବଂ ନାଇଜେରିଆର ଶଟପୁଟ୍ ତାରକା ଚୁକୱେବୁକା ଏନେକୱେଚି ନିଜର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିବେ।
ଏହି ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ା ଓ ଯୁବସେବା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଅଶୋକ କୁମାର ପଣ୍ଡା, ଏବଂ AFIର କୋଷାଧ୍ୟକ୍ଷ ବି. ଇ. ଷ୍ଟାନଲି ମଧ୍ୟ ଉପସ୍ଥିତ ଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button